www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଦୁଃଖ: ଏପଟେ ରୋଜଗାର, ସେପଟେ ଭୋକ

ବଲାଙ୍ଗିର : କରେନା ଓ ଲକଡାଉନ୍। ଅନେକଙ୍କ ପାଇଁ ଦୁଃଖର କାରଣ। ଆମ ଚାରିପଟେ ପଇଁତରା ମାରୁଛି କେବଳ ସମସ୍ୟା ହିଁ  ସମସ୍ୟା। କାହା ମୁହଁରେ ଖୁସି ନାହିଁ। ସମସ୍ତେ ପାଲଟିଛନ୍ତି ପରିସ୍ଥିତିର ଦାସ। କରୋନା ଓ ଲକଡାଉନ୍ ଦେଖାଇ ଦେଇଛି ଜୀବନ ଜୀବିକାର ବାସ୍ତବତା। ଏବେ ସାମ୍ନାକୁ ଜଳଜଳ କରି ଦେଖା ଯାଉଛି ମଣିଷର ଅସହାୟତା। ଆଉ ଅସହାୟ ସ୍ଥିତିରେ ବି ମଣିଷ ଜୁଝୁଛି, ସଂଘର୍ଷ କରୁଛି ଜୀବନକୁ ଆଗେଇ ନେବା ପାଇଁ। ଏମିତି ୩ଟି ଚିତ୍ରକୁ ନେଇ ଜୀବନ ଜିନ୍ଦାବାଦର କାହାଣୀ ଆପଣଙ୍କ ଆଗରେ…..

କଦଳୀ ପଚି ଯାଉଛି, ବାଣ୍ଟି ଦେଉଛି

- Advertisement -

ବଲାଙ୍ଗିର ଜିଲା ସଦର ବ୍ଲକ ଭୁଣ୍ଡିମୁହାଣ ଗାଁର ଚାଷୀ ଡୋଳାମଣି ସେଠ। ୪୬ ବର୍ଷୀୟ ଡୋଳାମଣି ପୂର୍ବରୁ ମୂଲ ଲାଗି ପରିବାର ଚଳାଉଥିଲେ। ଗତ ୧୦ ବର୍ଷ ହେଲାଣି ସେ ଚାଷକୁ ଗୁରୁତ୍ୱ ଦେଇଛନ୍ତି। ଗାଁରେ ଥିବା ତାଙ୍କର ଅଢେଇ ଏକର ଉର୍ଦ୍ଧ ଚାଷ ଜମିରେ ସେ ମହାରାଷ୍ଟ୍ରର ଜିନାଇନ୍ କିସମର ୩ହଜାର ୧୧୪ଟି କଦଳୀ ଗଛ ଚାରା ଲଗାଇଥିଲେ। ପ୍ରତି ଚାରା ପିଛା ତାଙ୍କୁ ପଡିଥିଲା ୧୮ ଟଙ୍କା। ଆଉ ଗଛ ପିଛା ସାର, ଔଷଧ, ରକ୍ଷଣା ବେକ୍ଷଣ ପାଇଁ ଖର୍ଚ୍ଚ ହୋଇଥିଲା ଶହେ ଟଙ୍କା ପ୍ରାୟ। ଏପ୍ରିଲ ୨୪ ତାରିଖ ବର୍ଷାରେ ତାଙ୍କ କଦଳୀ ଗଛଗୁଡ଼ିକ ନଷ୍ଟ ହୋଇଥିଲା। ଉପ ଜିଲାପାଳ ସଞ୍ଚୟ ମିଶ୍ର, ଉଦ୍ୟାନ ଓ କୃଷି ବିଭାଗର ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷ ଦେଖି ସରକାରୀ ସହାୟତା ଦେବେ ବୋଲି କହି ଯାଇଥିଲେ। ଏବେ କିଛି ଗଛରୁ କଦଳୀ କାନ୍ଧି କାଟି ଆଣିଛନ୍ତି। ପାଟଣାଗଡ, ବଲାଙ୍ଗିରରେ କଦଳୀ ବିକିବା ପାଇଁ ଯୋଗାଯୋଗ କରିଥିଲେ। କେହି ନେବାକୁ ରାଜି ହେଲେନି। ଫଳରେ ପଚି ଯାଇଥିବା କଦଳୀ ଗାଈଗୋରୁଙ୍କୁ ଦେଉଥିବା ବେଳେ ନିଜ ଗାଁ, ଘୁଟୁପାଲି, କର୍ଲାପିଟା ଅଞ୍ଚଳର ଲୋକଙ୍କୁ କଦଳୀ କାନ୍ଧି ବାଣ୍ଟି ଦେଉଛନ୍ତି। ପଡି ପଡି ନଷ୍ଟ ହେବ। ଲୋକଙ୍କୁ ଦେଇଦେଲେ ସେମାନେ ଖାଇବେ ବୋଲି କହନ୍ତି ଡୋଳାମଣି।

ବାପା-ମା ରାଜ୍ୟ ବାହାରେ, ଘରେ ଏକଲା ରୀମାରାଣୀ

ବେଲପଡ଼ା ବ୍ଲକ ଠୁଣିବାହାଲ ଗାଁ। ଏହି ଗାଁର ରୀମାରାଣୀ। ବାପା-ମା ଓ ଅନ୍ୟମାନେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଛନ୍ତି। ଆଉ ରୀମାରାଣୀ ଋତୁକାଳୀନ ହଷ୍ଟେଲରେ ରହି ପଢୁଥିଲେ। କରୋନା ଓ ଲକଡାଉନ୍ ଯୋଗୁଁ ହଷ୍ଟେଲ ବନ୍ଦ ହେଇଗଲା। ବାପା-ମା’ ବି ଫେରି ପାରିଲେନି। ଗାଁ ଘରେ ଏକଲା ରୀମାରାଣୀ। ସ୍କୁଲ ପକ୍ଷରୁ ଚାଉଳ ଦିଆଯାଇଥିଲା। ବାପାଙ୍କ ରାସନ କାର୍ଡରେ ମିଳିଥିଲା ହଜାରେ ଟଙ୍କା। ଗଲା ଦି’ ମାସ ହେଲା ସେ ଚାଉଳ ଓ ମିଳିଥିବା ଟଙ୍କାରେ ପନିପରିବା କିଣି ନିଜେ ରାନ୍ଧି ଚଳୁଛନ୍ତି। ୧୧ ବର୍ଷ ବୟସରେ ସେ ଜୀବନ ସହ ଜୁଝୁଛନ୍ତି। ଗାଁ ଲୋକେ ଆହା କରୁଛନ୍ତି। କିନ୍ତୁ ତା’ ପାଇଁ କିଛି ପଦକ୍ଷେପ ନେଇ ପାରୁ ନାହାନ୍ତି। ହାତରୁ ସରିଆଣିଲାଣି ଟଙ୍କା। ଏନେଇ ବଲାଙ୍ଗିର ସିଡବ୍ଲ୍ୟୁସିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ରୀମାରାଣୀଙ୍କ ରହିବା ଓ ଅନ୍ୟାନ୍ୟ ସୁବିଧା କରାଯିବ ବୋଲି କହିଛନ୍ତି।

ଚାଲି ଚାଲି ଗାଁକୁ ଫେରୁଛନ୍ତି ଲୋକେ

କରୋନା ଓ ଲକଡାଉନ୍ ପାଇଁ ଅନେକ ପ୍ରବାସୀ ରୋଜଗାର ହରାଇଛନ୍ତି। ଭିଟାମାଟିକୁ ଫେରିବା ପାଇଁ ସମସ୍ତେ କସରତ କରୁଛନ୍ତି। ତାମିଲନାଡୁରେ କାମ କରୁଥିବା ୮ଜଣ ଶ୍ରମିକ ଶନିବାର ରାତିରେ ଚାଲି ଚାଲି ଫେରୁଥିଲେ। ବଲାଙ୍ଗିର ଅଫିସର୍ସ କଲୋନୀ ନିକଟରେ ସେମାନଙ୍କୁ ରୁଗୁଡ଼ିପଡାର ଅସୀମ ପଟ୍ଟନାୟକ ଦେଖିଥିଲେ। ରାତି ସେତେବେଳକୁ ୨ଟା ହେଲାଣି। ତାମିଲନାଡୁରୁ ଗାଡି ଭଡ଼ା କରି ସେମାନେ ଫେରୁଥିବା ବେଳେ ଦେଓଗାଁରେ ଛାଡି ଦେଇଥିଲା ଗାଡିଟି। ସେଠାରୁ ଚାଲି ଚାଲି ସେମାନେ ଖପ୍ରାଖୋଲ ମାଟିଆଭଟା ଗାଁକୁ ଯିବେ ବୋଲି ଆସୁଥିଲେ। ଉପ ଜିଲାପାଳ ସଞ୍ଚୟ ମିଶ୍ରଙ୍କୁ ଯୋଗାଯୋଗ କରି ସମସ୍ୟା ସଂପର୍କରେ କହିଥିଲେ ଶ୍ରୀ ପଟ୍ଟନାୟକ। ସେମାନଙ୍କ ପାଇଁ ଉପ ଜିଲାପାଳ ଖାଦ୍ୟ ବ୍ୟବସ୍ଥା କରିବା ସହ ରାତିରେ ଲର୍କିପାଲିରେ ଆଶ୍ରୟ ନେବାକୁ କହିଥିଲେ। ସେମାନଙ୍କୁ ରହିବା ପାଇଁ ଥଇଥାନ ବ୍ୟବସ୍ଥା କରିଥିଲେ ଶ୍ରୀ ପଟ୍ଟନାୟକ। କେବଳ ସେତିକି ନୁହେଁ, ବିଜୟୱାଡାରୁ ଫେରୁଥିବା ଶ୍ରମିକମାନେ ବିଭିନ୍ନ ଉପାୟରେ ଆସିଥିଲେ ବଲାଙ୍ଗିର। ସ୍ଥାନୀୟ ପୁଲିସକୁ ସହଯୋଗ ମାଗିଥିଲେ। କୌଣସି ସହାୟତା ମିଳି ନଥିଲା ସେମାନଙ୍କୁ। ଏନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ଟ୍ରେନ ଯୋଗେ ବଲାଙ୍ଗିର ଆସିଥିବା ବେଲପଡ଼ା ବ୍ଲକ ସୁଲେକେଲା ଗାଁର ଲୋକେ ରବିବାର ଚାଲି ଚାଲି ଯାଉଥିବା ବେଳେ ସେମାନେ ଅନେକ ସମସ୍ୟା ଭୋଗୁଥିବା କହିଥିଲେ ରାସ୍ତାରେ ଯାଉଥିବା ଲୋକଙ୍କୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories