www.samajalive.in
Saturday, December 13, 2025
26.1 C
Bhubaneswar

ବଲାଙ୍ଗୀରରେ ବାଟବଣା ହୋଇଛି ‘ବସୁନ୍ଧରା’ : ଚିହ୍ନଟ ହୋଇପାରୁନି ସରକାରୀ ଜମି

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ବାଟବଣା ହୋଇଛି ବସୁନ୍ଧରା ଯୋଜନା। ଭୂମିହୀନ, ବାସହୀନ ଗରିବ ପରିବାର ମାନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗେଇ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। କିନ୍ତୁ ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଖାମଖିଆଲି ମନୋଭାବ ଯୋଗୁ ଏହି ଯୋଜନାରେ ଲକ୍ଷ୍ୟ ମୁତାବକ ହିତାଧିକାରୀ ମାନଙ୍କୁ ଜମି ଦିଆଯାଇପାରି ନ ଥିବା ଜଣାପଡିଛି। ଯାହାକୁ ଜମି ମିଲିଛି ତାକୁ ସରକାର ପଟ୍ଟା ଦେଇପାରିନାହାନ୍ତି। ସେହିପରି ରାଜସ୍ୱ ବିଭାଗ ଜମି ଚିହ୍ନଟ କରି ଦେଇଥିବା ପଟ୍ଟା ମଧ୍ୟ ଆଉ ଜଣେ ଲୋକଙ୍କ ନାଁ ରେ ରହିଛି। ଯାହାଫଳରେ ଦିନକୁ ଦିନ ହିତାଧିକାରୀ ମାନଙ୍କ ଆକ୍ରୋଶ ବଢିବାରେ ଲାଗିଛି। ଭୂମିହୀନ ମାନଙ୍କୁ ପ୍ରତିଶୃତି ଦେଇ ବାସପୋଯୋଗୀ ଜମି ଯୋଗାଇ ଦେବାରେ ସରକାର ଓ ପ୍ରଶାସନ ଫେଲ ମାରିଥିବା ଅଭିଯୋଗ ହୋଇଛି।

ବିଭାଗୀୟ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ସଦର ତହସିଲ ୨୯୯, ପୁଇଁନ୍ତଲା ୬୪୫, ଦେଓଗାଁ ୩୨୪, ଲୋଇସିଂହା ୧୦୨,ତୁଷୁରା ୨୦୯, ଆଗଲପୁର ୧୨୬, ଟିଟିଲାଗଡ ୨୭୪, କଣ୍ଟାବାଞ୍ଜି ୨୪୯, ସଇଁନ୍ତଲା ୫୨୪, ମୁରିବାହାଲ ୧୧୮, ବଙ୍ଗୋମୁଣ୍ଡା ୫୧, ପାଟଣାଗଡ ୫୫୦, ବେଲପଡା ୬୭, ଖପ୍ରାଖୋଲ ୮୭ ବାସହୀନ ପରିବାରକୁ ବସୁନ୍ଧରା ଯୋଜନାରେ ସାମିଲ କରି ଜାଗା ଯୋଗାଇ ଦେବା ପାଇଁ ବଲାଙ୍ଗିର ଜିଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିଲା। ଗତ ୨୪ ଡିସେମ୍ବର ସୁଦ୍ଧା ବଲାଙ୍ଗୀର  ଜିଲାର ୩୬୨୫ ପରିବାର ମଧ୍ୟରୁ ୧୭୩୭ ପରିବାରକୁ ଜମିପଟ୍ଟା ଦିଆଯାଇଥିବା ଜଣାପଡିଛି। ଅର୍ଥାତ ଲକ୍ଷ୍ୟ ରଖାଯାଇଥିବା ସଂଖ୍ୟାର ମାତ୍ର ୫୦ ପ୍ରତିଶତ ଲୋକଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପଟ୍ଟା ଯୋଗାଇବାରେ ସଫଳ ହୋଇଛି ।

- Advertisement -

ଜମି ଚିହ୍ନଟ କରିବା ମଧ୍ୟ ପ୍ରଶାସନ ର ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରାୟ ସମସ୍ତ ତହସିଲରେ ବେଆଇନ ଭାବେ ଜମି ଜବରଦଖଳ କରି ଲୋକେ ସେଠାରେ ଘର ତୋଲିସାରିଲେଣି। ବର୍ତ୍ତମାନ ଉକ୍ତ ସ୍ଥାନ ଆଉ ଜଣେ ବାସହୀନ ପରିବାର କୁ ଦିଆଯିବା ପରେ ସେହି ଜାଗାର ମାଳିକ କିଏ ତାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବଲାଙ୍ଗୀର ଜିଲାରେ ବସୁନ୍ଧରା ଯୋଜନା ବାଟବଣା ହୋଇଥିବା ବେଳେ ଏଥିପ୍ରତି ଜିଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ଏହାସହ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଳ କରିଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories