ଭୁବନେଶ୍ୱର – ଦିଲ୍ଲୀ ଏମ୍ସକୁ ଗୁରୁତର ଅବସ୍ଥାରେ ଯାଇଥିବା ବଳଙ୍ଗା ପୀଡିତାଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଛି । କଡା ସୁରକ୍ଷା ଭିତରେ ତାଙ୍କ ମର ଶରୀରକୁ ମହାପ୍ରୟାଣ ଯାନରେ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇଛି । ବିମାନବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ସେଠାରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଥିଲେ ।
ଶନିବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ତାଙ୍କର ପରଲୋକ ହୋଇଥିଲା । ରବିବାରରେ ଶବବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଦିଲ୍ଲୀରେ ଶବ ହସ୍ତାନ୍ତର କରାଯାଇଥିଲା ।
ସୂଚନଯୋଗ୍ୟ ପୁରୀ ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଥିଲେ। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା।
ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗା ଥାନା ଅଞ୍ଚଳର ଏହି ନାବାଳିକାଙ୍କୁ ଘରଠାରୁ କିଛି ଦୂରରେ ନଦୀ ବନ୍ଧରେ ତାଙ୍କ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ଏମସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ରହିବାରୁ ୨୦ ତାରିଖ ଦିନ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା।
ଚିକିତ୍ସା ଜାରି ରହିବା ସହିତ ତାଙ୍କ ଶରୀରରେ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ୩ ଥର ଅପରେସନ କରାଯାଇ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛି ଓଡ଼ିଶା ପୁଲିସ। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ ବୋଲି ପୁଲିସ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଛି।
ଉକ୍ତ ପୋଷ୍ଟରେ କୁହାଯାଇଛି ଯେ, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହିତ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ବାଲେଶ୍ଵର ଜିଲା ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ପରେ ବଳଙ୍ଗା ପୀଡ଼ିତାଙ୍କ ସହିତ ଏଭଳି ବର୍ବରତା ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଘଟଣାର ୧୫ ଦିନ ବିତିଯାଇଥିଲେ ବି ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ଘଟଣାର କୌଣସି ଅଭିଯୁକ୍ତଙ୍କୁ ଧରିପାରି ନାହିଁ।



