ପାଟଣା . – କୌଣସି ନେତା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଲୋକପ୍ରିୟତା ସହ ସମକକ୍ଷ ହୋଇ ପାରିବେ ନାହିଁ ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଭାବେ କାମ କରିଛନ୍ତି । ବାଜପେୟୀତାଙ୍କୁ ଅତି ଭଲ ପାଉଥିଲେ ବୋଲି ସେ କହିଛନ୍ତି ।
ବାଜେପେୟୀଙ୍କୁ ଅନେକ ଭଲ କାମ ପାଇଁ ସମସ୍ତେ ମନେପକାଇବେ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି । ଜାତୀୟ ରାଜନୀତିରେ ବାଜପେୟୀଙ୍କର ଭୂମିକା ଓ ତାଙ୍କର ଉତ୍ତମ ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ମେଣ୍ଟ ରାଜନୀତିରେ ସେ ମେଣ୍ଟ କରିଥିବା ଦଳମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିଲେ । ବିରୋଧି ଦଳର ନେତା ଓ ସଦସ୍ୟଙ୍କୁ ସେ ଅତି ଉତ୍ତମ ବ୍ୟବହାର କରୁଥିଲେ ବୋଲି ନିତୀଶ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।
ସମାଜର ସମସ୍ତ ବର୍ଗର ଲୋକ ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ ଦେଉଥିଲେ । ବାଜପେୟୀଙ୍କ ସ୍ମୃତିରେ ପ୍ରତିବର୍ଷ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇ ନିଷ୍ପତି ନିଆଯାଇଛି ବୋଲି ନୀତିଶ କୁମାର ସୂଚନା ଦେଇଛନ୍ତି ।



