ବଡ଼ମ୍ବା : ବଡ଼ମ୍ବା ଖମାରସାହିସ୍ଥିତ ସେଣ୍ଟଜାଭିୟର୍ସ ସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି। ସ୍କୁଲର ଅଧ୍ୟକ୍ଷ ବ୍ରଜବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ହରମୋହନ ପଟ୍ଟନାୟକ, ଯୋଗଗୁରୁ ସନ୍ତୋଷ କୁମାର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଏଲିନା ଦାସ, ଶିକ୍ଷକ ରମେଶଚନ୍ଦ୍ର ବେହେରା, ସାମାଜିକ କର୍ମୀ ନିଗମାନନ୍ଦ ନାୟକ ଯୋଗଦେଇଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଦେଶବ୍ୟାପି ଅମୃତ ମହୋତ୍ସବ ପାଳନ କରାଯାଉଛି ଏବଂ ଏହାର ଉଦେଶ୍ୟ ତଥା ତାତ୍ପର୍ଯ୍ୟ ଉପରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ପରାଧୀନ ବ୍ରିଟିଶ ଶାସନନରୁ ଆମ ଦେଶକୁ ମୁକ୍ତି ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତଙ୍କ ଉତ୍ସର୍ଗୀକୃତ ଅବଦାନ ଏବଂ ବଳିଦାନ ସମ୍ପର୍କରେ ଅଧ୍ୟକ୍ଷ ବିଦ୍ୟାର୍ଥୀଙ୍କୁ ଅବଗତ କରାଇବା ସହ ଏହି ଅବସରରେ ସେମାନଙ୍କ ସ୍ମୃତିଚାରଣ କରାଯାଇଥିଲା । ଆଗାମୀ ୩ଦିନ ଅର୍ଥାତ୍ ୧୩,୧୪ ଏବଂ ୧୫ ତାରିଖରେ ସମସ୍ତେ ଗର୍ବର ସହିତ ଅମୃତମହୋତ୍ସବ ଅବସରରେ ଘରେ ଘରେ ଜାତୀୟ ପତାକା ଉଡ଼ାଇବାକୁ ପରାମର୍ଶ ଦିଆଯାଇଥିଲା। ଶେଷରେ ଅମୃତମହୋତ୍ସବ ସମ୍ପର୍କରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
Popular Categories



