ପ୍ଲାଷ୍ଟିକମୁକ୍ତ ସମାଜ ପାଇଁ ଜନସଚେତନତା

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ସମାଜ ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜସେବା ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ଶୋଭାଯାତ୍ରାକୁ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଉଦ୍‌‌ଘାଟନ କରି ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ନାମିତ ଏହି ବିଦ୍ୟାଳୟର ଛାତ୍ରୀମାନେ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ବ୍ରତଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ । ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପିକା ବସିରା ବେଗମ, ସରିତା ଆଚାର୍ଯ୍ୟ, ରଶ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଛାତ୍ରୀମାନେ ବିଭିନ୍ନ ସଚେତନଧର୍ମୀ ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି ଅବସରରେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ପ୍ଲାଷ୍ଟିକ ଓ ପଲିଥିନ ଆମ ପରିବେଶକୁ ବ୍ୟାପକ ପ୍ରଦୁଷିତ କରୁଥିବା ଏବଂ ଜୀବଜଗତ ପାଇଁ ଏହା ବିପଦ ହୋଇଥିବାରୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ଯଥାସାଧ୍ୟ କମ୍‌‌ କରିବା ଅଥବା ବର୍ଜନ କରିବା ଲାଗି ଲୋକଙ୍କୁ ବୁଝାଇଥିଲେ। ଅଧ୍ୟାପିକା ଅପରାଜିତା ଜେନାମଣି, କର୍ମଚାରୀ ରଞ୍ଜିତ୍‌‌ କୁମାର ସ୍ୱାଇଁ ପ୍ରମୁଖଙ୍କ ସମେତ ଅନ୍ୟ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.