ବେଙ୍ଗାଲୁରୁ : ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ଦମଦାର ଶତକ ବଳରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଟ୍ବେଣ୍ଟି-୨୦ର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତକୁ ୭ ଓ୍ଵିକେଟରେ ପରାସ୍ତ କରିଛି । ଏଥି ସହିତ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ବିଜୟୀ ହୋଇଛି । ଅଧିନାୟକ ବିରାଟ କୋହଲିଙ୍କ ୭୨ ରନ ବଳରେ ଭାରତ ପକ୍ଷରୁ ଧାର୍ଯ୍ୟ ୧୯୧ ରନ ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ମ୍ୟାକ୍ସଓ୍ଵେଲଙ୍କ ୧୧୩ ରନର ଅପରାଜିତ ଇନିଂସ ବଳରେ ୧୯.୪ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା। ୫୫ ବଲରୁ ୭ ଚୌକା ଓ ୯ ଛକା ବଳରେ ୧୧୩ ରନ କରିଥିବା ମ୍ୟାକ୍ସଓ୍ଵେଲ ‘ ମ୍ୟାନ ଅଫ ଦ ସିରିଜ୍ ’ ବିବେଚିତ ହୋଇଛନ୍ତି ।
୧୯୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ଦଳ ୧୩ ରନରେ ମାର୍କସ ଷ୍ଟୋଇନିସ ଏବଂ ୨୨ ରନରେ ଅଧିନାୟକ ଆରୋନ ଫିଞ୍ଚଙ୍କ ୱିକେଟ ହରାଇଥିଲା। ଗ୍ଲେନ ମ୍ୟାକ୍ସଓ୍ଵେଲ ତୃତୀୟ ଓ୍ଵିକେଟରେ ୭୩ ରନ ଯୋଡ଼ି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ଏହି କ୍ରମରେ ୯୫ ରନ ସ୍କୋରରେ ଡି ଆର୍ସି ସଟ ଆଉଟ୍ ହୋଇଥିଲେ। ତେବେ ମ୍ୟାକ୍ସଓ୍ଵେଲ ପିଟର ହ୍ୟାଣ୍ଡସ୍କମ୍ବଙ୍କ ସହ ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ। ଏହି ପାଳିରେ ମ୍ୟାକ୍ସଓ୍ଵେଲ ୫୦ ବଲରୁ ଟି-୨୦ କ୍ୟାରିୟରରେ ନିଜର ତୃତୀୟ ଶତକ ପୂରଣ କରିଥିଲେ। ମ୍ୟାକ୍ସଓ୍ଵେଲ ଓ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଯୋଡି ଚତୁର୍ଥ ଓ୍ଵିକେଟରେ ୫୨ ବଲରୁ ୯୯ରନ କରି ଦଳକୁ ୧୯.୪ ଓଭରରେ ୭ ଓ୍ଵିକେଟରେ ବିଜୟୀ କରାଇଥିଲେ। ମ୍ୟାକ୍ସଓ୍ଵେଲ ୫୫ ବଲରୁ ୭ ଚୌକା ଓ ୯ ଛକା ବଳରେ ୧୧୩ ରନ ଏବଂ ପିଟର ହ୍ୟାଣ୍ଡସ୍କମ୍ବ ୧୮ ବଲରୁ ୨୦ ରନ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ବିଜୟ ଶଙ୍କର ୨ଟି ଓ ସିଦ୍ଧାର୍ଥ କୌଲ ଗୋଟିଏ ଓ୍ଵିକେଟ୍ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଲୋକେଶ ରାହୁଲ ଓ ଶିଖର ଧାଓ୍ଵନ ଭଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟରେ ୭.୧ ଓଭରରେ ୬୧ ରନ କରିଥିଲେ। ୬୧ ରନ ସ୍କୋରରେ ଭାରତ ରାହୁଲଙ୍କ ଓ୍ଵିକେଟ୍ ହରାଇଥିଲା। ସେ ୨୬ ବଲରୁ ୩ ଚୌକା ଓ ୪ ଛକା ବଳରେ ୪୭ ରନ କରି ଆଉଟ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ୧୪ ରନ କରି ଆଉଟ ହେଇଥିଲେ। ୬୧ ରନରୁ ୭୪ ରନ ମଧ୍ୟରେ ଭାରତ ୩ ଟି ଓ୍ଵିକେଟ୍ ହରାଇଥିଲା। ପରେ ଅଧିନାୟକ ବିରାଟ କୋହଲି ଓ ଧୋନୀ ଭାରତର ବ୍ୟାଟିଂ ଦାୟିତ୍ବ ସମ୍ଭାଳିଥିଲେ। କୋହଲି ନିଜ ଇନିଂସରେ ଟି-୨୦ କ୍ୟାରିୟରରେ ୨୦ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟମସ୍ୟାନ ଯୋଡି ଚତୁର୍ଥ ଓ୍ଵିକେଟରେ ୧୦୦ ରନ କରି ଦଳର ସ୍କୋରକୁ ୧୭୪ ରନରେ ପହଞ୍ଚାଇଥିଲେ। ଧୋନୀ ୨୩ ବଲରୁ ୩ ଚୌକା ଓ ୩ ଛକା ବଳରେ ୪୦ ରନ କରି ଆଉଟ୍ ହୋଇଥିଲେ। କୋହଲି ୩୮ ବଲରୁ ଧୂଆଁଧାର ବ୍ୟାଟିଂ କରି ୨ ଚୌକା ଓ ୬ ଛକା ବଳରେ ୭୨ ରନ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାସନ ବେହରେନଡର୍ଫ, ନାଥନ କୁଲଟର ନାଇଲ, ପାଟ୍ କମିନ୍ସ ଓ ଡି ଆର୍ସି ସଟ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଏହାକୁ ମିଶାଇ ଭାରତ ଚତୁର୍ଥ ଥର ଘରୋଇ ମାଟିରେ ଟି-୨୦ ସିରିଜ୍ ହାରିଛି । ଏହା ପୂର୍ବରୁ ଭାରତ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ୧-୦, ୨୦୧୨ରେ ନ୍ୟଜିଲାଣ୍ଡ ବିପକ୍ଷରେ ୧-୦, ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୦ ଏବଂ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୦ରେ ଟି-୨୦ ସିରିଜ୍ ପରାଜୟ ବରଣ କରିଛି ।
ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମାର୍ଚ୍ଚ ୩ ରୁ ଆରମ୍ଭ ହେବ ।



