ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଗୋବିନ୍ଦନଗର ଗାଁରେ ଦଶହରା ପାଳନ ଅବସରରେ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଘଟଣାରେ ପୁଲିସ ସମ୍ପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକମାନେ ଗୋବିନ୍ଦନଗର ଗାଁର ଏମ. ସୁଦାମ, ଏ. ଶିବା ଓ ଏମ. ଡିଲେସୁ ବୋଲି ପୋଲିସ ସୂଚନା ଦେଇଛି । ଆକ୍ରମଣରେ ଗୁରୁତର ଆହତ ଯୁବକ ଜଣଙ୍କ ତତଡାପଲ୍ଲୀ ଗାଁର ବି ମୋହନ ବୋଲି ଜଣାପଡିଛି ।
ଗତ ୧୧ ତାରିଖ ରାତିରେ ମୋହନ ଗୋବିନ୍ଦନଗରରେରେ ରହୁଥିବା ନିଜ ଶ୍ବଶୂର ଘରକୁ ଯାଇଥିବା ସହ ଗାଁରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ଏହି ସମୟରେ ମୋହନ ଏକ ଦୋକାନ ନିକଟରେ ଛିଡା ହୋଇଥିବାବେଳେ ୧୦ରୁ ଉର୍ଦ୍ଧ ଯୁବକ ସେଠାରେ ପହଂଚି ତାଙ୍କୁ ଠେଙ୍ଗା ଓ କାତି ଦ୍ଵାରା ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମୋହନ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ଖବର ପାଈ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଆହତ ମୋହନକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠେଇବା ସହ ତଦନ୍ତ ଆରମ୍ଭ କରିଥିଲେ । ଏ ନେଇ ଆହତ ମୋହନଙ୍କ ପିତା ବି.ଟଙ୍କିଆ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନଂ ୪୦୮/୨୪ ରେ ଏକ ମାମଲା ରୁଜୁ କରିବା ସହ ସୁଦାମ, ଶିବା ଓ ଡିଲେସୁକୁ ଗିରଫ କରି ଅଦାଲତ ଚାଲାଣ କରିଛି । ଏ ଘଟଣାରେ ଫେରାର ଥିବା ସମସ୍ତ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସ୍ୱାଇଁ ସୂଚନା ଦେଇଛନ୍ତି ।



