ଆଠଗଡ: ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ପାଟେଣୀଗାଁସ୍ଥିତ ସର୍ପେଶ୍ୱର ବିଦ୍ୟାପୀଠର ଜଣେ ଶିକ୍ଷକଙ୍କ ଅସ୍ଥାୟୀ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହା ପ୍ରତିବାଦରେ ଛାତ୍ରଛାତ୍ରୀ ମଙ୍ଗଳବାର ସ୍କୁଲ ଫାଟକରେ ତାଲା ପକାଇ ସମ୍ମୁଖରେ ଧାରଣା ଦେଇଥିଲେ।
ସୂଚନାଯୋଗ୍ୟ, ସର୍ପେଶ୍ୱର ବିଦ୍ୟାପୀଠର ଶିକ୍ଷକ ଯଯାତି ଜେନାଙ୍କୁ ଡେପୁଟେସନରେ ମେଘା ବିଶ୍ବେଶ୍ବର ପ୍ରୋଜେକ୍ଟ ହାଇସ୍କୁଲକୁ ସପ୍ତାହକୁ ୩ ଦିନ ଯାଇ ପଢାଇବାକୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଧାରଣାରେ ବସିବା ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ସୂଚନା ପାଇ ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିଆରସିସି ମାନସ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଏବଂ ଅସନ୍ତୋଷ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯିବ ବୋଲି ସିଆରସିସି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହାପରେ ଫାଟକରେ ତାଲା ଖୋଲାଯାଇ ଶିକ୍ଷାଦାନ ସ୍ବାଭାବିକ ହୋଇଥିଲା। ଏ ବିଷୟରେ ଆଠଗଡ ବ୍ଲକ ଶିକ୍ଷାଧିକାରୀ କବିରାଜ ଜେନାଙ୍କୁ ପଚାରିବାରୁ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ତାଙ୍କ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।



