ଆଠଗଡ: ଆଠଗଡ଼ ଥାନା ଅନ୍ତର୍ଗତ ଷୋଳଘରିଆ ଗ୍ରାମରେ ଭଡା ରହୁଥିବା ସୁନୀଲ କୁମାର ନନ୍ଦଙ୍କ ନାବାଳକ ପୁଅ ଓ ଝିଅଙ୍କୁ ସାବତ ମା ମାଡ ମାରି ଲହୁଲୁହାଣ କରିବା ଘଟଣା ପରେ ପୁଲିସ ସାବତ ମା ଓ ବାପାକୁ ଗିରଫ କରିଛି। ମାଡ ଓ ନିର୍ଯ୍ୟାତନା ଦେବା ଘଟଣାରେ ଦୁଇ ନାବାଳକଙ୍କ ଜନ୍ମକଲା ମାଆ ସୁହାସିନୀ ନନ୍ଦଙ୍କ ଏତଲାକୁ ଭିତ୍ତିକରି ଆଠଗଡ ପୁଲିସ ଥାନା କେଶ ନଂ ୨୩୩/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ସାବତ ମାଆ ଓ ବାପାକୁ ଗିରଫ କରିଛି।
ପ୍ରକାଶ ଯୋଗ୍ୟ ବାଙ୍କୀ ଥାନା ଅନ୍ତର୍ଗତ ପାଥପୁରର ସୁନୀଲ କୁମାର ନନ୍ଦ ୨୦୦୮ ରେ ଖୋର୍ଦ୍ଧା ଜିଲା ଚାନ୍ଦପୁରର ସୁହାସିନୀଙ୍କୁ ବୈଦିକ ରୀତିର ବିବାହ କରିଥିଲେ। ସେମାନଙ୍କର ୩ଟି ସନ୍ତାନ ଥିଲେ। ତାଙ୍କର ସଂସାର ଠିକ୍ ଥିବାବେଳେ ସୁନୀଲ ଦ୍ବିତୀୟ ପତ୍ନୀ ଗ୍ରହଣ କରିଥିଲେ। ସୁହାସିନୀ ଏହାକୁ ବିରୋଧ କରିବାରୁ ସୁନୀଲ ସୁହାସିନୀଙ୍କୁ ମରଣାନ୍ତକ ଆକ୍ରମଣ କରି ଵାପଘରକୁ ବିଦା କରିଦେଇଥିଲେ। ଏ ବିଷୟରେ ସୁହାସିନୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲାର ଚାନ୍ଦପୁର ଥାନାରେ ମାମଲା ଜାରି କରିଥିଲେ। ଅନ୍ୟ ପକ୍ଷରେ ସେମାନଙ୍କର ବିବାହ ବିଚ୍ଛେଦ ମାମଲା ମଧ୍ୟ ତାଲିଛି।
ସାନଝିଅ ସୁହାସିନୀଙ୍କ ପାଖରେ ଥିବାଵେଳେ ପୁଅ ଓ ବଡ଼ଝିଅ ବାପା ଓ ସାବତ ମାଆ ପାଖରେ ରହୁଥିଲେ। ବାପା ସୁନୀଲ ନିଜର ବୋଲେରୋ ଗାଡ଼ିରେ ଭଡା ନେଇ ବାହାରକୁ ଯାଉଥିବା ଵେଳେ ସାବତ ମାଆ ଶିଶୁ ଦୁଇ ଜଣଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ସୁହାସିନୀ ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଆଠଗଡ ଥାନାର ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ଶକୁନ୍ତଳା ଦାସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।



