ଆଠଗଡ: ବିଭିନ୍ନ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରୀ କରୁଥିବା ଏକ ଦଳ ଆଠଗଡ ପୁଲିସ ହାତରେ ଧରାପଡିଥିବା ଜଣାପଡିଛି। ମଙ୍ଗଳବାର ଭୋର ସମୟରେ ଆଠଗଡ ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବାବେଳେ ଜେନାପଦା ଜଙ୍ଗଲ ନିକଟରେ ଏକ ପିକଅପ ଭ୍ୟାନକୁ ଯାଞ୍ଚ କରିବା ସମୟରେ ସେଥିରେ ୪୮ଟି ମୋବାଇଲ ଟାୱାର ବ୍ୟାଟେରୀ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା।
ପୁଲିସ ଗାଡିରେ ଥିବା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଜୁଆପାଟଣା ଗ୍ରାମର କୈଳାସ ରାଉତଙ୍କ ପୁଅ ଶ୍ରୀକାନ୍ତ ରାଉତ ଓରଫ ଶୁକେଇ ଓ ଜଗତପୁର ଥାନା ଅନ୍ତର୍ଗତ ନିମପୁର ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ବାପିନା ନାୟକକୁ ପୁଲିସ ଅଟକ ରଖି ବ୍ୟାଟେରୀ କେଉଁଠାରୁ ଆଣିଲ ଏବଂ କେଉଁଆଡେ ନେଉଛ ବୋଲି ପଚାରିବାରେ ସେମାନେ କୌଣସି କାଗଜପତ୍ର ଦେଖାଇନପାରିବା ଏବଂ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡାଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଗିରଫ କରାଯାଇଥିଲା। ନରସିଂହପୁର ଆଡକୁ ଯାଉଥିବା ଏହି ଗାଡିରେ ଥିବା ବ୍ୟାଟେରୀ ଗୁଡିକ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତାରପୁର ଅଞ୍ଚଳରୁ ସେମାନେ ଚୋରୀ କରିଥିବା ନେଇ ସ୍ୱୀକାର କରିବା ପରେ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।



