ଆଠଗଡ ବନଖଣ୍ଡରେ ବନ୍ୟପ୍ରାଣୀ ବିପନ୍ନ

ବନସୁରକ୍ଷା ସମିତି ଅଚଳ,ଜନସଚେତନତା ଦିଗରେ ବିଭାଗର ନାହିଁ ଆନ୍ତରିକତା

ଆଠଗଡ/ଗୁରୁଡିଝାଟିଆ :  ସୁସ୍ଥ ପୃଥିବୀ ପାଇଁ ସବୁଜ ବନାନୀର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ । ଘଞ୍ଚ ଜଙ୍ଗଲ ଓ ଗହଳ ରହିଲେ ବନ୍ୟପ୍ରାଣୀ ଅବାଧ ବିଚରଣ କରିବା ସହ ବଂଶ ବିସ୍ତାର କରିଥାନ୍ତି । ଏହା ପଛରେ ବନ ସୁରକ୍ଷା ସମିତି ଓ ଜନସଚେତନତା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରତ୍ୟେକ ବନଖଣ୍ଡର ଜଙ୍ଗଲ ପାର୍ଶ୍ବର୍ତ୍ତି ଗ୍ରାମାମାନଙ୍କରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଅଭିବୃଦ୍ଧି ପାଇଁ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ବିଶ୍ୱ ପରିବେଶ ଦିବସ , ବନ୍ୟପ୍ରାଣୀ ଦିବସ, ବନମହୋତ୍ସବ ସପ୍ତାହ, ବଜ୍ରକାପ୍ତା ଦିବସ, ବିଶ୍ୱ ହସ୍ତୀ ଦିବସ ଆଦି ପାଳନ କରାଯାଇ ବିଦ୍ୟାର୍ଥୀ ଗାଁର ଜନସାଧାରଣ ଏବଂ ପରିବେଶବୀତଙ୍କୁ ସଂଶ୍ଲିଷ୍ଟ କରି ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ପ୍ରତି ନିଜର ଭାବ ସୃଷ୍ଟି କରିବା ଏହାର ପ୍ରଧାନ ଓ ପ୍ରଥମ ଲକ୍ଷ୍ୟ । ହେଲେ ଆଠଗଡ ବନଖଣ୍ଡରେ ବନସୁରକ୍ଷା ସମିତି ଏବେ ଅଚଳ ଅବସ୍ଥାରେ। ଜନସଚେତନତା ଆଦୌ ହେଉନାହିଁ । ଏହାଦ୍ୱାରା ଜନସାଧାରଣଙ୍କ ପରିବେଶ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ବ୍ୟବଧାନ ଦେଖାଦେଲାଣି । ବିଶେଷ କରି ବିଭାଗର ମୁଖିଆମାନଙ୍କ ଉଦାସୀନତା, ହେୟଜ୍ଞାନ ଓ ସାଧାରଣ ଜନତାଙ୍କ ପ୍ରତି ବିଶ୍ୱାସ ନକରିବା କାରଣ ପାଇଁ ଆଠଗଡରେ ଏବେ ବନ୍ୟପ୍ରାଣୀ ବିପନ୍ନ ବୋଲି ପରିବେଶବୀତ୍ ମାନେ ଚିନ୍ତା ପ୍ରକଟ କଲେଣି । ଅବାଧରେ ଶିକାରୀମାନେ ଜଙ୍ଗଲରେ ପଶି ଶିକାର କରି ମାଂସ ବାହାରକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି ।

prayash

ଯାହାର ଉଦାହରଣ ହେଉଛି ଗତ କିଛିମାସ ତଳେ ୫୫ ନଂ ଜାତୀୟ ରାଜପଥର ଭୋଗରା ଛକ ଠାରେ କିଛି ଶିକାରୀ ବାରାହା ମାଂସ ଶିକାର କରି ନେଉଥିବା ବେଳେ ସ୍ଥାନୀୟ ପୁଲିସକୁ ଦେଖି ପଳାଇଥିଲେ। ପୁଲିସ ବାରାହା ମାଂସକୁ ଜବତ କରି ଖୁଣ୍ଟୁଣୀ ବନବିଭାଗକୁ ପ୍ରଦାନ କରିଥିଲେ । ଏହାତ ନିମିତ୍ତ ମାତ୍ର । ବୁଧବାର, ଶୁକ୍ରବାର ଓ ରବିବାର ବାରାହା, ହରିଣ, କୁଟୁରା ଆଦିକୁ ଶିକାରୀମାନେ ଶିକାର କରି ବାହାରକୁ ଚୋରା ଚାଲାଣ କରୁଥିବାର ଅଭିଯୋଗ ହେଉଛି । ଆଠଗଡ ବନଖଣ୍ଡରେଐତିହ୍ୟପ୍ରାଣୀ ଐରାବତର ବଂଶଲୋପ ପାଇବା ଅବସ୍ଥାରେ । ସର୍ବାଧିକ ବଡମ୍ବା ବନାଞଚଳରେ ହାତୀ ଶିକାର ହେଉଛି। ଦାନ୍ତ କାଟି ଶିକାରୀମାନେ ନେଉଯାଉଥିଲେ ମଧ୍ୟ ବନବିଭାଗ ବହୁ ବିଳମ୍ବରେ ତାର ଟେର ପାଉଛି। ଏଥିରେ ବିଭାଗର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକ ସମୟରେ ହାତୀକୁ ମାରି ଦାନ୍ତ ନେବା ପରେ ହାତୀକୁ ପୋତିଦିଆଯାଉଥିବା ଘଟଣା ସମଗ୍ର ଭାରତବର୍ଷର ପରିବେଶବୀତଙ୍କ ହୃଦୟ ଦୋହଲାଇ ଦେଇଥିଲା । ହାତୀ ଶିକାର ଓ ମୃତ୍ୟୁରେ ବ୍ୟଥିତ ପରିବେଶବୀତ ମାନେ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ । ଏପରିକି ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖାର ସ୍ୱତନ୍ତ୍ର କାର୍ଯ୍ୟବଳ ହାତୀମାରି କଙ୍କାଳ ପୋତିବା ଘଟଣା ତଦନ୍ତ କରିଥିଲେ। ହେଲେ ଆଠଗଡ ବନଖଣ୍ଡରେ ହାତୀ ମରିବା ଥମୁନାହିଁ । ଗତ ୫-୬ମାସ ତଳେ ଖୁଣ୍ଟୁଣୀ ବନାଞ୍ଚଳର ମୋହରି ତଇଲା ନିକଟରେ ବିଦ୍ୟୁତ ଆଘାତରେ ଦନ୍ତାହାତୀକୁ ମାରିଦିଆଯାଇଥିଲା। ଏହାର କିଛିମାସ ପରେ ବଡମ୍ବା ବନାଞ୍ଚଳରେ ଶିକାରୀମାନେ ଦନ୍ତାହାତୀକୁ ମାରି ଦାନ୍ତ ଲୁଟିନେଇଥିଲେ। ସୋମବାର ବଡମ୍ବା ବନାଞ୍ଚଳରେ ପୁଣି ଏକ ଦନ୍ତାର ମୃତ୍ୟୁ ଘଟିଛି । ଏହି ଘଟଣାକୁ ଦେଖିଲେ ଆଠଗଡ ବନଖଣ୍ଡରେ ବନ୍ୟପ୍ରାଣୀ ସଂପୂର୍ଣ୍ଣ ବିପନ୍ନ । ବିଶେଷତଃ ହାତୀ ଜୀବନ ସଂକଟାପନ୍ନ ଅବସ୍ଥାରେ ଗତି କରୁଛି । କେତେବେଳେ ଶିକାରୀଙ୍କ ହାବୁଡରେ ପଡି କେଉଁ ହାତୀଙ୍କ ଜୀବନ ନଯିବ କିଏ ବା କହିବ । ବନ ବିଭାଗ ଯୋଜନାବଦ୍ଧ ଭାବରେ ହାତୀ ଶିକାରରେ ସଂଶ୍ଲିଷ୍ଟ ଶିକାରୀଙ୍କ ଗତିବିଧିକୁ ନଜରରେ ରଖି ସଠିକ୍ ଢଙ୍ଗରେ କାର୍ଯ୍ୟ ନକରିବା ଫଳରେ ଏଭଳି ହାତୀ ଶିକାର ଚାଲୁରହିଛି । କେହି କେହି ପରିବେଶବୀତ ବନବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନ ସୃଷ୍ଟି କରିଛନ୍ତି। ଗତ କିଛିମାସ ତଳେ ବଡମ୍ବାରେ ଶିକାରୀ ନାମରେ ଲୋକଙ୍କୁ ଉଠାଇ ଆଣି ନିଜ ହେପାଜତରେ ରଖି ମାଡ ମାରିବା ସମୟରେ ମାରିଦେବା ଘଟଣା ରାଜ୍ୟରେ ଚହଳ ପକାଇଥିଲା । ଏଥିରେ ବନଖଣ୍ଡ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ବହୁ ସାମାଜିକ ସଂଗଠନ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଜଙ୍ଗଲ ସୁରକ୍ଷା, ଅଭିବୃଦ୍ଧି ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ବନସୁରକ୍ଷା ସମିତି ଓ ଜନସହଭାଗୀତା ସାଙ୍ଗକୁ ସଚେତନତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକାରୀ ଜଙ୍ଗଲକୁ ଯିବା ପୂର୍ବରୁ ସ୍ଥାନୀୟ ବନସୁରକ୍ଷା ସମିତିର ସଦସ୍ୟମାନେ ବନବିଭାଗକୁ ଖବର ଦେଇଥାନ୍ତି । ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ଓ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ସହିତ ବିଭାଗ ସହ ମଧୁର ସଂପର୍କ ସୃଷ୍ଟି କରି ଜଙ୍ଗଲ ସଂପଦର ବିକାଶରେ ସ୍ତମ୍ଭ ପାଲଟିଥାନ୍ତି । କିନ୍ତୁ ଆଠଗଡ ବନଖଣ୍ଡରେ ବନସୁରକ୍ଷା ସମିତି ସଂପୂର୍ଣ୍ଣ ଅଚଳ ହୋଇପଡିଛି । ଯାହାଦ୍ୱାରା କି ଶିକାର ବୃଦ୍ଧି ପାଉଛି । ଏପରିକି ଯୁବପିଢି ଓ ଗାଁର ଜନସାଧାରଣଙ୍କ ଭିତରେ ଜଙ୍ଗଲ ଓ ପରିବେଶ ପ୍ରୀତିକୁ ଉଜଜୀବିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆଦୌ କରାଯାଉନାହିଁ। ଏ ସଂପର୍କରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ତଥା ଅବସରପ୍ରାପ୍ତ ଜଜ୍ ଚିତ୍ତ ରଞ୍ଜନ ଦାଶ କହିଥିଲେ ବନ୍ୟପ୍ରାଣୀ ଓ ବନ୍ୟ ସଂପଦର ବିକାଶରେ ବନ ସୁରକ୍ଷା ସମିତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଆଠଗଡ ବନଖଣ୍ଡରେ ବନ ସୁରକ୍ଷା ସମିତିକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ନକରିବା ପଛରେ କି ରହସ୍ୟ ରହିଛି ବୁଝାପଡୁନାହିଁ । ଜନସଚେତନତା ଦ୍ୱାରା ଜଙ୍ଗଲପ୍ରତି ଜନସାଧାରଣଙ୍କ ଆତ୍ମିୟତାଭାବ ଅଧିକ ସୃଷ୍ଟି ହୋଇଥାଏ । ଯାହା ଏବେ ଆଠଗଡ ବନଖଣ୍ଡରେ ଦେଖାଯାଉନାହିଁ । ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ତଥା ଓରନ୍ଦା ବନ ସଂରକ୍ଷଣ ସମିତିର ପ୍ରାକ୍ତନ ସଭାପତି ଇଂ ପ୍ରତାପ ଚନ୍ଦ୍ର ସାମଲ କହିଥିଲେ ସତେ ଅବା ଆଠଗଡ ବନଖଣ୍ଡରେ ବନ ସୁରକ୍ଷା ସମିତିର କୌଣସି ଆବଶ୍ୟକତା ନାହିଁ । ଅଧିକାରୀମାନେ ସମିତିର କର୍ମକର୍ତ୍ତା ଓ ଗ୍ରାମବାସୀମାନଙ୍କ ସହିତ ସଂପର୍କ ରଖିବାକୁ ଚାହାଁନ୍ତି ନାହିଁ । ଯାହା ଫଳରେ ବନ୍ୟପ୍ରାଣୀ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି । ପରିବେଶବୀତ୍ ଅଭୟ କୁମାର ସାମଲ ଓ ଶ୍ରୀକର ଜେନା ଆଠଗଡ ବନବିଭାଗ ଓ ବନସୁରକ୍ଷା ସମିତି ଏବଂ ସାଧାରଣ ଜନତାଙ୍କ ସହିତ କୌଣସି ସଂପର୍କ ରଖିବାକୁ ଚାହାଁନ୍ତି ନାହିଁ । ପୂର୍ବରୁ କାର୍ଯ୍ୟରତ ବନଖଣ୍ଡ ଅଧିକାରୀମାନେ ବ୍ୟାପକ ସଚେତନତା ଓ ଜନ ସହଭାଗୀତା ଉପରେ ଗୁରୁତ୍ୱ ଦେଉଥିଲେ । ରାଜ୍ୟ ସରକାର ଗୋଷ୍ଠୀଗତ ସହଯୋଗ ଓ ସଂଶ୍ଲିଷ୍ଟତା ପାଇଁ ମୋ ସରକାର ଥିବା ବେଳେ ଆଠଗଡ ବନଖଣ୍ଡ ଅଧିକାରୀଙ୍କ ବିମୁଖତା ପଛରେ କି କାରଣ ତାହା ବୁଝା ପଡୁନାହିଁ ।

Comments are closed.