ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନର ଆଭାସୀ ଚିତ୍ର- ଅତାବିରା ମିନି ପାର୍କ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ୫୩ ନଂ ଜାତୀୟ ରାଜପଥ କଡରେ ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ପାର୍ଶ୍ଵରେ ୱାର୍ଡ ନଂ ୪ରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି ମିନି ପାର୍କ। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପଟି ୧୬ ଲକ୍ଷ ୨୧ ହଜାର ୮୧୨ ଟଙ୍କାର ବ୍ୟୟ ଅଟକଳରେ ୨୦୨୨/୨୩ ଆର୍ଥିକ ବର୍ଷରେ ତିଆରି ହୋଇଛି । ଅତାବିରା ପୌରାଞ୍ଚଳର ଜୟ ଗଣେଶ ସ୍ଵୟଂ ସହାୟକ ଗୋଷ୍ଠୀ ଅଧୀନରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିଲା । କନିଷ୍ଠ ଯନ୍ତ୍ରୀ ରାଜେଶ ଜେନା ଏହାର ନିର୍ମାଣ ଦାୟିତ୍ୱରେ ଥିବା ଜଣାପଡିଛି । ହେଲେ ଏହି ମିନି ପାର୍କଟିକୁ ଦେଖିଲେ ଜଣାପଡ଼ୁଛି ଏହାର ନିର୍ମାଣ କାର୍ଯ୍ୟ କେତେ ତତ୍ପରତାର ସହ କରାଯାଉଛି। ଏହା ପାର୍କ ତ ନୁହେଁ, ବରଂ ଜୁଆ ତଥା ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଛି । ଏଠାରେ ନିର୍ମାଣ ହୋଇଥିବା କବାଟ ବିହୀନ କୋଠରୀ ଦୁଇଟି ଅସାମାଜିକ କାର୍ଯ୍ୟ ପାଇଁ ବିଶେଷ ସୁବିଧା ସୁଯୋଗ ପ୍ରଦାନ କରୁଛି। ଏହା ବ୍ୟତୀତ ନିଛାଟିଆ ସ୍ଥାନ, ଚାରିଆଡ଼େ ଆବର୍ଜନାରେ ପରିପୂର୍ଣ୍ଣ । ପାଖରେ ରହିଛି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ । ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି । ବିଦ୍ୟାଳୟର ଖେଳ ପଡିଆକୁ ଆସିବା ପାଇଁ ରହିଥିବା ଗେଟ ଖୋଲିଲେ ମଦ ବୋତଲ ପଡ଼ିରହି ଥିବା ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀମାନେ ଏହି ଖେଳ ପଡ଼ିଆରେ ଖେଳୁଛନ୍ତି । ବ୍ଲକ ତଥା ଜିଲ୍ଲା ସ୍ତରୀୟ କାର୍ୟ୍ୟକ୍ରମ ମାନ ଏହି ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଛି । ତେଣୁ ବିଶେଷ କରି ଛାତ୍ରୀମାନଙ୍କ ପାଇଁ ଏହା ବିପଦର ଆଶଙ୍କା ହେଉଛି । କେବେ କେଉଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇ କିଛି ଅଘଟଣ ନ ଘଟିବ କିଏ କହିବ ? ଲକ୍ଷାଧିକ ଟଙ୍କା ର ପ୍ରକଳ୍ପ ଏଭଳି ଶୋଚନୀୟ ଭାବରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିବା ଏନଏସି କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟକୁ ଇଙ୍ଗିତ କରୁଛି । ଏହା ବ୍ୟତୀତ ଲକ୍ଷ ଲକ୍ଷ ଟଙ୍କାର ବାଲି, ଗେଟି ପଡ଼ିରହି ନଷ୍ଟ ହେଉଛି । ସରକାର କା ମାଲ ଦରିଆ ମେ ଡାଲ, ସରକାରୀ ଟଙ୍କାର କୌଣସି ମୂଲ୍ୟ ରହୁନି । ଏନଏସିର ଅବହେଳା ତଥା ଖାମ୍ ଖିଆଲି ମନୋଭାବ ଯୋଗୁଁ ଏଭଳି ସମସ୍ୟା ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ସମସ୍ୟା କୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କାର୍ୟ୍ୟ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି ।

Comments are closed.