ପେଶାରେ କୁଲି କାମ କରି ଜୀବିକା ଚଳାଉଥିବା ବନମାଳୀ ଯାଦୁଇ ହାତରେ ଆଙ୍କିଥାନ୍ତି ମନମହିଲା ଭଳି ଚିତ୍ର |

ନବରଙ୍ଗପୁର : ସୃଜନଶିଳ ମଣିଷ ପାଖରେ ଦାରିଦ୍ର କେବେ ପ୍ରତିବନ୍ଧକ ସାଜିପାରେନାହିଁ lଖଲାସି (କୁଲି )ହେଉଛି ତାଙ୍କର କାମ ବା ପେଶା , କିନ୍ତୁ ସେ ନିଜ ହାତରେ ଆଙ୍କିଥିବା ଚିତ୍ର ଦେଖିଲେ ଘଡ଼ିଏ ଅଟକି ଯିବେ ଆପଣ l ଆମେ କହୁଛୁ ନବରଙ୍ଗପୁର  ପୌରପାଳିକା ଅନ୍ତର୍ଗତ ଲହରା ସାହି  ସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଥିବା ବନମାଳୀ ସୁନା ଙ୍କ ସମ୍ପର୍କରେ l ହାତରେ ପେନସିଲ ଏବଂ ପାଖରେ ରଙ୍ଗତୁଳି ଧରିଲେ ସବୁ କିଛି ଭୁଲିଯାନ୍ତି l ହାତ ଚଳିଲେ ଜୀବନ୍ତ ହୋଇଉଠେ ଚିତ୍ର ସବୁ l ବସି ବସି ଆଙ୍କି ଦିଅନ୍ତି ଦେବାଦେବୀ, ମହାପୁରୁଷ, ମହିଳା, ଛୁଆ ଓ ପ୍ରକୃତି ର ଅବିକଳ ଚିତ୍ର l ମାଁ ଦୁର୍ଗା ହେଉ କି ଶିବ ହେଉ କିମ୍ବା ମଦର ଟେରେସା,ସବୁ ଚିତ୍ର ଗୁଡିକୁ ଅତି ନିଖୁଣ ଭାବେ ଆଙ୍କି ଦିଅନ୍ତି l ସେହିଭଳି ଜଣେ ମଣିଷ ର ପୁରା ଅବିକଳ ନକଲ ଚିତ୍ର ଆଙ୍କିବାକୁ ତାଙ୍କୁ ଲାଗିଥାଏ ମାତ୍ର 20 ରୁ 25 ମିନିଟ  l ତାଙ୍କ ତିଆରି  ଚିତ୍ର ଗୁଡିକୁ  ଦେଖିଲେ ଘଡ଼ିଏ ଚାହିଁବେ ଆପଣ l ସେହିଭଳି  ଚିତ୍ର ଆଙ୍କିବା ସହ ପରିବେଶ ପ୍ରକୃତି ପ୍ରେମୀ ହୋଇଥିବାରୁ ଘର ଅଗଣାରେ ବତଲ, ମୋଟର ସାଇକଲ ଟାୟାର, ଘମେଲା, ବାଲ୍ଟି ଇତ୍ୟାଦିରେ ବିଭିନ୍ନ ପ୍ରଜାତିର ଗଛ ଲଗାଇ ଦେଖା ରଖା ମଧ୍ୟ କରନ୍ତି ବନମାଳୀ ଓ ତାଙ୍କ ସାନ ପୁଅ ଡମ୍ବରୁ l ଘର ଟିଏ ନଥିବାରୁ ସେମାନଙ୍କୁ ରହିବାକୁ ତ୍ରିନାଥ ମନ୍ଦିର କମିଟି ଏକ ଘର ଦେଇଛି l ସେହି  ଏକ ବଖରା ବିଶିଷ୍ଟ ଘରର କାନ୍ଥ ଗୁଡିକରେ ଆଙ୍କା ଯାଇଥିବା ଚିତ୍ର ଗୁଡିକ ଦେଖିଲେ ନିଜର ଆଖି ଲାଖିଯାଇଥାଏ l ଏଥିସହ ବିଭିନ୍ନ ପର୍ବପର୍ବାଣି ସମୟରେ ବିଭିନ୍ନ ଦେବା ଦେବୀ ଙ୍କ ମୂର୍ତ୍ତି ମଧ୍ୟ ତିଆରି କରିଥାନ୍ତି ବନମାଳୀ l ନିଜେ କୁଲି (ଖଲାସି ) କାମ କଲେ ଘରେ ଚୁଲି ଲାଗେ l ଗାଁ ପରିବେଶ ର ଦାରିଦ୍ର ଭିତରେ ବଢ଼ିଛନ୍ତି ବନମାଳୀ l ପରିବାର କହିଲେ ନିଜେ ବନମାଳୀ, ସ୍ତ୍ରୀ ପଦ୍ମା , ଝିଅ ଓ ଦୁଇପୁଅ l ପେଟରେ ଦାନା ପଡ଼ିବାକୁ ନିଅଣ୍ଟ ହେବାରୁ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ କୁ ରାୟଗଡା ଜିଲ୍ଲାର ସଦର ମୁହକୁମା ସ୍ଥିତ ରୋହିତ ସାହିରେ ନିଜ ବାପା ମାଁ ଙ୍କ ପାଖରେ ଛାଡି ସାନ ପୁଅ ଡମ୍ବରୁ ସହ  ନିଜେ ବନମାଳୀ ତ୍ରିନାଥ ମନ୍ଦିର କମିଟି ଦେଇଥିବା ଗୋଟିଏ କୁଡ଼ିଆରେ ବସବାସ କରିରହୁଛନ୍ତି l ସକାଳୁ ନିଜର ଠେଲା ଗାଡି ଧରି ନବରଙ୍ଗପୁର ବସଷ୍ଟାଣ୍ଡ କୁ ଯାଇ ବସ ଗୁଡିକରେ ଆସୁଥିବା ସାମଗ୍ରୀ ଗୁଡିକ ଓଲ୍ହାଇ ଠେଲା ଗାଡି ମାଧ୍ୟମରେ ସାମଗ୍ରୀ ଗୁଡିକର ପ୍ରକୃତ ମାଲିକ ପାଖକୁ ଦେଇଥାନ୍ତି l ସେଥିରୁ ଯାହାକିଛି ରୋଜଗାର ମିଳେ ତାକୁ ନେଇ ପରିବାର ଚଳାନ୍ତି ବନମାଳୀ l ରୋଜଗାର ର କିଛି ଅର୍ଥ ଚିତ୍ର ଆଙ୍କିବା ପାଇଁ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ କିଣିଆଣି ଫୁରୁସତ ସମୟରେ ଚିତ୍ର ଆଙ୍କିଥାନ୍ତି l ଚଳିତ ବର୍ଷ କରୋନା ମହାମାରୀ ପାଇଁ ଲକଡାଉନ ହେବାରୁ ବନମାଳୀ ଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା l ଅନ୍ୟପଟେ ଚିତ୍ର ଆଙ୍କିବାକୁ ସରଞ୍ଜାମ ଗୁଡିକ ନଥିବାରୁ ତଳେ ବସି ଚିତ୍ର ଆଙ୍କୁଛନ୍ତି l ତେଣୁ, ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବନମାଳୀ l

Comments are closed.