ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର : କେନ୍ଦ୍ରକୁ ସୁପାରିସ

0

ଭୁବନେଶ୍ୱର : ଦୀର୍ଘଦିନର କଳ୍ପନା ଜଳ୍ପନା ପରେ ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍‍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଗ୍ରହଣ କରି ତାଙ୍କୁ କ୍ଲିନ୍‍ଚିଟ୍‍ ଦେଇଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ କୌଣସି ଦୁର୍ନୀତିଗ୍ରସ୍ତ ମାମଲା କିମ୍ବା ପ୍ରଶାସନିକ ବିଶୃଙ୍ଖଳା ଅଭିଯୋଗ ନଥିବା ପରିଲକ୍ଷିତ ହୋଇଛି। ତେଣୁ ରାଜ୍ୟ ସରକାର ଶ୍ରୀମତୀ ଷଡଙ୍ଗୀଙ୍କୁ ବୁଧବାର ସ୍ୱେଚ୍ଛାକୃତ ଅବସର ଦେବା ଲାଗି କେନ୍ଦ୍ରକୁ ସପାରିସ କରିଛନ୍ତି।
ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ରବୀନ୍ଦ୍ର କୁମାର ସାହୁ ବୁଧବାର ଭାରତ ସରକାରଙ୍କ କାର୍ମିିକ ମନ୍ତ୍ରାଳୟକୁ ପତ୍ରଲେଖି ଅବଗତ କରାଇଛନ୍ତି। ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ୧୯୯୪ ବ୍ୟାଚ୍‍ର ଆଇଏଏସ୍‍ ଅଧିକାରୀ ଶ୍ରୀମତୀ ଷଡ଼ଙ୍ଗୀ ଚାକିରିରୁ ଅବସର ନେବାପାଇଁ ସେପ୍ଟେମ୍ବର ୧୫ରେ ରାଜ୍ୟସରକାରଙ୍କୁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି ବିଭିନ୍ନ ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଥିଲା। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶ୍ରୀମତୀ ଷଡଙ୍ଗୀଙ୍କ ଚାକିରିକାଳରେ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ନଥିବା ପରିଲକ୍ଷିତ ହୋଇଛି। ସେହିପରି ତାଙ୍କ ବିରୋଧରେ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବା ପ୍ରୋସେଡିଂ ନାହିଁ ବୋଲି ଶ୍ରୀ ସାହୁ ମନ୍ତ୍ରାଳୟକୁ ଦର୍ଶାଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱେଚ୍ଛାକୃତ ଅବସର ନେଇ କ୍ଲିନ୍‍ଚିଟ୍‍ ମିଳିବା ପରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ ମୋର ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଉପରେ ବିଶ୍ୱାସ ରହିଥିଲା, ଏବଂ ଆଜି ମୋତେ କ୍ଲିୟରାନ୍‍ସ ମିଳିଛି। ଏବେ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ହିଁ ଶେଷ ନିଷ୍ପତ୍ତି ନେବ। ତେବେ ଏହି ସ୍ୱେଚ୍ଛାକୃତ ଅବସର ପଛରେ କିପ୍ରକାର ଉଦ୍ଦେଶ୍ୟ ରହିଛି ସେନେଇ ଶ୍ରୀମତୀ ଷଡଙ୍ଗୀ କୌଣସି ସ୍ପଷ୍ଟ କରି ନଥିଲେ ମଧ୍ୟ ଯଦି ଭାରତ ସରକାର ତାଙ୍କ ଅବସର ଆବେଦନକୁ ଗ୍ରହଣ କରନ୍ତି ତାହାହେଲେ ସେ ନିଶ୍ଚିତ ଭାବେ ରାଜନୀତିରେ ପାଦ ଦେବେ।
ଅନ୍ୟପକ୍ଷରେ ଅପରାଜିତା ଖୁବ୍‍ଶୀଘ୍ର କମଳ ଧରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାଯାଇଛି। ତେବେ ତାଙ୍କ ଭଳି ଜଣେ ଦକ୍ଷ ମହିଳା ପ୍ରଶାସକ କାହିଁକି ରାଜନୀତିକୁ ଆସିବାପାଇଁ ଚିନ୍ତା କଲେ ସେନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ପ୍ରଶାସକଙ୍କ ଗୋଟିଏ ନିର୍ଦେଶନାମାରେ ସାରା ଓଡ଼ିଶାରେ ଶାଢ଼ିର ରଙ୍ଗ ବଦଳି ଯାଇଥିଲା, ସେ ରାଜନୀତିର ପାଣିପାଗରେ କିଭଳି ନିଜର ଦକ୍ଷତା ଓ ସେବାକୁ ପ୍ରତିପାଦିତ କରିବେ ସେନେଇ ରାଜନୈତିକ ମହଲରେ ଉତ୍ସୁକତା ଦେଖାଦେଇଛି।

Leave A Reply