ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟରେ ପାରିବାରିକ ବିବାଦର ଆପୋସ ସମାଧାନ ପାଇଁ ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ପୀଠ ନିର୍ଦେଶ ଜାରି କରିଛନ୍ତି। ପୂଜା ଛୁଟି ପରେ ଉଭୟଙ୍କ ସହମତିରେ ଆଲୋଚନା ପାଇଁ ଦିନ ସ୍ଥିର କରାଯିବ ବୋଲି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮କୁ ଧାର୍ଯ୍ୟ ହୋଇଛି। ଦିଲ୍ଲୀର ପାଟିଆଲା ହାଉସ ପାରିବାରିକ ଅଦାଲତରେ ବିଚାରାଧୀନ ବିବାହ ବିଚ୍ଛେଦ ମାମଲା କଟକକୁ ସ୍ଥାନାନ୍ତର କରିବା ନିମନ୍ତେ ବର୍ଷାଙ୍କ ତରଫରୁ ଆଗତ ମାମଲାର ପ୍ରଥମ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଚାରପତି ରାୟ ଦର୍ଶାଇଥିଲେ ଯେ ଉଭୟ ପତିପତ୍ନୀଙ୍କ ସାମାଜିକ ପ୍ରତିଷ୍ଠା ରହିଛି ଏବଂ ଅନୁଭବ ମହାନ୍ତି ଜଣେ ସାଂସଦ ହୋଇଥିବାରୁ ଆଲୋଚନା ମାଧ୍ୟମରେ ବିବାଦ ସାମାଧାନ କରାଯିବା ଆବଶ୍ୟକ। ତେବେ ମାମଲା ସ୍ଥାନାନ୍ତର ପିଟିସନକୁ ଶୁଣାଣି ବେଳେ ବିରୋଧ କରିଥିଲେ ଅନୁଭବଙ୍କ ଓକିଲ। କୋର୍ଟଙ୍କୁ ଜଣାଇଥିଲେ ଯେ ଦିଲ୍ଲୀରେ ମାମଲାର ବିଚାର ପାଇଁ ପ୍ରତିପକ୍ଷ ବର୍ଷାଙ୍କ ଯିବାଆସିବା ବାବଦ ବିମାନ ଟିକଟ ଖର୍ଚ୍ଚ ଅନୁଭବ ମହାନ୍ତି ଦେବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ଏବେ ସେଭଳି ସ୍ଥିତି ଆସିନାହିଁ ବୋଲି ବିଚାରପତି ରାୟ ଟିପ୍ପଣି କରିଥିଲେ।
Popular Categories



