www.samajalive.in
Monday, December 8, 2025
24.1 C
Bhubaneswar

ଅଙ୍ଗନବାଡି କର୍ମୀ ଶାନ୍ତିଲତା ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ, ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ପ୍ରଶଂସା

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଯେତେବେଳେ ସାରା ବିଶ୍ୱ ଆତଙ୍କିତ, ସମସ୍ତଙ୍କୁ ଘରେ ରହିବା ନିମନ୍ତେ ପରାମର୍ଶ ଦିଆଯାଉଛି ସେତିକିବେଳେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଜଣେ କ୍ଷେତ୍ର କର୍ମକର୍ତ୍ତାଙ୍କ କର୍ତ୍ତବ୍ୟନିଷ୍ଠା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ତାଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଦାୟିତ୍ୱ ନିର୍ବାହ ପାଇଁ ସେ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଏବଂ ଆଦରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିଜର ବ୍ୟକ୍ତିଗତ ଦୁଃଖ ଏବଂ ସମସ୍ୟାକୁ ପଛରେ ପକାଇ ସେ ଯେଭଳି ଭାବେ ନିଜ ଅଞ୍ଚଳବାସୀଙ୍କ ନିରବରେ ସେବା କରି ଚାଲିଛନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରୁ ପ୍ରଶଂସା ସାଉଁଟିଛନ୍ତି। ସେ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍‌ର ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳ ଧୋବିଘାଟ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଶାନ୍ତିଲତା ମାଝୀ । ଏହି ଅନୁସୂଚିତ ଜନଜାତି ମହିଳାଙ୍କ ବୟସ ୬୦ ବର୍ଷ । ୪ଟି ପୁଅ ଏବଂ ତିନି ଝିଅଙ୍କୁ ନେଇ ତାଙ୍କର ପରିବାର। ସ୍ୱଳ୍ପ ଜମିରେ ଚାଷବାସ ହିଁ ତାଙ୍କ ପରିବାରର ଏକମାତ୍ର ଜୀବିକା। ଝିଅମାନେ ଏବଂ ଗୋଟିଏ ପୁଅ ବାହା ହୋଇସାରିଛନ୍ତି।

ବୋଡେନ୍‌ ବ୍ଲକ୍‌ ହେଉଛି ଜିଲ୍ଲାର ସବୁଠାରୁ ଉଚ୍ଚତାରେ ଥିବା ଏକ ବିପଦସଂକୁଳ ଅଞ୍ଚଳ। ଶାନ୍ତିଲତାଙ୍କ ନିଜ ଗାଁ ସହଜପାଣିରୁ ଧୋବିଘାଟ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା ୩ କିମିରୁ ଊର୍ଦ୍ଧ୍ୱ। ଆଖପାଖରେ କୌଣସି ଜନବସତି, ଦୋକାନବଜାର ନାହିଁ। ଗାଁରେ ୫୬ ଟି ପରିବାରରେ ସ୍ତ୍ରୀପୁରୁଷ ମିଶି ପ୍ରାୟ ୨୩୦ ଜଣ ବାସ କରନ୍ତି। ଅଙ୍ଗନବାଡି କେନ୍ଦ୍ରରେ ପାଖାପାଖି ୨୨ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି। ଗାଁରେ ପ୍ରାୟ ୫ ଜଣ ଗର୍ଭବତୀ ମହିଳା ଏବଂ ୧୦ ଜଣ ପ୍ରସୂତୀ ମହିଳା ଅଛନ୍ତି।
ପାଦରେ ଚାଲି ଚାଲି ଶାନ୍ତିଲତା ଘରକୁ ଘର ପହଞ୍ଚି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶୁଖିଲା ରାସନ ବଣ୍ଟନ କରୁଛନ୍ତି। ବଣ୍ଟନ କାର୍ଯ୍ୟରେ ତାଙ୍କ ନାତି ତାଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ଗାଁ ପାଖରେ ମଧ୍ୟ କୌଣସି ଜନବସତି ନାହିଁ। ଅତିରିକ୍ତ ପୁଷ୍ଟିସାଧନ ପାଇଁ ରାଜ୍ୟ ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ଏ ଅଞ୍ଚଳ ପାଇଁ ଶାନ୍ତିଲତା ଜଣେ ମାତ୍ର ଅଙ୍ଗନବାଡ଼ି କର୍ମୀ। ନିକଟରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି। ପରିବାରରେ ମଧ୍ୟ ଅନେକ ସମସ୍ୟା ରହିଛି। କିନ୍ତୁ ନିଜର ସମସ୍ତ ବ୍ୟକ୍ତିଗତ ସମସ୍ୟାକୁ ପଛରେ ପକାଇ ସେ ଲୋକଙ୍କ ନିକଟରେ ପହଞ୍ଚିବାକୁ ତାଙ୍କର ପରମ କର୍ତ୍ତବ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ନିୟମିତ ଭାବେ ଟୀକାକରଣ, ମମତା ଦିବସ ପାଳନ ସହ ଅଙ୍ଗନବାଡ଼ିର ସମସ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। କୋଭିଡ୍‌ ସଚେତନତା ସୃଷ୍ଟି କରୁଛନ୍ତି। ସେ ଅଞ୍ଚଳରେ ସରକାରୀ ଦାୟିତ୍ୱରେ ଆସୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ଯଥାସାଧ୍ୟ ସହଯୋଗ କରିବା ସହ ସେମାନଙ୍କୁ ନିଜ ଅଞ୍ଚଳର ଭୌଗୋଳିକ ସ୍ଥିତି ଆଧାରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଛନ୍ତି। ୧୯୮୬ ମସିହାରୁ ଅଙ୍ଗନବାଡ଼ି କର୍ମୀ ଭାବେ ୩୫ ବର୍ଷଧରି ନିରବଚ୍ଛିନ୍ନ ଭାବେ ସେ ଜଣେ କର୍ତ୍ତବ୍ୟପରାୟଣ, ପରିଶ୍ରମୀ କାର୍ଯ୍ୟକର୍ତ୍ତା ଭାବେ ସେବା ପ୍ରଦାନ କରିଆସୁଛନ୍ତି।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶାନ୍ତିଲତାଙ୍କ ଏହି ଉତ୍ସର୍ଗୀକୃତ କର୍ତ୍ତବ୍ୟପରାୟଣତାକୁ ପ୍ରଶଂସା କରି କହିଛନ୍ତି ଶାନ୍ତିଲତାଙ୍କ ପରି ଶହ ଶହ ଅଙ୍ଗନବାଡ଼ି କର୍ମୀ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି କୋଭିଡ୍‌-୧୯ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ରାଜ୍ୟରେ ବିକାଶ ପ୍ରକ୍ରିୟାର ଦୁଇଟି ପ୍ରମୁଖ ଅଙ୍ଗ ମା’ ଏବଂ ଶିଶୁମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଓ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପହଞ୍ଚିପାରିଛି। ଶାନ୍ତିଲତାଙ୍କ ଉଦାହରଣ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରୁ ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories