ବଜେଟ୍ ଅଧିବେଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଲେ ସରକାର

ଡେସ୍କ: ବଜେଟ୍ ଅଧିବେଶନ ପୂର୍ବରୁ ସଂସଦ ଭବନ ପରିସରରେ ଆଜି ସର୍ବଦଳୀୟ ବୈଠକରେ ସରକାର ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର କେନ୍ଦ୍ର ସରକାର ଏହି ବୈଠକ ଡାକିଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଆସନ୍ତାକାଲି ବଜେଟ୍ ଅଧିବେଶନର ଉଦଘାଟନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶନିବାର କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ।

ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବା ପରେ ବଜେଟ୍ ଉପରେ ଆଲୋଚନା ହେବ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ବଜେଟ୍ ଉପରେ ଆଲୋଚନା ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଛୁଟି ପରେ ମାର୍ଚ୍ଚ ୧୦ରେ ପୁଣି ଥରେ ବଜେଟ ଅଧିବେଶନ ଆରମ୍ଭ ହେବ। ସେ କହିଛନ୍ତି ଯେ ଗୃହରେ ପୂର୍ବରୁ ୧୬ଟି ବିଲ୍ ତାଲିକାଭୁକ୍ତ ହୋଇଛି। ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବାକୁ ଥିବାରୁ ସେହିଦିନ ସଂସଦ ଚାଲିବ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭାରେ ଗୃହର ଉପନେତା ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ତଥା ରାଜ୍ୟସଭା ଗୃହ ନେତା ଜେପି ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କଂଗ୍ରେସ ସାଂସଦ ଜୟରାମ ରମେଶ ଓ ଗୌରବ ଗୋଗୋଇ, ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ, ବିଜେଡି ସାଂସଦ ସସ୍ମିତ ପାତ୍ର, ଡିଏମକେ ସାଂସଦ ଟିଆର ବାଲୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.