କାବୁଲ : ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। କାବୁଲସ୍ଥିତ ହମିଦ୍ କାରଜାଇ ବିମାନ ବନ୍ଦରରେ ଦୁଇଦିନ ତଳେ ଇସ୍ଲାମିକ୍ ଷ୍ଟେଟ୍-ଖୁରାସାନ (ଆଇଏସ-କେ) ଆତ୍ମଘାତୀ ବିସ୍ଫୋରଣ ଘଟାଇବା ପରେ ଆମେରିକା ଆରମ୍ଭ କରିଛି ଦୃଢ କାର୍ଯ୍ୟାନୁଷ୍ଠାନ। ଏହି ଆକ୍ରମଣରେ ନିୟୋଜିତ ଆଇଏସ ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ଉଡାଇବା ଆରମ୍ଭ କରିଛି। ଗତକାଲି ନଙ୍ଗାହାରରେ ଥିବା ଆଇଏସ ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ କରିଥିବାବେଳେ ଆଜି ବିମାନବନ୍ଦରରେ ଆକ୍ରମଣ କରିବା ଲାଗି ଆସୁଥିବାବେଳେ ଆଏସଏସ-କେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଆମେରିକା ସେନା ଡ୍ରୋନ ଆକ୍ରମଣରେ ନିପାତ କରିଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଆତ୍ମରକ୍ଷା କୌଶଳ ଆପଣା ଯାଇଛି। ଆମେରିକା ସେନାର ଏହି ଆକ୍ରମଣ ସମ୍ପର୍କରେ ତାଲିବାନ ମୁଖପାତ୍ର ସୂଚନା ଦେଇଛନ୍ତି। ମୁଖପାତ୍ର ଜଣଙ୍କ କହିଛନ୍ତି ଯେ, ଆତ୍ମଘାତୀଙ୍କୁ ନେଇ ବିମାନବନ୍ଦର ଅଭିମୁଖେ ଯାଉଥିବା ଏକ ବିସ୍ଫୋରକ ଭର୍ତ୍ତି ଗାଡି ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଛି। ବିମାନ ବନ୍ଦରରେ ଆତ୍ମଘାତୀ ଆକ୍ରମଣ ରୋକିବା ଓ ବ୍ୟାପକ ଜୀବନର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଆମେରିକା। ତେବେ ଏହି ବିସ୍ଫୋରଣରେ ୨ ଜଣ ନାଗରିକଙ୍କ ମୃତ୍ୟୁ ସହ ୩ ଜଣ ଆହତ ହୋଇଥିବା ଜଣାପଡିଛି। ବିସ୍ଫୋରକ ଭର୍ତ୍ତି ଗାଡି ଉପରେ ଏଭଳି ଆକ୍ରମଣ ହୋଇଥିବାରୁ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ପ୍ରଥମେ ଏହା ଆଇଏସ-କେ ଦ୍ବାରା ରକେଟ୍ ମାଡ ବୋଲି କୁହାଯାଉଥିଲା। ମାତ୍ର ପରେ ଏହାକୁ ତାଲିବାନ ଓ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ସ୍ପଷ୍ଟ କରିଛି। ଆଇଏସ-କେ ଉପରେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ଆମେରିକାର ଦ୍ବିତୀୟ ଡ୍ରୋନ୍ ଆକ୍ରମଣ। ଦୁଇଦିନ ତଳେ କାବୁଲ ବିମାନ ବନ୍ଦରରେ ଆଇଏସ-କେ ଆତ୍ମଘାତୀ ଆକ୍ରମଣରେ ୨୦୦ ନିରୀହ ନାରଗରିକଙ୍କ ମୃତ୍ୟୁ ସହ ୧୩ ଜଣ ଆମେରିକୀ ସୈନ୍ୟ ମଧ୍ୟ ମୃତ୍ୟୁବରଣ କରିଥିଲେ।
ପେଣ୍ଟାଗନ କହିଛି ଆମେରିକା ସେନା ଏହାର ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରିଛି। ଗାଡିରେ ଆତ୍ମଘାତୀଙ୍କ ସହିତ ବିସ୍ଫୋରକ ଭର୍ତ୍ତି ଥିବାରୁ ଏହା ବିସ୍ଫୋରଣ ହୋଇଛି। ଗୁରୁବାର ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଆମେରିକା କହିଥିବାବେଳେ ଏପରି ପ୍ରତି ଆକ୍ରମଣ କରିଛି। ଶନିବାର ମଧ୍ୟ ଆମେରିକା ସେନା ଆଇଏସ୍-କେର ଆଡ୍ଡା ଉପରେ ବିମାନ ଆକ୍ରମଣ କରିଥିଲା। ଶନିବାର ନାଙ୍ଗାହାର ପ୍ରଦେଶରେ ଆମେରିକା ବିମାନ ଆକ୍ରମଣରେ ଆଇଏସ୍-କେର ଦୁଇ ନେତା ପ୍ରାଣ ହରାଇଥିଲେ। ଆଫଗାନିସ୍ତାନରୁ ଆମେରିକା ତାର ସୈନ୍ୟ ଅପସାରଣ ପାଇଁ ଅଗଷ୍ଟ ୩୧କୁ ଶେଷ ଦିନ ଧାର୍ଯ୍ୟ କରିଥିବାବେଳେ ଏପରି ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକା କହିଛି ଯେ ଧାର୍ଯ୍ୟ ସମୟ ଅଗଷ୍ଟ ୩୧ ପର୍ଯ୍ୟନ୍ତ କାବୁଲରୁ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିବ। ତେବେ ଏଥିରେ ଅଙ୍କୁଶ ଲଗାଇବା ଓ ଆମେରିକା ସୈନ୍ୟଙ୍କୁ ଅଧିକ ସଂଖ୍ୟାରେ କ୍ଷତି ପହଞ୍ଚାଇବା ପାଇଁ ଆଇଏସ-କେ ବିମାନ ବନ୍ଦରକୁ ନିଶାଣ କରିଛି। ଆଫଗାନିସ୍ତାନରୁ ଆମେରିକା ଓ ଏହାର ମିତ୍ର ସେନା ପ୍ରତ୍ୟାହୃତ ହୋଇଥିବାବେଳେ କେବଳ କାବୁଲ ବିମାନ ବନ୍ଦରରେ ୬ ହଜାର ସୈନ୍ୟ ରହି ଫସି ରହିଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରୁଛନ୍ତି। ୩୧ ତାରିଖ ସୁଦ୍ଧା ଏହି ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ତାଲିବାନ ପକ୍ଷରୁ ଆମେରିକାକୁ ସମୟ ଦିଆଯାଇଛି। ଏଭଳିସ୍ଥିତିରେ ଆଇଏସ-କେ ମାର୍କିନ ସେନା ବିରୋଧରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ନେଇ ଆମେରିକା ଗୁଇନ୍ଦା ବିଭାଗ ସତର୍କ କରାଇଛି। ଏହା ଭିତରେ ଆମେରିକା ମଧ୍ୟ ଆଇଏସ-କେର ଗୋପନ ଆଡ୍ଡା ଉପରେ ଗୋଟିଏ ପରେ ଗୋଟିଏ ବୋମାମାଡ଼ କରିଚାଲିଛି। ଆଗାମୀ ଦୁଇଦିନ ସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା ରହିଛି।
ଅନ୍ୟପକ୍ଷରେ ଆମେରିକାର ଏଭଳି ପ୍ରତିଶୋଧମୂଳକ ଆକ୍ରମଣକୁ ନେଇ ତାଲିବାନମାନେ ବିଚଳିତ ହୋଇପଡିଛନ୍ତି। ରବିବାର ଆକ୍ରମଣ ପରେ ତାଲିବାନ କହିଛି ଯେ ଅଗଷ୍ଟ ୩୧ ପରେ ଆମେରିକା ଆଫଗାନିସ୍ତାନରେ କୌଣସି ଆକ୍ରମଣ କରିପାରିବ ନାହିଁ। ତାଲିବାନ ସରକାର ମୁଖପାତ୍ର ସୁହେଳଲ ସାହିନ କହିଛନ୍ତି ଯେ ଆଫଗାନିସ୍ତାନ ଉପରେ କୌଣସି ପ୍ରକାର ଆକ୍ରମଣକୁ ଏହା ପ୍ରତିରୋଧ କରିବାକୁ ସକ୍ଷମ। ସେହିପରି ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ରବିବାର ଆମେରିକା ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ସୂଚନାଯୋଗ୍ୟ ଅଗଷ୍ଟ ୧୫ରେ ତାଲିବାନମାନେ କାବୁଲ ଦଖଲ କରିବା ପରେ ଦେଶରେ ନିର୍ବାଚିତ ସରକାରର ପତନ ହୋଇଥିଲା। ରାଷ୍ଟ୍ରପତି ଅସ୍ରଫ ଘନି ଦେଶ ଛାଡି ସଂଯୁକ୍ତ ଆରବ ଏମିରେଟ୍ସରେ ଶରଣ ନେଇଛନ୍ତି। ତାଲିବାନୀ ଶାସନ ଡରରେ ଏଠାରେ ଥିବା ବିଦେଶୀ ନାଗରିକ ଓ ଆଫଗାନ ନାଗରିକ ଦେଶ ଛାଡିବା ଆରମ୍ଭ କରିଛନ୍ତି।
ଆଇଏସ୍-କେ ଉପରେ ଆମେରିକା ନେଲା ପୁଣି ପ୍ରତିଶୋଧ : ଆକ୍ରମଣ ପୂର୍ବରୁ ଧ୍ବଂସ
Popular Categories



