ପୁରୀ: ଏମାର ମଠରେ ଥିବା ଲାଇବ୍ରେରୀ ଭାଙ୍ଗିବାକୁ ନେଇ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଗତ କିଛି ଦିନ ପୂର୍ବେ ଲକ୍ଷାଧିକ ଟଙ୍କାରେ ରଘୁନନ୍ଦନ ଲାଇବ୍ରେରୀ ମରାମତି କରାଯାଇଥିଲା। ଏଥିପାଇଁ ସେ ପ୍ରଶାସନର ଅନୁମତି ମଧ୍ୟ ନେଇଥିଲେ । କିନ୍ତୁ ଏବେ ପ୍ରଶାସନ ନିଜ ଇଚ୍ଛାରେ ଲାଇବ୍ରେରୀ ଭାଙ୍ଗିଛି ବୋଲି ଏକ ବୈଦ୍ୟୁତିକ ଗରମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହନ୍ତ କହିଛନ୍ତି । ଏହା ସହ ମୌନ ବ୍ରତରେ ବସିଥିବା ପ୍ରସଙ୍ଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟ ଏମାର ମଠ ଉଚ୍ଛେଦ ବେଳେ ପ୍ରଶାସନ ଓ ମହନ୍ତ ମୁହାଁମୁହିଁ ହୋଇଥିଲେ । ଏମାର ମଠ ଉଚ୍ଛେଦ କାର୍ଯ୍ୟରେ ମହନ୍ତ ବାଧକ ସାଜିଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ମଠ ବାହାରେ ଲାଗିଥିବା ସିସିଟିଭି ଦେଖି ପରିସ୍ଥିତି ଉପରେ ନଜର ରଖାଯାଇ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ମହନ୍ତଙ୍କ ରହିବା ପାଇଁ ବରାଦ ମୁତାବକ ୩୫ ଫୁଟ୍ ଲମ୍ବ ଓ ୧୦ ଫୁଟ୍ ଚଉଡାର କଣ୍ଟେନର ଆସିଥିଲା। କିନ୍ତୁ କଣ୍ଟେନର ମଧ୍ୟକୁ ଯିବା ପାଇଁ ମହନ୍ତ ରାଜି ହୋଇନଥିଲେ । ଫଳରେ ମଠ ବାହାରେ ଉକ୍ତ କଣ୍ଟେନରକୁ ରଖାଯାଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଠ ଭିତରକୁ ଯିବା ପାଇଁ ପୁଲିସ ବାରଣ କରିଛି । କୌଣସି ଖବର ସଂଗ୍ରହ ବା ଫଟୋ ଉତ୍ତୋଳନ କରିବାକୁ ମଧ୍ୟ ବାରଣ କରାଯାଇଥିବା ସୂଚନା ମିଳିଥିଲା ।



