ପାଟଣା : ଭାରତୀୟ ସେନାବାହିନୀ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ପ୍ରମାଣ ମାଗିବା କ୍ଷେତ୍ରରେ କଂଗ୍ରେସ ଦଳର ଅଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ଯୋଗଗୁରୁ ବାବା ରାମଦେବ।
କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ସମେ ଯେଉଁମାନେ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି, ବାବା ରାମଦେବ ସେମାନଙ୍କୁ ବିଶ୍ବାସଘାତକ ବୋଲି କହିଛନ୍ତି । ସେନା ବାହିନୀ ତଥା ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇବା ଦେଶ ସହ ବିଶ୍ବାସଘାତକତା ବୋଲି ବାବା କହିଛନ୍ତି ।
ଏକ ଟିଭି କାର୍ଯ୍ୟକ୍ରମରେ ସାକ୍ଷାତକାର ଦେଇ ବାବା ରାମଦେବ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି । ପ୍ରମାଣ ମାଗିବା ଭଳି ବୟାନ ଦିଆଯାଉଥିବାରୁ ଏହା ଦ୍ବାରା ଦେଶର ଶତ୍ରୁଙ୍କୁ ସୁଯୋଗ ମିଳୁଛି ବୋଲି ସେ କହିଛନ୍ତି । ଏୟାର ଷ୍ଟ୍ରାଇକ ଉପରେ ପ୍ରମାଣ ମାଗିବା ପ୍ରଶ୍ନର ଉତ୍ତରରେ ବାବା ରାମଦେବ କହିଛନ୍ତି ଯେ, ସେନା ଓ ଇସ୍ରୋର ଯେଉଁ ରିପୋର୍ଟ ଆସିଛି, ସେହି ରିପୋର୍ଟରେ ଏୟାର ଷ୍ଟ୍ରାଇକ ହୋଇଥିବା ସ୍ଥାନରେ ୨୮୦ରୁ ଅଧିକ ମୋବାଇଲ ସକ୍ରିୟ ଥିବା କୁହାଯାଇଛି । ତେବେ ଏହି ମୋବାଇଲଗୁଡିକ କଣ ଗଛମାନେ ବ୍ୟବହାର କରୁଥିଲେ ବୋଲି ବାବା ପ୍ରଶ୍ନ କରିଛନ୍ତି।
ସାରା ବିଶ୍ୱ ଜାଣିଛି ଯେ ସେଠାରେ ଆତଙ୍କବାଦୀମାନଙ୍କର ପ୍ରଶିକ୍ଷଣ ଚାଲୁଥିଲା । ଭାରତରେ ଯେଉଁମାନେ ଏଭଳି ପ୍ରମାଣ ମାଗୁଛନ୍ତି ସେମାନେ ଦେଶ ସହିତ ବିଶ୍ବାସଘାତକତା କରୁଛନ୍ତି । ଯେତେବେଳେ ଯାଏ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ଭାବେ ନିପାତ କରା ନ ଯାଇଛି, ସେ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକ୍ରମଣ ଜାରି ରହିବା ଦରକାର ବୋଲି ବାବା ରାମଦେବ ମତ ଦେଇଛନ୍ତି।



