www.samajalive.in
Thursday, December 11, 2025
18.1 C
Bhubaneswar

ପୋଷ୍ୟ ଅରଣ୍ୟ ; ପରିବେଶ ସୁରକ୍ଷା ପାଇଁ ଯୁଗୋପଯୋଗୀ ପରିକଳ୍ପନା

ବଂଶ ବା କୁଳ ରକ୍ଷା, ସାମ୍ରାଜ୍ୟ ଓ ସମ୍ପତ୍ତିର ଉତ୍ତରାଧିକାର, ବାର୍ଦ୍ଧକ୍ୟାବସ୍ଥାରେ ସୁରକ୍ଷା କିମ୍ବା ସେଭଳି କୌଣସି କାରଣରୁ ନିଃସନ୍ତାନ ଦମ୍ପତି ପୋଷ୍ୟପୁତ୍ର ଗ୍ରହଣ କରିବାର ପରମ୍ପରା ପୌରାଣିକ ଓ ଐତିହାସିକ ଯୁଗରୁ ପ୍ରଚଳିତ। ସମୟର ପରିବର୍ତ୍ତନ ସହିତ ଏ କ୍ଷେତ୍ରରେ ଥିବା ଆଇନଗତ ଜଟିଳତା ଓ ପ୍ରତିବନ୍ଧକ ହଟାଇବା ପାଇଁ ସ୍ୱତନ୍ତ୍ର ଆଇନ ଓ ନୀତି ପ୍ରଣୀତ ହୋଇଛି। ଏବେ ଏହି ଧାରାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ କ୍ଷେତ୍ର ଯାହା ଆମ ଜୀବଜଗତ ଓ ଜୀବନଚର୍ଯ୍ୟା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରୟୋଗାତ୍ମକ ବା ବାସ୍ତବତା ଦୃଷ୍ଟିରୁ ଏହି ଦୁଇ କ୍ଷେତ୍ର ସମ୍ପୂର୍ଣ୍ଣ ଭିନ୍ନ ହେଲେ ମଧ୍ୟ ତାତ୍ତ୍ୱିକ ଚିନ୍ତା ଆଧାରରେ ଉଭୟଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବା ଲକ୍ଷ୍ୟ କରାଯାଇପାରିବ। ତାର୍କିକ ଚାତୁରୀରେ ଯଦି ଏହି ନୂଆ ଅବଧାରଣାକୁ ‘ପୋଷ୍ୟ ଅରଣ୍ୟ’ କୁହାଯାଏ ତେବେ ତାହା ଅଧିକ ଅସଂଗତ ହେବ ନାହିଁ। କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ ପାଇସାରିଥିବା ଜଙ୍ଗଲ ଉପଦେଷ୍ଟା ମଣ୍ଡଳୀର ଏଭଳି ଏକ ପ୍ରସ୍ତାବ ଖୁବ୍‍ ଶୀଘ୍ର ପରିବେଶ ବିକାଶରେ ଏକ ନୂଆ ଧାରା ସୃଷ୍ଟି କରିବାକୁ ଯାଉଛି। ଶିଳ୍ପାୟନ ନାମରେ ହେଉଥିବା ଜଙ୍ଗଲ ଅବକ୍ଷୟର କ୍ଷତିଭରଣାର ବିକଳ୍ପ ବ୍ୟବସ୍ଥା ଭାବରେ ଆରମ୍ଭ ହେବାକୁ ଯାଉଥିବା ଏହି ଧାରାରେ ପୋଷ୍ୟ ସନ୍ତାନ ଭାବେ ବିବେଚିତ ହେବେ ନବ-ବନୀକରଣ ପ୍ରକଳ୍ପ ଏବଂ ପୋଷ୍ୟ ଦମ୍ପତି ସାଜିବେ ଶିଳ୍ପପତି।
ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଅନୁଯାୟୀ, କୌଣସି ଜଙ୍ଗଲ ଜମିରେ ଖଣିଜ ଉତ୍ତୋଳନ କିମ୍ବା ଶିଳ୍ପାୟନ କରିବାକୁ ହେଲେ ସମ୍ପୃକ୍ତ ଶିଳ୍ପପତି ବା ଖଣି ଲିଜ୍‍ଧାରୀଙ୍କୁ ଜଙ୍ଗଲ ଜମିର ବର୍ତ୍ତମାନର ମୂଲ୍ୟ ପୈଠ ସହିତ ଜଙ୍ଗଲକ୍ଷୟ ବାବଦ କ୍ଷତିଭରଣା କରିବାକୁ ପଡ଼ିବ। କ୍ଷତିଭରଣା ବାବଦରେ ସମ୍ପୃକ୍ତ ଶିଳ୍ପପତି ବା ଲିଜ୍‍ଧାରୀ ଶିଳ୍ପାୟନ/ଖଣିଜ ଖନନ ପାଇଁ ଯେତିକି ପରିମାଣର ଜଙ୍ଗଲ ଜମି ବ୍ୟବହାର କରିବେ ତାହାର ଦୁଇଗୁଣ ଅଣ-ଜଙ୍ଗଲ ଜମି ଉକ୍ତ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳରେ ଚିହ୍ନଟ କରିବେ ଏବଂ ସେଥିରେ ଚାରାରୋପଣ ଲାଗି ଆବଶ୍ୟକ ଅର୍ଥରାଶି ପୈଠ କରିବେ। ଯେଉଁ ରାଜ୍ୟରେ ଖଣିଜ ଖନନ/ଶିଳ୍ପାୟନ ପ୍ରକଳ୍ପ ହେବାକୁ ଥିବ ସେହି ରାଜ୍ୟର ଜଙ୍ଗଲ ବିଭାଗ ଉକ୍ତ ଅର୍ଥରେ ଚିହ୍ନଟ ଜମିରେ ଚାରାରୋପଣ ଦାୟିତ୍ୱ ନିଜ ହାତକୁ ନେବେ। ଦୀର୍ଘ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟାର ସୁଫଳ ଆଗରେ କିନ୍ତୁ ଦୁଇଟି ଅସୁବିଧା ଦେଖାଦେଉଛି। ପ୍ରଥମତଃ, କିସମ ପରିବର୍ତ୍ତନ ହୋଇଥିବା ଜଙ୍ଗଲ ଜମିର ସମପରିମାଣ ସଂଲଗ୍ନ ଅଣ-ଜଙ୍ଗଲ ଜମି ମିଳିବା କଷ୍ଟକର ବ୍ୟାପାର ବୋଲି ଶିଳ୍ପପତି/ଖଣି ଲିଜ୍‍ଧାରୀମାନେ ଅଭିଯୋଗ କରି ଆସୁଛନ୍ତି। ଦ୍ୱିତୀୟତଃ, ବନୀକରଣ/ଚାରାରୋପଣ ପାଇଁ ପୈଠ ଅର୍ଥରାଶିର ସଠିକ୍‍ ଓ ସମୟୋପଯୋଗୀ ବିନିଯୋଗରେ ଆନ୍ତରିକତାର ଅଭାବ। ରାଜ୍ୟ ସରକାରମାନେ ଶିଳ୍ପ/ଖଣି ଅଞ୍ଚଳରେ ନୂତନ ବନୀକରଣ ପାଇଁ ଆଗ୍ରହ ପ୍ରକାଶ କରୁ ନଥିବାରୁ ବିଗତ ୧୦ ବର୍ଷ ଭିତରେ ଏ ବାବଦ ୫୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପାଖରେ ପଡ଼ି ରହିଛି।
ଏହି ସମସ୍ୟାର ସମାଧାନ ପାଇଁ ଶିଳ୍ପସଂସ୍ଥାଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଉପଦେଷ୍ଟା କମିଟି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରି ନେଇଛନ୍ତି। ‘ଗ୍ରୀନ୍‍ କ୍ରେଡିଟ୍‍ ସ୍କିମ୍‍’ ନାମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ଯେକୌଣସି ଘରୋଇ ସଂସ୍ଥା କିମ୍ବା ବେସରକାରୀ ଅନୁଷ୍ଠାନ କିମ୍ବା ସାମାଜିକ ଉନ୍ନୟନ ଗୋଷ୍ଠୀ ନିଜ ଉଦ୍ୟମରେ ଚାରାରୋପଣ କରିପାରିବେ। ଚାରାଗୁଡ଼ିକୁ ତିନି ବର୍ଷ ହେବା ପରେ ଉକ୍ତ ଜମି ‘କ୍ଷତିପୂରକ ଜଙ୍ଗଲ ଜମି’ ଭାବରେ ବିବେଚିତ ହୋଇପାରିବ। ଏହି ମାନ୍ୟତା ପାଇବା ପୂର୍ବରୁ ସମ୍ପୃକ୍ତ ରାଜ୍ୟ ବନ ବିଭାଗର କେତେକ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଜଙ୍ଗଲ ଜମିରେ ଶିଳ୍ପ ପ୍ରତିଷ୍ଠା କିମ୍ବା ଖଣିଜ ଖନନ ମଞ୍ଜୁରି ଲାଗି ଆବେଦନ କରିଥିବା ସଂସ୍ଥା/ବ୍ୟକ୍ତିବିଶେଷ ‘କ୍ଷତିପୂରକ ଜଙ୍ଗଲ ଜମି’ର ସମ୍ପୂର୍ଣ୍ଣ କିମ୍ବା ଏକ ଅଂଶକୁ(ଆବଶ୍ୟକ ଅନୁଯାୟୀ) ଉପରୋକ୍ତ ଘରୋଇ ସଂସ୍ଥା/ଅନୁଷ୍ଠାନମାନଙ୍କଠାରୁ କିଣି ରାଜ୍ୟ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବେ। ଏହାପରେ ଉକ୍ତ ଜମି ‘ଜଙ୍ଗଲ ଜମି’ ଭାବରେ ପଞ୍ଜିକୃତ ହେବ।
ପ୍ରାକୃତିକ ପରିବେଶ ଆଗରେ ଏବେ ‘ବିକାଶ’ ମୁଖ୍ୟ ସଙ୍କଟ ଭାବେ ଠିଆ ହୋଇଛି। ଶିଳ୍ପାୟନ ଓ ସହରୀକରଣ ଆଳରେ ବ୍ୟାପକ ବୃକ୍ଷଛେଦନ ଯୋଗୁଁ ଜଳବାୟୁରେ ଉଦ୍‍ବେଗଜନକ ଭାବେ ଅସ୍ୱାଭାବିକତା ଦେଖାଦେଇଛି। ପ୍ରଦୂଷଣରୁ ଆମ ପୃଥିବୀକୁ ଏବଂ ଆମେ ଆମ ନିଜକୁ ବଞ୍ଚାଇବାକୁ ହେଲେ ବୃକ୍ଷ ଛେଦନର ଦୁଇଗୁଣା ଚାରାରୋପଣ ନିହାତି ଅପରିହାର୍ଯ୍ୟ ବୋଲି ପରିବେଶବିତ୍‍ ଓ ବୈଜ୍ଞାନିକମାନେ ଚେତାବନୀ ଦେଇ ଆସୁଥିଲେ ମଧ୍ୟ ସେଥିପ୍ରତି ଆମେ ସଚେତନ ହୋଇପାରୁନାହୁଁ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ‘ଗ୍ରୀନ୍‍ କ୍ରେଡିଟ୍‍ ସ୍କିମ୍‍’ ଏକ ଯୁଗୋପଯୋଗୀ ଚିନ୍ତାଧାରା ବୋଲି କହିବାକୁ ହେବ। ଏଥିରେ ଅର୍ଥାଗମର ଆଶା ଅଧିକ ଥିବାରୁ ଗ୍ରାମ୍ୟ/ସାମାଜିକ ଗୋଷ୍ଠୀ କିମ୍ବା ବ୍ୟକ୍ତିବିଶେଷ ବନୀକରଣ ପ୍ରତି ଆଗ୍ରହୀ ହେବା ସ୍ୱାଭାବିକ, କିନ୍ତୁ ଅର୍ଥ ଲୋଭ ଆଳରେ ଯଦି କୃଷି ଜମିକୁ ‘ଗ୍ରୀନ୍‍ କ୍ରେଡିଟ୍‍ ସ୍କିମ୍‍’ ଦିଗରେ ବିନିଯୋଗ କରାଯାଏ ତେବେ ତାହା ଉତ୍କଟ ଖାଦ୍ୟ ସଙ୍କଟ ସୃଷ୍ଟି କରିବ। ସେହିପରି ଶୀଘ୍ର(ତିନି ବର୍ଷ) ‘କ୍ଷତିପୂରକ ଜମି’ ମାନ୍ୟତା ଆଶାରେ ୟୁକାଲିପଟାସ୍‍ ଜାତୀୟ ଚାରା ରୋପଣ ପ୍ରତି ଆଗ୍ରହ ବୃଦ୍ଧି ପାଇବ, ଯେଉଁଥିରେ ଭୂପୃଷ୍ଠ ଜଳସ୍ତର ପ୍ରତି ବିପଦ ଆଶଙ୍କା ରହିଛି। ‘ଗ୍ରୀନ୍‍ କ୍ରେଡିଟ୍‍ ସ୍କିମ୍‍’ କାଠ ମାଫିଆଙ୍କୁ ପ୍ରୋତ୍ସାହିତ କରିବାର ଆଶଙ୍କା ମଧ୍ୟ ଏଡ଼ାଇ ଦେଇ ହେଉନାହିଁ। ଏ ସମ୍ପର୍କିତ ନିୟମାବଳୀ ଓ ବିସ୍ତୃତ ବିବରଣୀ ପ୍ରକାଶ ପାଇ ନାହିଁ। ହୁଏତ ସେଥିରେ ଏହି ଆଶଙ୍କା ଦୂର କରିବା ପାଇଁ ବିଧିବ୍ୟବସ୍ଥା ଥାଇପାରେ। ଯୋଜନା ବାସ୍ତବବାଦୀ ହେଲେ ‘ପୋଷ୍ୟ ଅରଣ୍ୟ’ ପୃଥିବୀ ଓ ଜୀବଜଗତର ବଂଶ ରକ୍ଷାରେ ଉପାଦେୟ ସାବ୍ୟସ୍ତ ହେବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories