ଗୁରୁଡିଝାଟିଆ : ପୁଣି କ୍ଷୀର ଅପମିଶ୍ରଣର ଏକ ଘଟଣା ବୁଧବାର ସାମ୍ନାକୁ ଆସିଛି । କ୍ଷୀର ଅପମିଶ୍ରଣ ବେଳେ ପୁଲିସର ଚଢାଉ କରିଥିବା ବେଳେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଗୁରୁଡିଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ଏହି ଚଢାଉ କରାଯାଇଥିଲା। ପୂର୍ବାହ୍ନରେ ଗୁରୁଡିଝାଟିଆ ପୁଲିସ ଅପମିଶ୍ରଣ କରୁଥିବା କ୍ଷୀର ବୋଝେଇ ଟ୍ୟାଙ୍କରକୁ ଜବତ କରି ଥାନାକୁ ଆଣିଛି।
ପୁଲିସ ଅପମିଶ୍ରଣ କରୁଥିବା କ୍ଷୀର ବୋଝେଇ ଟ୍ୟାଙ୍କର ଓ ଏକ ଟାଟା ଏସି ଗାଡ଼ିରେ ବୋଝେଇ ହୋଇଥିବା ୫ଟି କ୍ଷୀର ଓ ରାସାୟନିକ ପଦାର୍ଥ ମିଶା ପାଣି ଜାରକୁ ଜବତ କରି ଥାନାକୁ ଆଣିଛି। କ୍ଷୀରରେ ଅପମିଶ୍ରିତ ହେଉଥିବା ଲୁଣ,ପାଣି ,ପାଉଡର ଓ ରାସାୟନିକ ପଦାର୍ଥ ମିଶା ପାଣିକୁ ମଧ୍ୟ ଜବତ କରିଛି। ଉକ୍ତ ଜବତ ପଦାର୍ଥକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପ୍ରେରଣ କରିଛି। ଅପମିଶ୍ରଣକାରି ଅଭିଯୁକ୍ତ ଓ କ୍ଷୀର ବୋଝେଇ ଟ୍ୟାଙ୍କର ଡ଼୍ରାଇଭର ଘଟଣାସ୍ଥଳରୁ ପଳାୟନ କରିଛନ୍ତି।
ପୁଲିସ ଏକ ଜବତ ଟ୍ୟାଙ୍କରରେ ପ୍ରାୟ ୨୫ ହଜାର ଲିଟର କ୍ଷୀର ରହିଛି। ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଜବତ କ୍ଷୀର ବୋଝେଇ ଟ୍ୟାଙ୍କରଟି ସମ୍ବଲପୁର ଜିଲ୍ଲାରୁ କଟକ ଅଭିମୁଖେ ଆସୁଥିଲା। ବାଟରେ ଗୁରୁଡିଝାଟିଆ ଥାନା ଅଞ୍ଚଳର କୁଷ୍ପଙ୍ଗି ନିକଟସ୍ଥ ୫୫ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ହୋଟେଲ ପଛରେ କ୍ଷୀର ବୋଝେଇ ଟ୍ୟାଙ୍କର ଅପମିଶ୍ରଣ କରୁଥିବା ନେଇ ସ୍ଥାନୀୟ ପୁଲିସର ଉପନିରୀକ୍ଷକ ତନୁଶ୍ରୀ ସାହୁ ଆଜି ଭୋର ରୁ ସୂଚନା ପାଇବା ପରେ ଚଢାଉ କରିଥିଲେ। କ୍ଷୀର ବୋଝେଇ ଟ୍ୟାଙ୍କରଟି ଓମଫେଡ କି ନାହିଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଓମଫେଡ କର୍ତ୍ତୃପକ୍ଷ ମନା କରିଥିବା ଜଣାଯାଇଛି। ଏବେ ପୁଲିସ ଅଧିକ ତଦନ୍ତ ଚଳାଇଛି ସ୍ଥାନୀୟ ଅଞ୍ଚଳର କିଏ ଏହି ଅପମିଶ୍ରଣରେ ସଂପୃକ୍ତ ଓ କେବେ ଠାରୁ ଚାଲୁ ରହିଛି। କ୍ଷୀର ନିର୍ଦ୍ଦିଷ୍ଟ ଭାବେ କେଉଁ କମ୍ପାନୀକୁ ଯାଉଥିଲା ତାହାର ତଦନ୍ତ କରାଯାଉଛି।
ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍, କାହାର ଦେଖାଦେବ ସମସ୍ୟା



