ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କହିବେ ତାହା କଳନା କରିବା ମୁସ୍କିଲ। ନିଜର ମନ୍ତବ୍ୟ ଏବଂ ଯୁକ୍ତି ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ପୁଣି ଥରେ ନିଜର ଖାମଖିଆଲି ମନ୍ତବ୍ୟ ପାଇଁ ଟ୍ରମ୍ପ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଆମେରିକା ଆଡକୁ ଆସୁଥିବା ବାତ୍ୟା ଉପରେ ପରମାଣୁ ବୋମା ପିଙ୍ଗିଦେବାକୁ ପରାମର୍ଶ ଦେଇଛନ୍ତି।
ଆମେରିକାର ଏକ ୱେବ୍ସାଇଟ୍ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକା ଆଡକୁ ମାଡ଼ି ଆସୁଥିବା ଭୟଙ୍କର ବାତ୍ୟା ‘ଏଲେକ୍ସ’ର ମୁକାବିଲା ପାଇଁ ଟ୍ରମ୍ପ ନିଜ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ। ଏହି ସମୟରେ ଟ୍ରମ୍ପ ଅଧିକାରୀମାନଙ୍କୁ କହିଥିଲେ ଯେ, ବାତ୍ୟା ଦେଶରେ ପହଞ୍ଚିବା ପୂର୍ବରୁ ଆମେ ତାହା ଉପରେ ପରମାଣୁ ବୋମା ପକାଇଦେବା। ଫଳରେ ତାହାର ଗତିପଥ ବଦଳିଯିବ ଏବଂ ଧିମା ହୋଇଯିବ। ବାତ୍ୟା ଆଉ ଆମେରିକା ମାଟିରେ ପହଞ୍ଚିପାରିବ ନାହିଁ। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏଥର ନୁହେଁ, ପୂର୍ବରୁ ମଧ୍ୟ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି ଏବଂ ଏହା ଉପରେ ଗବେଷଣା କରିବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି।



