www.samajalive.in
Friday, December 12, 2025
23.1 C
Bhubaneswar

‘ଗୋପବନ୍ଧୁ ଓଡ଼ିଆ ଜାତିକୁ ନୂଆ ପରିଚୟ ଦେଇଛନ୍ତି’

ଉତ୍ତରଭୁବନେଶ୍ୱର  : ସାମାଜିକ ଦାୟିତ୍ବବୋଧ ଓ ସମାଜସେବାରେ ନିଜକୁ ସମର୍ପିତ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଆଗାମୀ ପିଢ଼ିକୁ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି ବୋଲି ବକ୍ତାମାନେ ମତ ଦେଇଛନ୍ତି।
‘ସମାଜ’ର ୧୦୦ବର୍ଷ ପାଳନ ଅବସରରେ ଗୁରୁବାର ବିଦ୍ୟାଭବନ ପରିସରରେ ଆୟୋଜିତ ‘ଗୋପବନ୍ଧୁଙ୍କ ଦୃଷ୍ଟିରେ ନାଗରିକ ଓ କର୍ତ୍ତବ୍ୟବୋଧ’ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଗୋପବନ୍ଧୁ ଭାରତୀୟ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଉତ୍କଳ ପ୍ରଦେଶର ସ୍ବତନ୍ତ୍ର ମାନ୍ୟତା ପାଇଁ ଯେଉଁ ଆନ୍ଦୋଳନ କରିଥିଲେ ତାହା ଆଜି ଓଡ଼ିଆ ଜାତିକୁ ପରିଚୟ ଦେଇଛି। ସେ ଧର୍ମନିରପେକ୍ଷତା ଓ ରାଷ୍ଟ୍ରବାଦ ଉପରେ ପ୍ରାଧାନ୍ୟ ଦେଇ ମଣିଷ ତିଆରି କାରଖାନା ଗଢ଼ିଥିଲେ। ମୁଖ୍ୟବକ୍ତା କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ କହିଥିଲେ, ‘ସମାଜ’ ଅନେକ ସଂଘର୍ଷକୁ ସାମ୍‌ନା କରି ୧୦୦ ବର୍ଷରେ ଉପନୀତ ହେବା ସହ ସମାଜକୁ ଦିଗ୍‌ଦର୍ଶନ ଦେଇ ଚାଲିଛି। ଭାରତୀୟ ଚେତନା ଓ ଉତ୍କଳୀୟ ଭାବନା ଆଜିର ନାଗରିକଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ସେ କହିଥିଲେ। ପ୍ରାକ୍ତନ ରାଜସ୍ବ ପର୍ଷଦ ସଦସ୍ୟ ଅରବିନ୍ଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତବର୍ଷର ସ୍ୱାଧୀନତା ସହିତ ଓଡ଼ିଶାର ମିଶ୍ରଣ ପାଇଁ ଗୋପବନ୍ଧୁ ଉଦ୍ୟମ କରିଥିବା କହିଥିଲେ। ପୂର୍ବତନ ସୂଚନା କମିସନର ତଥା ସିୱାଇଏସ୍‍ଡିର ପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ ଯେ, ଏବେ ନାଗରିକ ସମାଜ ପ୍ରତି ଥିବା ତା’ର କର୍ତ୍ତବ୍ୟ ଓ ଦାୟିତ୍ୱକୁ ଭୁଲି ଯିବାକୁ ବସିଛି। ବିଭିନ୍ନ କ୍ଷେତ୍ରରେ ଦୁର୍ଜନମାନେ ଶାସନ କରୁଥିବାବେଳେ ସଜ୍ଜନମାନେ ନିରବ ରହିଛନ୍ତି। ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଅତ୍ୟାଚାର ବୃଦ୍ଧି ପାଉଛି। ଗୋପବନ୍ଧୁ ସେବା ଓ ସ୍ୱାଧୀନତା ପାଇଁ ଯେଉଁ ସଂକଳ୍ପ ଓ ଭାବନା ନେଇଥିଲେ ତାହା ଦେଖିଲେ ବାସ୍ତବିକ ସେ ସମାଜର ଜାଗ୍ରତ ପ୍ରହରୀ ଥିଲେ। ରାଜ୍ୟ ମହିଳା କମିସନର ପ୍ରାକ୍ତନ ସଦସ୍ୟା ନମ୍ରତା ଚଢ଼ା କହିଥିଲେ, ଆମେ ମାତୃଭୂମିକୁ ସମ୍ମାନ ଦେଉଛେ କିନ୍ତୁ ମା’ମାନଙ୍କୁ ସମ୍ମାନ ଦେଉ ନାହୁଁ। ଏହା ଶୁଭଙ୍କର ନୁହଁ। ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶଚନ୍ଦ୍ର ମନ୍ତ୍ରୀ କହିଥିଲେ ଉତ୍କଳମଣି ସର୍ବଦା ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତାକୁ ପ୍ରାଧାନ୍ୟ ଦେଇ ସମାଜର ମଙ୍ଗଳ ଚେଷ୍ଟା କରୁଥିଲେ।

ଦ୍ୱିତୀୟ ଅଧିବେଶନ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇଥିଲେ। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟର ହନ୍ସା ମାହେଶ୍ୱରୀ ଓ ଅଭିନବ ଝା, ଓୟୁଏଟିର ସୌମ୍ୟା ସ୍ୱାଗତିକା ସ୍ୱାଇଁ ଓ ସୁଧୀର ଜେନା, ଆଇଆଇଏମ୍‍ସି ଢେଙ୍କାନାଳର ସୋନାଲି ଏବଂ ରଜତ୍‍ ପଣ୍ଡା, ଡିଏଭି ସ୍କୁଲ ଅଫ ବିଜିନେସ୍‍ ମ୍ୟାନେଜମେଣ୍ଟର ଦିବ୍ୟଜ୍ୟୋତି ଓ ପଦ୍ମଜା କର, ରମାଦେବୀର ପ୍ରେରଣା ପାତ୍ର ଓ ମୋନାଲି ସାହୁ, ଓଡିଏମ୍‍ ପବ୍ଲିକ୍‍ ସ୍କୁଲର ଅଭିପ୍ସା ଶତପଥୀ ଓ ଅମ୍ରିତେଶ ଖଟୁଆ, ସାଇ ଇଣ୍ଟରନ୍ୟାସନାଲ୍‍ର ସଂସ୍କୃତି ପଟ୍ଟନାୟକ ଓ ଅନୁରାଗ ପଟ୍ଟନାୟକ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଅମ୍ରିତା ଆଇଏଙ୍ଗର ଓ ହର୍ଷିତା ବନ୍ଦାରୁ, କିସ୍‍ ବିଶ୍ୱବିଦ୍ୟାଳୟର ନିରଞ୍ଜନ ଲାକ୍ରା ଓ ପୂର୍ଣ୍ଣଚନ୍ଦ୍ର ଜାକାସିକା, ଉତ୍କଳ ବିଶ୍ୱବିଦ୍ୟାଳୟର ଶିବାନୀ ସିଂ ଓ ଦିଲୀପ୍‍ ମଲ୍ଲିକ୍‍, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶୁଭଶ୍ରୀ ପ୍ରଧାନ, ଡିଏଭି ପବ୍ଲିକ୍‍ ସ୍କୁଲ ଚନ୍ଦ୍ରଶେଖରପୁରର ସିମରନ୍‍ ସ୍ୱାଇଁ ଓ ଇପ୍‌ସିତା ଅଭିନନ୍ଦିତା, ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଶ୍ବରଞ୍ଜନ ମହାନ୍ତି ଓ ଶ୍ରୀୟା ପ୍ରିୟଦର୍ଶିନୀ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅରିଜିତ୍‍ ଶତପଥୀ ଓ ସୁମନ୍‍ ଦାସ, ଭାରତୀୟ ବିଦ୍ୟାଭବନର ରୋଜାଲିନ୍‍ ପରିଡ଼ା ଓ ହରିହର ଦାସ, ସୋଆ ବିଶ୍ୱବିଦ୍ୟାଳୟର ଆସ୍ଥା ମହାପାତ୍ର ଓ ବି. ରଘୁ ଯାଦବଙ୍କ ସମେତ ସ୍ୱେଚ୍ଛାସେବୀ ସତ୍ୟବ୍ରତ ପ୍ରଧାନ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏଥିରେ ଓୟୁଏଟି ପ୍ରଥମ, ରମାଦେବୀ ଦ୍ୱିତୀୟ, ସୋଆ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ଝାଡ଼ଖଣ୍ଡକୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡିଏମ୍‍ ପବ୍ଲିକ୍‍ ସ୍କୁଲ ପ୍ରଥମ, କିଟ୍‍ ଦ୍ୱିତୀୟ ଏବଂ ସାଇ ଇଣ୍ଟରନ୍ୟାସନାଲ୍‍ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା। ବିତର୍କରେ ଭାଗ ନେଇଥିବା ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲକୁ ମାନପତ୍ର ଓ ଉପଢୌକନ ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏଥିରେ ବିଚାରକ ଭାବେ ଅଲେଖ ଚନ୍ଦ୍ର ପଢ଼ିଆରୀ, ପ୍ରଫେସର ଅନୀତା ଦାସ ଏବଂ ସୁରେନ୍ଦ୍ର ଜେନା ଯୋଗ ଦେଇଥିଲେ। ଡିଏଭି ଚନ୍ଦ୍ରଶେଖରପୁର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ କଣ୍ଠଶିଳ୍ପୀ ଆନନ୍ଦିତା ଦାସ ଦେଶମାତୃକା ସଙ୍ଗୀତ ଗାନ କରିଥିଲେ।

- Advertisement -

ଶୁଭଶ୍ରୀ ପ୍ରଧାନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ‘ସମାଜ’ ପକ୍ଷରୁ ବିଜ୍ଞାପନ ପରିଚାଳକ ସଞ୍ଜୟ ମିଶ୍ର, ଭରତ ଦାସ, ବିନାୟକ ଶତପଥୀ, ସନ୍ଦୀପ ମହାପାତ୍ର, ସୁନିଲ୍‍ ଦାସ, ତାପସ ପତି, ସତ୍ୟସାଇ ବିଶ୍ୱାଳ, ଲଲାଟ ସାହୁ, ସ୍ୱସ୍ତି ସାହୁ, କ୍ଷୀରୋଦ ଲେଙ୍କା, ଯୋଗେଶ୍ୱର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିବାବେଳେ ମୁଖ୍ୟ ସଂଯୋଜକ ଶ୍ରୀ ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories