ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ସନ୍ଧ୍ୟା ୭.୩୦ ମିନିଟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତାଙ୍କୁ ସନ୍ଧ୍ୟା ୮.୧୫ ମିନିଟରେ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏକ ୫ ଜଣିଆ ଡାକ୍ତରୀ ଦଳ ସୁଷମାଙ୍କ ଚିକିତ୍ସା କରୁଥିଲେ। ତାଙ୍କୁ ଭେଟିବା ପାଇଁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏମ୍ସରେ ପହଞ୍ଚିଛନ୍ତି।
ଭାରତୀୟ ଜନତା ପାର୍ଟିର ଜଣେ ଲୋକପ୍ରିୟ ମହିଳା ନେତ୍ରୀ ଭାବରେ ଜଣାଶୁଣା ସୁଷମା ସ୍ୱରାଜ ଚଳିତ ଲୋକସଭା ନିର୍ବାଚନ ଲଢ଼ିନଥିଲେ। ୨୦୧୮ ନଭେମ୍ବରରେ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ନିର୍ବାଚନରେ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିଦେଶ ମନ୍ତ୍ରୀ ଭାବରେ ଦେଶର ପ୍ରତିଟି କୋଣ ଅନୁକୋଣରେ ସେ ପରିଚିତ ଥିଲେ। ବିଶେଷ କରି ବିଦେଶରେ କୌଣସି ଭାରତୀୟ ଅସୁବିଧାରେ ପଡୁଥିଲେ, ସୁଷମା ସ୍ୱରାଜ ନିଜେ ବ୍ୟକ୍ତିଗତ ସ୍ଥରରେ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରୁଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଷମା ସ୍ବରାଜଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରିଛନ୍ତି, ଭାରତୀୟ ରାଜନୀତିରେ ଏକ ଉଜ୍ଜଳମୟ ଅଧ୍ୟାୟର ପରିସମାପ୍ତି ଘଟିଲା। ଦେଶର ସବୁ ବର୍ଗର ଲୋକଙ୍କ ପାଇଁ ସୁଷମା ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କୋଟି କୋଟି ଜନତାଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ବିଦେଶ ମନ୍ତ୍ରାଳୟରେ ସୁଷମା ସ୍ବରାଜଙ୍କ କାର୍ଯ୍ୟ ଧାରା ଅବିସ୍ମରଣୀୟ। ସ୍ୱାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ସୁଷମା ବିଦେଶ ମନ୍ତ୍ରାଳୟକୁ ସାରା ବିଶ୍ୱରେ ଶ୍ରେଷ୍ଠ ଭାବେ ପ୍ରତିପାଦିତ କରିପାରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସୁଷମାଙ୍କ ପରଲୋକ ବ୍ୟକ୍ତିଗତ କ୍ଷତି ବୋଲି ଟ୍ୱିଟ କରିଛନ୍ତି।



