ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ଅଭିଯୋଗ

ପାଟଣ : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୬ବର୍ଷ ଧରି କାର୍ୟ୍ୟରତ ଜଣେ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ୟାତନା ଦେଇଥିବା ଗୁରୁବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ଦାସ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ମାନସିକ ଓ ଆବେଗିକ ନିର୍ୟାତନା ଦେଉଥିଲେ। ଗତ ୧୬ତାରିଖ କନିଷ୍ଠ ଶିକ୍ଷୟିତ୍ରୀ ଜଣଙ୍କ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସମାନ ଅଭିଯୋଗ କରି ତାଙ୍କୁ ନ୍ୟାୟ ମାଗିଥିବା ବେଳେ ବ୍ଲକ ଶିକ୍ଷା ବିଭାଗରୁ ତାଙ୍କୁ ନ୍ୟାୟ ନମିଳିବା ବେଳେ ଓଲଟି ତଦନ୍ତ ପାଇଁ ଯାଇଥିବା ଦୁଇ ଅଧିକାରୀ ତାଙ୍କ ପ୍ରତି ଖରାପ ଟିପ୍ପଣୀ କରିବା ପରେ ପ୍ରଧାନଶିକ୍ଷକଙ୍କ ଆଡୁ କନିଷ୍ଠ ଶିକ୍ଷୟିତ୍ରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେବା ଭଳି କାମ ଆରମ୍ଭ ହୋଇଥିଲା । ଗୁରୁବାର କିଛି ଲୋକ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି କରିବାକୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟଳୟକୁ ଆସିଥିବା ବେଳେ ମାନସିକ ନିର୍ୟାତନା ପାଇଥିବା ଶିକ୍ଷୟିତ୍ରୀ ଜଣଙ୍କ ତୁରୁମୁଙ୍ଗା ଥାନାକୁ ଯାଇ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏତାଲା ଦେଇଥିଲେ । ତୁରୁମୁଙ୍ଗା ଥାନା ସବ୍ଇନ୍ସପେକ୍ଟର ସୁଶିଳା ବାର୍ଲା ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିଛନ୍ତି । ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ଦାସଙ୍କ ବିରୋଧରେ ୩୪୧, ୩୫୪ଏ, ୩୫୪ ଡି, ୨୯୪, ୫୦୯, ୫୦୬ ଧାରାରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପୁଲିସ ନୋଟିସ ଜାରି କରି ଏନେଇ ପ୍ରଧାନଶିକ୍ଷକଙ୍କୁ ପଚରା ଉଚରା ଜାରି ରଖିଛି।

Comments are closed.