ବର୍ଷାରେ ଉବୁଟୁବୁ ମାଲକାନଗିରି – ଯୋଗାଯୋଗ ବିଛିନ୍ନ

- ଏମ୍‍.ଭି. ୧୧ ଓ କୋରୁକୋଣ୍ଡା ନାଳ ପୋଲରେ ୪ ଫୁଟ ପାଣି

ମାଲକାନଗିରି/କାଲିମେଳା: ତିନି ଦିନ ଧରି ମାଲକାନଗିରି ଜିଲାରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ମାଲକାନଗିରିରୁ କୋରୁକୋଣ୍ଡା ଯିବା ରାସ୍ତା ଏମ୍‍.ଭି. ୧୧ ଓ କୋରୁକୋଣ୍ଡା ନାଳ ଉପରେ ଥିବା ପୋଲରେ ୪ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ କାଲିମେଳାରୁ ମାଲକାନଗିରି ରାସ୍ତା ମଧ୍ୟରେ ଥିବା କାଙ୍ଗୁରୁକୋଣ୍ଡାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ତିନିଫୁଟ ଉଚ୍ଚରେ ଜଳସ୍ତର ପ୍ରବାହିତ ହେଉଛି। ଫଳରେ ଏହି ଦୁଇଟି ନାଳରେ ଜଳ ପ୍ରବାହିତ ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ସେହିପରି ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ କୋରୁକୋଣ୍ଡା ବ୍ଲକର ବହୁ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି। ସଦର ମହକୁମା ଠାରୁ ୧୦ କିଲୋମିଟର ଦୂରରେ ଥିବା ଚାଲାଣଗୁଡ଼ାରେ ଥିବା ତମସା ନଦୀ ପୋଲରେ ପ୍ରାୟ ୪ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେବା ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି।

ଲଗାଣ ବର୍ଷା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚଲାଣଗୁଡ଼ା ଦେଇ ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପ୍ରଭୃତି ରାଜ୍ୟକୁ ଯାଉଥିବା ଯାନବାହାନ ଗୁଡିକ ଆଜି ଦିନ ତମାମ ବନ୍ଦ ରହିଛି। ଫଳରେ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି ସତୀଗୁଡାରେ ଥିବା ନାଳ, ପୋଟେରୁ, ଗୋମ୍ପାକୁଣ୍ଡା ଠାରୁ ଆରମ୍ଭ କରି ସାବେରୀ ନଦୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମାଲାକନଗିରି ଜିଲା ଜରୁରୀକାଳୀନ ଅଧିକାରୀ ପ୍ରମୋଦ କୁମାର ବେହେରା ସୂଚନା ଦେଇ କହିଛନ୍ତି ଯେ, ମାଲକାନଗିରି ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ସମସ୍ତ ବ୍ଲକର ବିଡିଓ, ତହସିଲଦାରଙ୍କୁ ସଜାଗ କରାଯାଇଛି। ସମସ୍ତ ଥାନାର ରାସ୍ତା ସଫା ନିମନ୍ତେ ଦାୟିତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ମାଥିଲି, ବଣ୍ଡାଘାଟି, ଅଞ୍ଚଳରେ ଅସ୍ଥାୟୀ ଆଶ୍ରୟ ସ୍ଥଳ ଖୋଲାଯାଇ ଖାଦ୍ୟଶସ୍ୟ ମହଜୁଦ ରଖାଯାଇଛି। ମାଥିଲି ଅଞ୍ଚଳର ଗାଙ୍ଗରାଜଗୁମାରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ସେଠାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ସୁଦ୍ଧା ମାଲକାନଗିରି ଜିଲାରେ ମୋଟ ୫୦୪.୪୦ ପ୍ରତିଶତ ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ସର୍ବାଧିକ ୯୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କାଲିମେଳା ବ୍ଲକରେ ୭୮ମିଲିମିଟର, ପଡ଼ିଆ ବ୍ଲକରେ ୭୦ ମିଲିମିଟର, କୋରୁକୋଣ୍ଡାରେ ୬୭ମିଲିମିଟର, କୁଡୁମୁଲୁଗୁମ୍ମାରେ ୬୮ମିଲିମିଟର, ଖଇରପୁଟରେ ୭୪ମିଲିମିଟର, ପଡିଆରେ ୭୦.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଯଦି ଆଜି ଅଧିକ ବର୍ଷା ହୁଏ ତା’ହେଲେ ପୋଟେରୁ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।

Comments are closed.