ପାଟଣାଗଡ଼: ପୁଅ ପାଇଁ ମା’ବାପା ସବୁବେଳେ ବ୍ୟାକୁଳ। ପୁଅ ଉପରେ ବିପଦ ନ ପଡ଼ିବା ଲାଗି ମା’ ତା’ପାଇଁ ଓସା ବ୍ରତ କରେ। ପୁଅ ଯେତେ ଭୁଲ କଲେ ବି ମା’ ତା’ ପଣତକାନୀରେ ସୁରକ୍ଷା ଦିଏ। କିନ୍ତୁ ସେହି ପୁଅ ମା’ବାପାଙ୍କ ସ୍ନେହ ମମତାକୁ ବୁଝିପାରେ ନାହିଁ। ସେମାନେ ପରିଣତ ବୟସରେ ପହଞ୍ଚିବା ପରେ ପୁଅ ପାଇଁ ଅଲୋଡ଼ା ହୋଇଯାଆନ୍ତି। ଏପରି କି ପୁଅ ସେମାନଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ପଛାଏ ନାହିଁ। ଏଭଳି ଏକ ଛାତିଥରା, ଲୋମହର୍ଷଣକାରୀ ଘଟଣା ଘଟିଛି ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର ରାଡବାହାଲ ଗ୍ରାମରେ। ଘରେ କଳିଝଗଡ଼ା ହେବାରୁ ପୁଅ ନିଜର ମା’କୁ ଜୀବନ୍ତ ପୋଡ଼ି ହତ୍ୟା କରିଛି। ହତ୍ୟାର ଶିକାର ହୋଇଛନ୍ତି ୭୫ ବର୍ଷୀୟା ଆଶାବତୀ କର୍ସେନ। ଘଟଣା ପରେ ଅଭିଯୁକ୍ତ ପୁଅ ସନ୍ତୋଷ କର୍ସେନ ଫେରାର ହୋଇଯାଇଛି।
ସୂଚନା ମୁତାବକ, ମା’ ଆଶାବତୀ ଏବଂ ବାପା ରୁଷି କର୍ସେନଙ୍କ ସହିତ ସନ୍ତୋଷଙ୍କର ପାଟିତୁଣ୍ଡ ହୋଇଥିଲା। ଘଟଣାର ସମାଧାନ ଲାଗି ଗାଁ ଲୋକଙ୍କୁ ଡକାଇବାକୁ ଆଶାବତୀ ସ୍ବାମୀ ରୁଷିଙ୍କୁ କହିଥିଲେ। ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ରୁଷି ଗାଁ ଲୋକଙ୍କୁ ଡାକିବାକୁ ଯାଇଥିବାବେଳେ ଆଶାବତୀ ଖଟ ଉପରେ ଶୋଇଥିଲେ। ଏହି ସମୟରେ ସନ୍ତୋଷ ଶୋଇଥିବା ଅବସ୍ଥାରେ ମା’ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଖବର ପାଇ ଗାଁ ଲୋକେ ପହଞ୍ଚିଥିଲେ। କିନ୍ତୁ ସନ୍ତୋଷ ଘର ଆଗରେ ଠେଙ୍ଗା ଧରି ଛିଡ଼ା ହୋଇଥିବାରୁ କେହି ତାଙ୍କ ନିକଟକୁ ଯିବାକୁ ସାହସ କରି ନ ଥିଲେ। ଫଳରେ ଆଶାବତୀ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।



