ଧାମରା ଥାନାରେ ୩ଫୁଟ ପାଣି

ଧାମରା : ଧାମରାରେ ନୂତନ ଭାବେ ଖୋଲା ହୋଇଥିବା ଥାନା ମଧ୍ୟରେ ସୋମବାର ୩ଫୁଟ ଉଚ୍ଚର ପାଣି ଦେଖିବାକୁ ମିଳିଛି। ଅବିଶ୍ରାନ୍ତ ବର୍ଷାରେ ଧାମରା ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଧାମରା ବନ୍ଦର ପ୍ରୀତି ଏବଂ ଆରକ୍ଷୀ ମହାନିର୍ଦେଶକଙ୍କ ବେପରୁଆ ଖାମ ଖିଆଲିରେ ଧାମରା ଥାନାର ଆସବାବପତ୍ର ସହ କର୍ମଚାରୀ ମଧ୍ୟ ବାଦ ପଡ଼ି ନାହାନ୍ତି। ଧାମରାରେ ଥିବା ଫାଣ୍ଡି ନିଜର ସ୍ୱତନ୍ତ୍ର ଗୃହରେ ଚାଲୁଥିବା ବେଳେ ନଭେମ୍ବର ମାସରେ ଧାମରା ବନ୍ଦର କର୍ତ୍ତୃପକ୍ଷ ନିଜର ସୁରକ୍ଷା ପାଇଁ ଆରକ୍ଷୀ ମହାନିର୍ଦେଶକଙ୍କ ପାଖରେ ଗୁହାରୀ ଜଣାଇ ଏକ ପରିତ୍ୟକ୍ତ ଗୃହକୁ ରଙ୍ଗ ମାଖି ନିଜର ଗେଟ ଆଗରେ ଏହି ନୂତନ ଥାନାର ଶୁଭାରମ୍ଭ କରିଥିଲେ। ଦୀର୍ଘ ୮ମାସ ମଧ୍ୟରେ ଏହି ପରିତ୍ୟକ୍ତ କୋଠାରୁ ନିଜର ପୁରୁଣା ଫାଣ୍ଡି ଗୃହକୁ ଧାମରା ଥାନାକୁ ଉଠାଇ ନେବା ପାଇଁ ଜନ ସାଧାରଣ ଦାବି ଜଣାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ରବିବାର ବର୍ଷାରେ ଧାମରା ଥାନା ମଧ୍ୟରେ ୩ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ବେଳେ ଥାନା କର୍ମଚାରୀ ନିଜର ଆସବାବ ସଜାଡ଼ିବାରେ ବ୍ୟସ୍ତ ଥିଲେ। ଗୋଟିଏ ପକ୍ଷରେ ନିଜର ଆସବାବ ପତ୍ର ଅନ୍ୟ ପକ୍ଷରେ ଧାମରା ଥାନାରେ ଥିବା କଂପ୍ୟୁଟର, ଆଲମିରାରେ ଥିବା ସମସ୍ତ ଦରକାରୀ ନଥିପତ୍ର ଗୁଡ଼ିକ ଏହି ପାଣିରେ ଓଦା ହୋଇ ଯାଇଥିଲା। ଏଥିସହ ବିଦ୍ୟୁତ ସଟସର୍କିଟ ହୋଇ ଘର ଗୁଡିକ ମଧ୍ୟ ଚାର୍ଜ ହୋଇ ଯାଇଥିବା ସୂଚନା ମିଳିଛି। ପରେ ବନ୍ଦର କର୍ତ୍ତୃପକ୍ଷ ଦୀର୍ଘ ୪ଘଣ୍ଟା ପରେ ପମ୍ପସେଟ ଲଗାଇ ଏହି ପାଣିକୁ ଶୁଖାଇବାକୁ ଚେଷ୍ଟା କରିଥିଲେ। ଗୋଟିଏ ପକ୍ଷରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଧାମରା ଫାଣ୍ଡି ନୂତନ ଗୃହରେ ହୋଇଥିବା ବେଳେ କେଉଁ କାରଣ ପାଇଁ ଏହି ଫାଣ୍ଡି ଗୃହକୁ ନୂତନ ଥାନା ଭାବରେ ଉପସ୍ଥାପନ କରା ନଯାଇ ବନ୍ଦର କର୍ତ୍ତୃପକ୍ଷଙ୍କ କଥାରେ ଏକ ପରିତ୍ୟକ୍ତ ଗୃହକୁ ଖୋଦ ଆରକ୍ଷୀ ମହାନିର୍ଦେଶକ ସ୍ଥାନାନ୍ତରିତ କରିବା ପାଇଁ ଆଦେଶ ଦେଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.