ବଲାଙ୍ଗିର: ଜୁନ ୫ ତାରିଖ ଦିନ ପାଟଣାଗଡ ବିଧାୟକ ସରୋଜ ମେହେର କଙ୍ଗାରୁ କୋର୍ଟ ଆୟୋଜନ କରିଥିଲେ। ଏଥିରେ ସର୍ବ ସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରିଥିଲେ। ଯାହା ସାମାଜିକ ଗଣମାଧ୍ୟମରେ ବିଜୁଳୀ ବେଗରେ ଚାରିଅଅଡେ ଛାଇଯାଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗ ସାରା ରାଜ୍ୟରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବା ବେଳେ ବଲାଙ୍ଗିର ସହରର ବରିଷ୍ଠ ଓକିଲ ଭବାନୀ ଶଙ୍କର ଶତପଥୀ ଏହା ଖୋଲାଖୋଲି ଭାବେ ମାନବିକ ଅଧିକାର ଉଲଂଘନ ହୋଇଥିବା ଦର୍ଶାଇଛନ୍ତି। ପାଟଣାଗଡ ବିଧାୟକ ମେହେରଙ୍କ କଙ୍ଗାରୁ କୋର୍ଟ ବିରୋଧରେ ଓକିଲ ଶ୍ରୀ ଶତପଥୀ ଜିଲା ଦୌରା ଜଜଙ୍କ କୋର୍ଟରେ ମାମଲା ଦାଏର କରିଛନ୍ତି। ଫଳରେ ବିଧାୟକ ଶ୍ରୀ ମେହେରଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି।
ଓକିଲ ଶ୍ରୀ ଶତପଥୀ କୋର୍ଟରେ ଅପିଲ କରି ଦର୍ଶାଇଛନ୍ତି ଯେ,ପାଟଣାଗଡ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ହେଁ ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯାହା ଫଳରେ ବଲାଙ୍ଗିର ଏସପି, ପାଟଣାଗଡ ଏସଡିପିଓ, ପାଟଣାଗଡ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅପିଲ କରାଯାଇଛି। ସେହିପରି ଘଟଣା ସମ୍ପର୍କରେ ଜିଲାପାଳ ରାଜ୍ୟ ସରକାରଙ୍କୁ ଜଣାଇବାରେ ଓ ବାଚସ୍ପତିଙ୍କୁ ଦୃଷ୍ଟି ଆକର୍ଷଣ କରିବାରେ ଅବହେଳା କରିଥିବାରୁ ବଲାଙ୍ଗିର ଜିଲାପାଳଙ୍କୁ ମଧ୍ୟ ପକ୍ଷଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଛି। କଣ୍ଟାବାଞ୍ଜିର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର ଘଟଣାସ୍ଥଳରେ ଥାଇ ସୁଦ୍ଧା ନିଜ ବିଭାଗୀୟ ଅଧିକାରୀଙ୍କୁ ସୁରକ୍ଷା ଦେବା ବଦଳରେ ଗାଲରେ ଚାପୁଡା ମାରିବା ଘଟଣାରୁ ଜଣାପଡୁଛି ଯେ, ସେ ସମୟରେ କନିଷ୍ଠ ଯନ୍ତ୍ରୀ ଶାରିରୀକ ଓ ମାନସିକ ଭାବେ କେତେ ନିର୍ଯ୍ୟାତନା ପାଇଥିବେ। ସର୍ବସମ୍ମୁଖରେ ଏଭଳି ନିର୍ଯ୍ୟାତନା ଦିଆଯାଇଛି ଯାହା ଭାଇରାଲ ହୋଇଥିବା ଭିଡିଓ ଓ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବରରୁ ଯଥେଷ୍ଟ ପ୍ରମାଣ ଓ ତାହା ଘଟଣାକୁ ସ୍ପଷ୍ଟ କରୁଛି ବୋଲି ଓକିଲ ଶ୍ରୀ ଶତପଥୀ ଯୁକ୍ତି ବାଢିଛନ୍ତି। ପୀଡିତ କନିଷ୍ଠ ଯନ୍ତ୍ରୀଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଗତ ୫ ତାରିଖର ଘଟଣା ଆଜକୁ ପ୍ରାୟ ସପ୍ତାହେ ପୂରିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ଅନେକ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଥାନାରେ ହୋଇଥିବା ମାମଲା ମଧ୍ୟରେ ଏଟ୍ରୋସିଟି କେସ ବିଧାୟକଙ୍କ ପାଇଁ ସବୁଠୁ ଅଡୁଆ ହୋଇଛି। ଯାହା ଫଳରେ ଏହାକୁ ହଟେଇବା ପାଇଁ ଚକ୍ରାନ୍ତ ଚାଲିଥିବା ଚର୍ଚ୍ଚା ଯୋର ଧରିଛି। ବିଧାୟକ ଶ୍ରୀ ମେହେର ତାଙ୍କ ଉପରେ ରୁଜୁ ହୋଇଥିବା ମାମଲାରୁ ବର୍ତ୍ତିବା ଓ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ତୃତୀୟ ମହଲା ବାବୁଙ୍କ ସହ ସମ୍ପର୍କରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଯାହା ଫଳରେ ସ୍ଥାନୀୟ ପୁଲିସ ସବୁକିଛି ଦେଖି ସୁଦ୍ଧା ହାତବାନ୍ଧି ବସିଛି। ଏପରିକି ମାମଲାରୁ ବର୍ତ୍ତିବା ପାଇଁ ସ୍ଥାନୀୟ ଲୋକଙ୍କୁ ସାକ୍ଷୀ ଓ କିଛି ସଙ୍ଗଠନକୁ ବିଧାୟକ ଶ୍ରୀ ମେହେର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଯୋର ଧରିଛି। ନିଜ ଭୁଲକୁ ସାମାଜିକ ଗଣମାଧ୍ୟମରେ ନିଜେ ବିଧାୟକ ସ୍ୱୀକାର କରି ସାରିଥିବା ବେଳେ ଏବେ ତାଙ୍କ ଉପରେ ଆଇନ ଅନୁସାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା କେବଳ ଦେଖିବାକୁ ବାକି ରହିଲା।



