ଗୃହ କମ୍ପାଇଲେ ବିରୋଧୀ

0

-ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗନ୍ତୁ ଶାସକ, -ମୁଖ୍ୟମନ୍ତ୍ରୀଙ୍କ ବିବୃତିି ଦାବି, ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାରେ ଲୋକାୟୁକ୍ତ ତାତି ଥମୁ ନାହିଁ। ନିକଟରେ ଲୋକାୟୁକ୍ତ ନିଯୁକ୍ତି ନେଇ ବିରୋଧୀ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିଥିବାବେଳେ ଏବେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ମିଥ୍ୟା ସତ୍ୟପାଠ କରିଥିବା ଅଭିଯୋଗ ଆଣି ବିରୋଧୀ ଦଳ ସରକାରଙ୍କୁ ହରଡ଼ଘଣାରେ ପକାଇଛନ୍ତି।
ଲୋକାୟୁକ୍ତ ନିଯୁକ୍ତି ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଯଦି ଲୋକାୟୁକ୍ତ ଗଠନ ହୋଇଛି ତାହେଲେ ତାହାର ଗେଜେଟ ବିଜ୍ଞପ୍ତି ଗୃହରେ ମୁଖ୍ୟମନ୍ତ୍ରୀ ରଖିବା ଏବଂ ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦିଆଯାଇଥିବାରୁ ଏ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ବିରୋଧୀ ଦଳ ଦାବି କରିଥିଲେ। ଏହାର ପ୍ରତିବାଦରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ୪ଟି ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୪ଟାରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଲୋଳନା ସମୟରେ ବିରୋଧୀଙ୍କ ହଟ୍ଟଗୋଳ ଲାଗିରହିଥିଲା। ପରେ ବିଲ୍‍ ଉପସ୍ଥାପନ ଓ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା, କିନ୍ତୁ ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ।
ସେମାନଙ୍କୁ ସମର୍ଥନ କରି ସିପିଏମର ସଭ୍ୟ ଲକ୍ଷ୍ମଣ ମୁଣ୍ଡା ମଧ୍ୟ କକ୍ଷତ୍ୟାଗ କରିଥିଲେ।
ବିରୋଧୀଙ୍କ ଅଭିଯୋଗ ଥିଲା୨୦୧୫ ଜାନୁଆରୀ ୧୬ରେ ରାଜ୍ୟରେ ଲୋକାୟୁକ୍ତ ଗଠନ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ବିନା ବିଜ୍ଞପ୍ତି କିମ୍ବା ବିନା ଲୋକାୟୁକ୍ତ ମନୋନୟନରେ କିପରି ଲୋକାୟୁକ୍ତ ଗଠନ ହେଲା ସେଥିନେଇ ସେମାନେ ପ୍ରଶ୍ନ କରିଛନ୍ତି। ଯଦି ହୋଇଛି ସେ ସଂକ୍ରାନ୍ତ ବିଜ୍ଞପ୍ତିକୁ ମୁଖ୍ୟମନ୍ତ୍ରୀ ଗୃହରେ ରଖିବା ଦରକାର। ବାଚସ୍ପତି ଏହା ନଶୁଣିବାରୁ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋ ହଲ୍ଲା କରିବା ସହିତ ସ୍ଲୋଗାନ ଦେଇଥିଲେ।
ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ପକ୍ଷରୁ ‘ରାଜ୍ୟ ଶାସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ମାତ୍ର ବାଚସ୍ପତି ତାହାକୁ ଗ୍ରହଣ କରି ନଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରିଥିଲେ। ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ଗୃହ ମୁଲତବୀ କରିବାକୁ ପଡ଼ିଥିଲା।
ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜ୍ୟ ଶାସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ ଶୀର୍ଷର୍କରେ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ମାତ୍ର ବାଚସ୍ପତି ଗ୍ରହଣ କରି ନଥିଲେ। ମୁଖ୍ୟମନ୍ତ୍ରୀ ମୋଟ ୧୧ଟି କମିଟିର ଅଧ୍ୟକ୍ଷ ଅଛନ୍ତି। ମାତ୍ର ବୈଠକ ଅନୁଷ୍ଠିତ ହେଉନାହିଁ।
ଦ୍ୱିତୀୟରେ ଗୁରୁବାର ସେ ଗୃହରେ ସୁପ୍ରିମକୋର୍ଟଙ୍କ ରାୟ ପଢ଼ି ଶୁଣାଇଥିଲେ। ସୁପ୍ରିମକୋର୍ଟ ସ୍ପଷ୍ଟ ଲେଖିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ଓଡ଼ିଶାରେ ଲୋକାୟୁକ୍ତ କାର୍ଯ୍ୟକାରୀ ହେଲାଣି। ଲୋକାୟୁକ୍ତ ନିଯୁକ୍ତି ପାଇଁ ସର୍ଚ କମିଟି ପାଇଁ ରୁଲ ପ୍ରସ୍ତୁତ କରୁଛୁ। ଏହା ପରେ ନିଯୁକ୍ତି କରିବୁ ବୋଲି କହିଛନ୍ତି।
ଏଥିରେ ଭିନ୍ନ ଅର୍ଥ ଦର୍ଶାଯାଇଛି ବୋଲି କୁହାଯାଉଛି। ସମ୍ବିଧାନ ଅନୁସାରେ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରାଯାଇପାରିବ ନାହିଁ। ମାତ୍ର ରାଜ୍ୟ ସରକାର ସୁପ୍ରିମକୋର୍ଟକୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦିଅନ୍ତୁ, ସୁପ୍ରିମକୋର୍ଟଙ୍କ ବିରୋଧରେ କହିଥିବାରୁ କ୍ଷମାଭିକ୍ଷା କରନ୍ତୁ।
ଶୁକ୍ରବାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପୁନର୍ବାର ଏ ପ୍ରସଙ୍ଗ ଉଠାଇଥିଲେ। ସୁପ୍ରିମକୋର୍ଟ ଦେଇଥିବା ରାୟ ପଢ଼ି ଶୁଣାଇଥିଲେ। ସୁପ୍ରିମକୋର୍ଟକୁ ରାଜ୍ୟ ସରକାର ମିଥ୍ୟା ତଥ୍ୟ ଦେଇଥିବା ଦର୍ଶାଇଥିଲେ। ୨୦୧୭ ଏପ୍ରିଲ ୨୭ରେ ସୁପ୍ରିମକୋର୍ଟ କହିଥିଲେ କେନ୍ଦ୍ର ସରକାର ଲୋକାୟୁକ୍ତ ନିଯୁକ୍ତି ନେଇ ସଂଶୋଧନ ପାଇଁ ବିଲ ଆଣିଥିଲେ ମଧ୍ୟ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ବନ୍ଦ କରିପାରିବେ ନାହିଁ। ସେ ବିଲ୍‍ର ଭାଗ୍ୟ ଉପରେ ଲୋକାୟୁକ୍ତ ନିଯୁକ୍ତି ନିର୍ଭର କରେ ନାହିଁ। ଓଡ଼ିଶା ସରକାର ତାମିଲନାଡ଼ୁ ସରକାରଙ୍କ ଉଦାହରଣ ଦେଖାଇ ଏହାକୁ ବିଳମ୍ବ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଶ୍ରୀ ମିଶ୍ର ମତ ରଖିଥିଲେ। ରାଜ୍ୟ ସରକାର ସ୍ୱେଚ୍ଛାଚାରୀ ଶାସନ ଆଡ଼କୁ ପାଦ ବଢ଼ାନ୍ତୁ ନାହିଁ ବୋଲି ସେ ସତର୍କ କରାଇଦେବା ସହିତ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରା ନଯାଉ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଗୃହରେ ଲୋକାୟୁକ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଥିଲେ।
ଏହାପରେ ବାଚସ୍ପତି ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀଙ୍କୁ କହିବାର ସୁଯୋଗ ଦେଇଥିଲେ। ଶ୍ରୀ ଶତପଥୀ କହିବାକୁ ଯିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ମାଡ଼ିଆସି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ପ୍ରବଳ ହଟ୍ଟଗୋଳ ଭିତରେ ଶ୍ରୀ ଶତପଥୀଙ୍କ ବକ୍ତବ୍ୟ ଶୁଣାଯାଉ ନଥିଲା। ଶାସକ ଦଳର ସଭ୍ୟମାନେ ନିଜ ଆସନରେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ। ସରକାରୀ ପକ୍ଷ ଶୁଣିବା ପାଇଁ ଧୈର୍ଯ୍ୟ ନରଖି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଥିଲେ। ଏହି ସମୟରେ ବିରୋଧୀ ଦଳର ମୁଖ୍ୟ ସଚେତକ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଛଡ଼ାଇବାକୁ ଉଦ୍ୟମ କରିଥିଲେ।
ପ୍ରବଳ ହୋ ହଲ୍ଲା, ହଟ୍ଟଗୋଳ ଲାଗିରହିବାରୁ ବାଚସ୍ପତି ଅନ୍ୟ ଉପାୟ ନପାଇ ଗୃହକୁ ୧୨ଟା ୪ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହା ପରେ ଅପରାହ୍ନ ୩ଟାରେ ବି ଅନୁରୂପ ପରିସ୍ଥିତି ଦେଖାଦେବାରୁ ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୪ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ବିରୋଧୀ କଂଗ୍ରେସ, ବିଜେପି ଓ ସିପିଏମ ସଭ୍ୟ କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀରେ ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା।
ଅନ୍ୟପକ୍ଷରେ ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜ୍ୟ ସରକାର କୌଣସି ମିଥ୍ୟା ସତପାଠ ଦେଇନାହାନ୍ତି କିମ୍ବା ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରାଯାଇ ନାହିଁ। ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ସତ୍ୟପାଠରେ ସଂଶୋଧନ ଆଣିବା ପାଇଁ ଆବଦନ କରାଯିବ ବୋଲି ସେ କହିଥିଲେ।

Leave A Reply