www.samajalive.in
Monday, December 8, 2025
24.1 C
Bhubaneswar

ଭାରତର ବିଜୟ ଅଭିଯାନ ଆରମ୍ଭ ; ଚହଲଙ୍କ ୪ ୱିକେଟ ପରେ ରୋହିତଙ୍କ ଶତକ

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରୁ ହିଁ ଭାରତୀୟ ବୋଲର ସେମାନଙ୍କ ଯାଦୁ ଦେଖାଇଛନ୍ତି। ରୋହିତ ଶର୍ମା ମଧ୍ୟ ଶତକ ମାରିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍‌ଦାର ବିଜୟ ସହ ଭାରତ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ୟୁଜବେନ୍ଦ୍ର ଚହଲଙ୍କ ୪ ୱିକେଟ ପରେ ରୋହିତ ଶର୍ମାଙ୍କ ଶତକ ବଳରେ ବୁଧବାର ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି। ଯଶପ୍ରୀତ ବୁମ୍‌ରା ନୂଆବଲ୍‌ରେ ଘାତକ ବୋଲିଂକରି ସହଳ ଦକ୍ଷିଣ ଆଫ୍ରିକାର ଦୁଇ ଓପ୍‌ନରଙ୍କୁ ଆଉଟ କରିବା ପରେ ୟୁଜବେନ୍ଦ୍ର ଚହଲ ୪ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ତଳଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ୯ ୱିକେଟରେ ୨୨୭ ରନ୍ କରିଥିଲା। ପରେ ରୋହିତଙ୍କ ଅପରାଜିତ ଶତକ ବଳରେ ୪୭.୩ ଓଭରରେ ୪ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା। ଭାରତ ଏହି ବିଜୟରୁ ୨ ପଏଣ୍ଟ ପାଇଥିବା ବେଳେ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ୨ୟ ମ୍ୟାଚ୍ ଲିଗ୍ ଖେଳିବ। ଦକ୍ଷିଣ ଆଫ୍ରିକା କ୍ରମାଗତ ୩ୟ ପରାଜୟ ଭୋଗି ଚିନ୍ତାରେ ପଡ଼ିଯାଇଛି।

ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଭାରତୀୟ ଓପ୍‌ନରଙ୍କୁ ଅସୁବିଧାରେ ପକାଇଥିଲେ। ୫ ଓଭରରେ ମାତ୍ର ୧୩ ରନ୍ ହୋଇଥିବା ବେଳେ ୬ଷ୍ଠ ଓଭର ପ୍ରଥମ ବଲ୍‌ରେ ଶିଖର ଧାୱନ (୮) ଆଉଟ ହୋଇ ଯାଇଥିଲେ। ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ୨ୟ ୱିକେଟ ପାଇଁ ୪୧ ରନ୍ ଯୋଡ଼ିବା ପରେ ବାହାର ବଲ୍‌କୁ ମାରିବାକୁ ଯାଇ କୋହଲି ଆଉଟ ହୋଇଥିଲେ। ୩୪ ବଲ୍‌ରୁ କୋହଲି ୧୮ ରନ୍ କରିଥିଲେ। ରୋହିତ ଓ କେ.ଏଲ୍‌. ରାହୁଲ ୩ୟ ୱିକେଟ ପାଇଁ ଚମତ୍କାର ଭାଗିଦାରୀ କରିଥିଲେ। ଦୁହେଁ ୧୬ ଓଭର ଖେଳି ୮୪ ରନ୍ ଯୋଡ଼ିଥିଲେ। ରାହୁଲ ୪୨ ବଲ୍‌ରୁ ୨ଟି ଚୌକାସହ ୨୬ ରନ୍ କରିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ସହ ରୋହିତ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୪୧ତମ ଓଭରରେ ରୋହିତ ଶତକ ପୂରଣ କରିଥିଲେ। ଏହା ରୋହିତଙ୍କ ୨ୟ ବିଶ୍ବକପ୍ ଶତକ ଏବଂ ୨୩ତମ ଦିନିକିଆ ଶତକ। ଜିତିବାକୁ ଆଉ ୧୫ ରନ୍ ଆବଶ୍ୟକ ଥିବା ବେଳେ ଧୋନି ଆଉଟ ହୋଇ ଯାଇଥିଲେ। ୪୬ ବଲ୍‌ରୁ ୨ଟି ଚୌକା ସହ ୩୪ ରନ୍ କରିଥିଲେ। ରୋହିତଙ୍କ ସହ ହାର୍ଦିକ ପାଣ୍ଡ୍ୟା (୭ ବଲ୍‌ରୁ ୧୫) ଔପଚାରିକତା ପୂରଣ କରିଥିଲେ। ରୋହିତ ୧୪୪ ବଲ୍‌ରୁ ୨ଟି ଛକା ଓ ୧୩ଟି ଚୌକା ସହ ୧୨୨ ରନ୍‌କରି ଅପରାଜିତ ଥିଲେ। କାଗିସୋ ରାବାଡ଼ା ୨ଟି ୱିକେଟ ପାଇଥିଲେ। ରୋହିତ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ମେଘୁଆ ପାଗ ସତ୍ତ୍ବେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳର ଏହି ନିଷ୍ପତ୍ତି ଘାତକ ପ୍ରମାଣିତ ହୋଇଥିଲା। ଯଶପ୍ରୀତ୍‌ ବୁମ୍‌ରା ନୂଆବଲ୍‌ରେ ଅଗ୍ନିବର୍ଷୀ ବୋଲିଂକରି ଉଭୟ ଓପ୍‌ନରଙ୍କୁ ଆଉଟ କରି ଦେଇଥିଲେ। ହାସିମ୍ ଆମ୍‌ଲା ୬ ଏବଂ କ୍ବିଣ୍ଟନ ଡି କକ୍ ୧୦ ରନ୍‌କରି ସ୍ଲିପ୍‌ରେ କ୍ୟାଚ୍ ଦେଇ ବିଦାୟ ନେଇଥିଲେ। ପରେ ଅଧିନାୟକ ଫାଫ୍ ଡୁ ପ୍ଲେସି ଓ ରାସି ଭାନ୍ ଡର୍ ଡ୍ୟୁସେନ୍ ୫୪ ରନ୍‌ର ଭାଗିଦାରୀ କରିବା ପରେ ୟୁଜବେନ୍ଦ୍ର ଚହଲ ଗୋଟିଏ ଓଭରରେ ଦୁହିଁଙ୍କୁ ଆଉଟ୍ କରି ଦେଇଥିଲେ। ଭାନ୍ ଡର୍ ଡ୍ୟୁସେନ୍ ବେପରୁଆ ଭାବେ ରିର୍ଭସ ସ୍ବିପ୍ ମାରି ବୋଲ୍‌ଡ ହୋଇଥିବା ବେଳେ ଡୁ ପ୍ଲେସି ଗୁଗ୍‌ଲିକୁ ବୁଝିନପାରି ବୋଲ୍‌ଡ ହୋଇଥିଲେ। ୩ ଓଭର ପରେ ଅନ୍ୟ ସ୍ପିନର କୁଲଦୀପ ଯାଦବ ଭାରତକୁ ୫ମ ୱିକେଟ ଦେଇଥିଲେ। ଜେପି ଡ୍ୟୁମିନି ୩ ରନ୍‌କରି ଆଉଟ ହୋଇଥିଲେ। ପରେ ଡେଭିଡ୍ ମିଲର ଓ ଆନ୍ଦିଲେ ଫେଲୁକ୍ବାୟୋ ୪୬ ରନ୍ ଯୋଡ଼ିଥିଲେ।
ବାମହାତି ମିଲର ୪୦ ବଲ୍‌ରୁ ୩୧ ରନ୍ କରିଥିଲେ। କ୍ରିସ୍ ମରିସ୍ କ୍ରିଜ୍‌କୁ ଆସିବା ମାତ୍ରେ କିଛି ସଟ୍ ଖେଳିଥିଲେ। ଫଳତଃ ଦକ୍ଷିଣ ଆଫ୍ରିକା ୨୦୦ ରନ୍ ଅତିକ୍ରମ କରି ପାରିଥିଲା। ଫେଲୁକ୍ବାୟୋ ୬୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୪ ରନ୍ କରିଥିଲେ। କାଗିସୋ ରାବାଡ଼ା ମଧ୍ୟ ଉପଯୋଗୀ ବ୍ୟାଟିଂ କରିଥିଲେ ଏବଂ ମରିସ୍‌ଙ୍କ ସହ ୮ମ ୱିକେଟ ପାଇଁ ୬୬ ରନ୍‌ର ଭାଗିଦାରୀ କରିଥିଲେ। ମରିସ୍ ୩୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୪୨ ରନ୍ କରିଥିଲେ। ରାବାଡ଼ା ୩୫ ବଲ୍‌ରୁ ୨ଟି ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଚହଲ ୪ଟି ୱିକେଟ ପାଇଥିବା ବେଳେ ବୁମ୍‌ରା ଓ ଭୁବନେଶ୍ବର କୁମାର ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories