ଆମେରିକା ସହ ଆଲୋଚନା ପାଇଁ ଉତ୍ତର କୋରିଆ ପ୍ରସ୍ତୁତ
ସିଓଲ : ଶୀତ କାଳୀନ ଅଲମ୍ପିକ ଉଦ୍ଘାଟନର ଠିକ୍ ପୂର୍ବରୁ ଉତ୍ତର ଓ ଦକ୍ଷିଣ କୋରିଆ ନିକଟତର ହୋଇଥିଲେ । ଏବେ ଶୀତ କାଳୀନ ଅଲମ୍ପିକର ଉଦ୍ଯାପନୀ ଅବସରରେ ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଆଲୋଚନାର ପଥ ଖୋଲିଯାଇଛି । ଆମେରିକା ଦ୍ୱାରା ଲଗାଯାଇଥିବା ସମସ୍ତ ନିଷେଦ୍ଧାଦେଶ ସତ୍ତ୍ୱେ ଉତ୍ତର କୋରିଆ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଜଣାଇ ଦେଇଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉତ୍ତର କୋରିଆ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଉତ୍ତର କୋରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦକ୍ଷିଣ କୋରିଆରେ ଆୟୋଜିତ ଶୀତ କାଳୀନ ଅଲମ୍ପିକରେ ଯୋଗଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ଙ୍କ ପକ୍ଷରୁ ଆମେରିକା ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଉତ୍ତର କୋରିଆର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜୈଇନ୍ଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ପରେ ଏହି ବୟାନ ଆସିଛି । ନ୍ୟୁୟର୍କ ଟାଇମ୍ସ ଅନୁସାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଉତ୍ତର ଓ ଦକ୍ଷିଣ କୋରିଆର ସମ୍ପର୍କ ସୁଧୁରିବା ପରେ ଆମେରିକା ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ଶୀତ କାଳୀନ ଅଲମ୍ପିକ ଉଦ୍ଯାପନୀ ସମାରୋହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକାର ଏକ ପ୍ରତିନିଧି ମଣ୍ଡଳ ଦକ୍ଷିଣ କୋରିଆ ଗସ୍ତ କରିଛି । ପ୍ରକାଶ ଯେ ଏହା ପୂର୍ବରୁ ଉତ୍ତର କୋରିଆରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପ୍ରୟାସ ଆରମ୍ଭ କରିଥିଲା । ମିଳିତ ଜାତିସଂଘରେ ଉତ୍ତର କୋରିଆ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଳଗାଇବା ସହ କଳା ତାଲିକାଭୁକ୍ତ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି । ଏହାକୁ ଉତ୍ତର କୋରିଆ ଯୁଦ୍ଧ ବୋଲି କହିବା ସହ କଡ଼ା ନିନ୍ଦା କରିଛି । ଏଭଳି ସ୍ଥିତିରେ ଆଲୋଚନାର ପ୍ରସ୍ତାବ ଶାନ୍ତିର ଏକ ଆଶା ସୃଷ୍ଟି କରିଛି ।