www.samajalive.in
Thursday, December 11, 2025
18.1 C
Bhubaneswar

ପିପିଲିରେ ତାଣ୍ଡବ ରଚାଇଲା ଫଣି,୧ମୃତ, ୩୦ରୁ ଉର୍ଦ୍ଧ ଆହତ

ପିପିଲିରେ ତାଣ୍ଡବ ରଚାଇଲା ଫଣି,୧ମୃତ, ୩୦ରୁ ଉର୍ଦ୍ଧ ଆହତ
ଆକାଶରେ ଉଡିଲା ଆଜବେଷ୍ଟସ, ବହୁ ଘର, ଗଛ ଧରାଶାୟୀ
ପିପିଲି,୩ା୫(ନି.ପ୍ର):ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଫଣିି’ ଶୁକ୍ରବାର ପିପିଲିରେ ତାଣ୍ଡବ ରଚାଇଛି। ଏଥିରେ ବହୁ ସଂଖ୍ୟାରେ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ସଂଖ୍ୟାରେ ଗଛ ଧରାଶାୟୀ ହୋଇଛି। ବହୁ ଆଜବେଷ୍ଟସ ଓ ଚାଳଛପର ଘର ମାଟିରେ ମିଶି ଯାଇଥିବା ବେଳେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। କାନ୍ଥ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଉର୍ଦ୍ଧ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଫଣି ପ୍ରଭାବରେ ଶୁକ୍ରବାର ସକାଳ ୮ଟାରୁ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇଥିବା ବେଳେ ୧୦ଟାରେ ଏହା ତାଣ୍ଡବ ରଚାଇଥିଲା। ଉତ୍ତର-ପୂର୍ବ ଦିଗରୁ ପ୍ରଥମେ ବାତ୍ୟା ପବନ ବୋହି ଥିବା ବେଳେ ପୂର୍ବାହ୍ନ ୧୧ଟାରେ କିଛି ସମୟ ପାଇଁ ହଠାତ ସ୍ଥିର ହୋଇଯାଇଥିଲା। ପରେ ଏହା ଦିଗ ପରିବର୍ତ୍ତନ କରି ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବଳ ବେଗର ବାତ୍ୟା ପବନ ବୋହିଥିଲା। ଏଥିରେ ପିପିଲିର ୨୫ଟି ପଞ୍ଚାୟତ ସମେତ ପିପିଲି ପୌରାଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ବହୁ ସଂଖ୍ୟାରେ ଆଜବେଷ୍ଟସ ଘରର ଆଜବେଷ୍ଟସ ପବନରେ ଉଡିଯାଇଥିବା ବେଳେ ଶହ ଶହ ସଂଖ୍ୟାରେ ଚାଳଛପର ଘର ସଂପୂର୍ଣ୍ଣ ଭାବେ ମାଟିରେ ମିିଶି ଯାଇଛି। ପିପିଲି ଅଞ୍ଚଳର ଶହେରୁ ଉର୍ଦ୍ଧ କୁକୁଡା ଫାର୍ମ ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ବହୁ ସଂଖ୍ୟାରେ ବଡ ବଡ ଗଛ ଉପୁଡି ପଡିଛି। ହଜାର ହଜାର ସଂଖ୍ୟାରେ ନଡିଆ ଗଛ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ବହୁ ନଡିଆ ଗଛ ଅଧାରୁ ଭାଙ୍ଗି ଯାଇ ପବନରେ ଉଡିଯାଇଛି। ବହୁ ସରକାରୀ ବିଦ୍ୟାଳୟର ଆଜବେଷ୍ଟସ ପବନରେ ଉଡିଯାଇଥିବା ବେଳେ ପାଚେରୀ ଭାଙ୍ଗି ଯାଇଛି। ପିପିଲି ବ୍ଳକ, ପିଏଚ୍‍ଡି, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟର ପାଚେରୀ ଭାଙ୍ଗି ଯାଇଛି। ପିପିଲିର ସର୍ବପୁରାତନ ବାପ୍‍ଟିଷ୍ଟ ଚର୍ଚ୍ଚର ଆଜବେଷ୍ଟସ ମଧ୍ୟ ପବନରେ ଉଡିଯାଇଛି। ପୁଲିସ ଏସ୍‍ଡିପିଓଙ୍କ କାର୍ଯ୍ୟାଳୟ ଓ କ୍ୱାର୍ଟର ଆଜବେଷ୍ଟସ ପବନରେ ଉଡିିଯାଇଛି। ଶହ ଶହ ଦୋକାନର ଆଜବେଷ୍ଟସ ସଂପୂର୍ଣ୍ଣ ଭାବେ ପବନରେ ଉଡିଯାଇଥିବା ବେଳେ ବହୁ କ୍ୟାବିନ ପବନରେ ଭାଙ୍ଗି ଯାଇଛି। ଲୋକଙ୍କ ଗୁହାଳ ଘର ଭାଙ୍ଗି ମାଟିରେ ମିଶିଯାଇଛି। ଚାଷୀଙ୍କ କଦଳୀ, ଅମୃତଭଣ୍ଡା ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଛି। ପବନର ବେଗ ଏତେ କ୍ଷିପ୍ର ଥିଲା ଯେ, ଆଜବେଷ୍ଟସ ଆକାଶରେ ବହୁ ଦୂର ପର୍ଯ୍ୟନ୍ତ ଉଡୁଥିବା ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ପିପିଲି ବିଏସ୍‍ଏନ୍‍ଏଲ୍‍ ଟାୱାର ର ଦୁଇଟି ଆଣ୍ଟିନା ପବନରେ ଉଡିଯାଇଥିବା ସୂଚନା ମିଳିଛି। ଗଛ ପଡି ବହୁ ସଂଖ୍ୟାରେ କାର୍‍, ଜିପ୍‍ ଆଦି କ୍ଷତିଗ୍ରସ୍ତ ହୋଇଛି। ଗ୍ରାମ ମାନଙ୍କରେ ଅଧିକାଂଶ ଲୋକଙ୍କ ଘରେ ପାଣି ପଶି ଯାଇଥିବା ସୂଚନା ମିଳିଛି। ବାତ୍ୟାରେ ବହୁ ଛାତ ଘରର ସିଡି ଘର ଆଜବେଷ୍ଟସ ସଂପୂର୍ଣ୍ଣ ଭାବେ ପବନରେ ଉଡିଯାଇଛି। ସମଗ୍ର ପିପିଲି ଅଞ୍ଚଳର ବିଦ୍ୟୁତ୍‍ ସରବରାହ ସଂପୂର୍ଣ୍ଣ ଭାବେ ଛିନ୍ନ ହୋଇଛି। ଶହ ଶହ ସଂଖ୍ୟାରେ ୧୧କେଭି ଲାଇନ ଖୁଣ୍ଟ, ୧୩ କେଭି ଲାଇନ ଖୁଣ୍ଟ ସମେତ ଏକ ହଜାରରୁ ଉର୍ଦ୍ଧ ଏଲ୍‍ଟି ଲାଇନ ଖୁଣ୍ଟ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ରାସ୍ତା ସାରା ଛିଣ୍ଡା ବିଦ୍ୟୁତ ତାର ପଡିରହିଛି। କେତେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ଉପୁଡି ପଡିଛି। ସମଗ୍ର ଅଞ୍ଚଳରେ ରାସ୍ତା ଉପରେ ବଡ ବଡ ଗଛ ପଡିରହିଥିବା ଯୋଗୁଁ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି। ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପିପିଲି ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ଉପରେ ପଡି ରହିଥିବା ଗଛକୁ କାଟି ସଫା କରାଯାଉଛି। ରାତି ସୁଦ୍ଧା ସମସ୍ତ ରାସ୍ତାରେ ଯାତାୟତ ସମ୍ଭବପର ହେବ ବୋଲି ଅନୁମାନ କରାଯାଉଛି। ତେବେ ସମସ୍ତ ଗ୍ରାମ୍ୟରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ୍‍ ଖୁଣ୍ଟି ହଟାଯାଇନଥିବାରୁ କୌଣସି ଗ୍ରାମକୁ ଯିବା ସମ୍ଭବପର ହେଉନାହିଁ। ବହୁ ଲୋକଙ୍କ ଘର ଉପରେ ବଡ ବଡ ଗଛ ଓ ନଡିଆ ଗଛ ଆଦି ଭାଙ୍ଗି ପଡିବା ଫଳରେ ଉକ୍ତ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି।
ପିପିଲି ସିରିଆପୁର ଗ୍ରାମର ଏକ କୁକୁଡା ଫାର୍ମର କାନ୍ଥ ମାଡି ବସିବାରୁ ଏଥିରେ ଜନୈକ ବୈକୁଣ୍ଠ ବେହେରା ଓରଫ ବୟା (୪୫)ଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ପିପିଲି ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ନିଜ ଘର ପିପିଲିର ଧାନପୁର ଗ୍ରାମରେ ହୋଇଥିବା ବେଳେ ସେ ପରିବାର ସହ ନିକଟବର୍ତ୍ତି ପଦାସାହିରେ ବାସ କରୁଥିଲେ। ସେହିପରି କୁଳଶିଖରପାଟଣା ଗ୍ରାମରେ ଗୁହାଳଘର କାନ୍ଥ ପଡି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସଂନ୍ଧ୍ୟା ସୁଦ୍ଧା ୩୦ରୁ ଉର୍ଦ୍ଧ ଆହତଙ୍କୁ ପିପିଲି ମେଡିକାଲ୍‍ରେ ଚିକିତ୍ସା କରାଯାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories