ଗେଲ୍‍ ଝଡ଼ ; କିଙ୍ଗ୍‍ସ ଏକାଦଶ ବିଜୟୀ

0

କଲକାତା : ଆଇପିଏଲ୍‍-୧୧ରେ କ୍ରମାଗତ ୩ୟ ମ୍ୟାଚ୍‍ରେ କ୍ରିସ୍‍ ଗେଲ୍‍ଙ୍କ ବ୍ୟାଟ୍‍ ଗର୍ଜିଛି। ଶନିବାର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‍ରେ ଗେଲ୍‍ ଝଡ଼ ଦେଖିବାକୁ ମିଳିଥିଲା। ଫଳରେ କ୍ରମାଗତ ୩ୟ ମ୍ୟାଚ୍‍ରେ ପଞ୍ଜାବ ବିଜୟୀ ହୋଇଛି। ଡକ୍‍ୱର୍ଥ-ଲୁଇସ୍‍ ନିୟମରେ ୯ ୱିକେଟରେ କଲକାତା ନାଇଟ ରାଇଡର୍ସ (କେକେଆର୍‍)କୁ ପଞ୍ଜାବ ପରାସ୍ତ କରିଛି। କ୍ରିସ ଲିନ୍‍ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍‍ ୭ ୱିକେଟରେ ୧୯୧ ରନ୍‍ କରିଥିଲା। ପରେ କିଙ୍ଗ୍‍ସ ଏକାଦଶ ୮.୨ ଓଭରରେ ବିନା ୱିକେଟରେ ୯୬ ରନ୍‍ କରିଥିବା ବେଳେ ବର୍ଷା ଯୋଗୁଁ ଘଣ୍ଟାଏରୁ ଅଧିକ ସମୟ ଖେଳ ବନ୍ଦ ରହିଥିଲା। ପରେ ଡକ୍‍ୱର୍ଥ-ଲୁଇସ୍‍ ନିୟମରେ ପଞ୍ଜାବକୁ ୧୩ ଓଭରରେ ୧୨୫ ରନ୍‍ର ଲକ୍ଷ୍ୟ ମିଳିଥିଲା। ଗେଲ୍‍ ଓ କେ.ଏଲ୍‍. ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୧୧.୧ ଓଭରରେ ୧ ୱିକେଟ ହରାଇ ପଞ୍ଜାବ ଜିତିଥିଲା। ୫ମ ମ୍ୟାଚ୍‍ରେ ପଞ୍ଜାବର ଏହା ୪ର୍ଥ ବିଜୟ ହୋଇଥିବା ବେଳେ କଲକାତା ୬ଷ୍ଠ ମ୍ୟାଚ୍‍ରେ ୩ୟ ପରାଜୟ ଭୋଗିଛି।
ସମ୍ମୁଖରେ ୧୯୨ ରନ୍‍ର ବିଶାଳ ଲକ୍ଷ୍ୟ ଥିବା ବେଳେ କିଙ୍ଗ୍‍ସ ଏକାଦଶ ପଞ୍ଜାବର ଦୁଇ ଓପ୍‍ନର ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ୬ ଓଭରର ପାୱରପ୍ଲେରେ ପଞ୍ଜାବ ୭୩ ରନ୍‍ କରି ପାରିଥିଲା। ଆରମ୍ଭରୁ କେ.ଏଲ୍‍. ରାହୁଲ ଆକ୍ରମଣ କରିଥିବା ବେଳେ ପରେ କ୍ରିସ୍‍ ଗେଲ୍ ଝଡ଼ ପରି ବର୍ଷିଥିଲେ। ଫଳରେ ବର୍ଷା ଯୋଗୁଁ ଖେଳ ବନ୍ଦହେବା ପୂର୍ବରୁ ପ୍ରଥମ ୪ ଓଭରରୁ କିଙ୍ଗ୍‍ସ ଏକାଦଶ ୯, ୧୩, ୧୭ ଓ ୧୮ ରନ୍‍ ନେଇଥିଲା। ଖେଳ ବନ୍ଦହେବା ବେଳକୁ ପଞ୍ଜାବ ୮.୨ ଓଭରରେ ବିନା ୱିକେଟରେ ୯୬ ରନ୍‍ କରିଥିଲା। ପରେ ୧୩ ଓଭରରେ ୧୨୫ ରନ୍‍ର ଲକ୍ଷ୍ୟ ମିଳିବା ପରେ ପଞ୍ଜାବ ସହଜରେ ଏହା ହାସଲ କରି ପାରିଥିଲା। ରାହୁଲ ୨୭ ବଲ୍‍ରୁ ୨ଟି ଛକା ଓ ୯ଟି ଚୌକା ସହ ୬୦ ରନ୍‍କରି ଆଉଟ ହୋଇଥିଲେ। ଗେଲ୍‍ ୩୮ ବଲ୍‍ରୁ ୬ଟି ଛକା ଓ ୫ଟି ଚୌକା ସହ ୬୨ ରନ୍‍କରି ଅପରାଜିତ ଥିଲେ। ରାହୁଲ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
କିଙ୍ଗ୍‍ସ ଏକାଦଶ ପଞ୍ଜାବ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଘରୋଇ କଲକାତା ନାଇଟ ରାଇଡର୍ସର ଓପ୍‍ନର ସୁନୀଲ ନାରାୟଣ ୧ ରନ୍‍କରି ବିଦାୟ ନେଇଥିଲେ। ତେବେ ଓପ୍‍ନର କ୍ରିସ୍‍ ଲିନ୍‍ ଓ ରବିନ୍‍ ଉଥପ୍ପା ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ୨ୟ ୱିକେଟ ପାଇଁ ଲିନ୍‍-ଉଥପ୍ପା ଯୋଡ଼ି ୩୭ ବଲରୁ ୭୨ ରନ୍‍ ନେଇଥିଲେ। ୬ ଓଭର ପାୱରପ୍ଲେ ଶେଷରେ କଲକାତା ୫୦ ରନ୍‍ କରିଥିଲା। ଛକା ମାରିବା ପ୍ରୟାସରେ ବାଉଣ୍ଡରୀରେ କ୍ୟାଚ୍‍ ଦେଇଥିବା ଉଥପ୍ପା ୨୩ ବଲ୍‍୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୪ ରନ୍‍ କରିଥିଲେ। ପରେ ଫର୍ମରେ ଥିବା ନୀତୀଶ ରାଣା ୩ ରନ୍‍କରି ରନ୍‍ଆଉଟ ହୋଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ କ୍ରିଜ୍‍କୁ ଆସିବା ମାତ୍ରେ ପ୍ରତି ବଲ୍‍କୁ ବ୍ୟାଟ୍‍ର ମଝିରେ ଖେଳିଥିଲେ ଏବଂ ନିୟମିତ ଭାବେ ବାଉଣ୍ଡରୀ ମାରି ଚାଲିଥିଲେ। ଅଷ୍ଟ୍ରେଲୀୟ ବାମହାତି କ୍ରିସ୍‍ ଲିନ୍‍ ଓ କାର୍ତ୍ତିକ ୪ର୍ଥ ୱିକେଟ ପାଇଁ ୩୪ ବଲ୍‍ରୁ ଦ୍ରୁତଗତିରେ ୬୨ ରନ୍‍ ନେଇଥିଲେ। ଲିନ୍‍ ୪୧ ବଲ୍‍ରୁ ୪ଟି ଛକା ଓ ୬ଟି ଚୌକା ସହ ୭୪ ରନ୍‍ କରିଥିଲେ; ଯାହା ଚଳିତ ସଂସ୍କରଣରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‍। ଆନ୍ଦ୍ରେ ରସେଲ ୨ଟି ଚୌକା ସହ ୧୦ ରନ୍‍ କରି ପାରିଥିଲେ। କାର୍ତ୍ତିକ ତାଙ୍କ ଚମତ୍କାର ବ୍ୟାଟିଂ ଫର୍ମ ଜାରିରଖି ୨୮ ବଲ୍‍ରୁ ୬ଟି ଚୌକା ସହ ୪୩ ରନ୍‍ କରିଥିଳେ। ଯୁବ ବ୍ୟାଟ୍‍ସମ୍ୟାନ୍‍ ଶୁବ୍‍ମାନ ଗିଲ୍‍ ୮ ବଲ୍‍ରୁ ୨ଟି ଚୌକା ସହ ୧୪ ରନ୍‍କରି ଅପରାଜିତ ଥିଲେ। ପଞ୍ଜାବର ସଫଳତମ ବୋଲର ଭାବେ ଆଣ୍ଡର୍ୟୁ ଟାଇ ୩୦ ରନ୍‍ ଦେଇ ୨ଟି ୱିକେଟ ନେଇଥିଲେ। ବରିନ୍ଦର ସ୍ରାନ୍‍ ୨ଟି ୱିକେଟ ନେଇଥିଲେ ହେଁ ୫୦ ରନ୍‍ ବ୍ୟୟ କରିଥିଲେ।

Leave A Reply