କେବଳ ଅନ୍ୟ ପାଇଁ…

ଗାନ୍ଧୀ ମହାତ୍ମାଙ୍କର ରବୀନ୍ଦ୍ରନାଥ ଠାକୁରଙ୍କ ସହ ଘନିଷ୍ଠତା ଥିଲା। ସେଦିନ ସନ୍ଧ୍ୟାରେ ଦୁହେଁ ବୁଲିବାକୁ ବାହାରିବା ସମୟରେ ହଠାତ୍‌ ରବୀନ୍ଦ୍ରନାଥ କହିଲେ- ‘କିଛି ସମୟ ଅପେକ୍ଷା କରନ୍ତୁ। ମୁଁ ଭଲ ପରିଧାନ ପିନ୍ଧି ଆସେ। ଦୁହେଁ ସାଙ୍ଗ ହୋଇଯିବା।’
ମହାତ୍ମାଙ୍କୁ ଏକଥା ବଡ଼ ଅଜବ ଲାଗିଲା। ଆଣ୍ଠୁ ଲୁଚୁ ନଥିବା ଲୁଗା ଖଣ୍ଡିଏ ପିନ୍ଧି, ଖଣ୍ଡେ ଲୁଗା ଦେହରେ ଘୋଡ଼େଇ ହୋଇ ନିଜ ଆବଶ୍ୟକତା ମେଣ୍ଟାଉଥିବା ଗାନ୍ଧୀ ମହାତ୍ମାଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଆଶ୍ଚର୍ଯ୍ୟ ଲାଗିଥିଲା ଏଇଥି ପାଇଁ ଯେ ଏ ବୟସରେ ଭଲ ପରିଧାନ, ସଜେଇ ହେବାର ଆବଶ୍ୟକତା କ’ଣ ବା ଥାଇପାରେ? ଯେନତେନ ବସ୍ତ୍ର ପରିଧାନ କରି ବାହାରକୁ ବାହାରିଲେ କ’ଣ ବା ଦୋଷ ଅଛି। ବୁଢ଼ା ବୟସରେ ଏସବୁର ଆବଶ୍ୟକତା କ’ଣ ବା ଥାଇପାରେ। ମନେମନେ ଗାନ୍ଧିଜୀ ଗଭୀର ଭାବରେ ଏମିତି ଅନେକ କଥା ଚିନ୍ତା କରୁଥାନ୍ତି।
ବେଶପୋଷାକ ହୋଇ କିଛି ସମୟ ପରେ ରବୀନ୍ଦ୍ରନାଥ ଆସିଥିଲେ। ସେ ପର୍ଯ୍ୟନ୍ତ ଗାନ୍ଧିଜୀ ତାଙ୍କୁ ଅପେକ୍ଷା କରିଥାନ୍ତି। ରବୀନ୍ଦ୍ରନାଥ ଆସିଲା ମାତ୍ରେ ଗାନ୍ଧିଜୀଙ୍କ ଭାବ ଓ ଭାବନା (ମନକଥା) ତୁରନ୍ତ ପଢ଼ିପାରିଥିଲେ। ଗାନ୍ଧିଜୀ କିଛି ପଚାରିବା ପୂର୍ବରୁ ରବୀନ୍ଦ୍ରନାଥ ପ୍ରଥମେ ରହସ୍ୟ ଉଦ୍‌ଘାଟନ କରି କହିଥିଲେ- ‘ଯେତେବେଳେ ମୁଁ ଯୁବକ ଥିଲି ସେତେବେଳେ ମୋ ନିକଟରେ ଯୁବସୁଲଭ ସୌଷ୍ଠବ ଥିଲା। ତାହା ସ୍ବାଭାବିକ ଥିଲା। ସେ ସମୟରେ ଆଉ ସଜେଇ ହେବାର ଆବଶ୍ୟକତା ନଥିଲା।
ହେଲେ ସମସ୍ତଙ୍କ କ୍ଷେତ୍ରରେ ଯାହା ହୋଇଥାଏ ମୋ କ୍ଷେତ୍ରରେ ତାହା ହିଁ ହେଲା। ବୟସ ବଢ଼ିବାସହ ଚେହେରାରେ ଅନେକ କିଛି ପରିବର୍ତ୍ତନ ହେଲା। ମୁଣ୍ଡର କେଶ ପାଚିଗଲା। ଶାରୀରିକ ସୌନ୍ଦର୍ଯ୍ୟ ଥିବା ସମୟରେ ମୁଁ ଭାବୁଥିଲି ଆଉ ଅଧିକ କିଛି ଅନାବଶ୍ୟକ। ତାହା ମୋତେ ଭଲ ଲାଗୁଥିଲା। ସବୁକିଛି ସେତେବେଳେ ଠିକ୍‌ ଚାଲିଥିଲା। ହେଲେ ଏବେ ସେସବୁ ନାହିଁ। ଆପଣଙ୍କୁ ଏହା ହୁଏତ ଭଲ ଲାଗୁନଥିବ। ଆପଣ ନିଶ୍ଚୟ ଏହା ଭାବିଥିବେ ଯେ ମୁଁ ଏ ବୟସରେ ରୂପସଜ୍ଜା ପ୍ରତି ଗୁରୁତ୍ବ ଦେଇ ନିଜକୁ ଦେଖାଇ ହେବାକୁ ଚାହୁଁଛି। ହେଲେ ପ୍ରକୃତ ଘଟଣା ତାହା ନୁହେଁ। ମୁଁ ଏହା ଭଲଭାବେ ଜାଣେ ଯେ ଏହି ଶରୀର, ଯାହାକୁ ଆମେ ନାନା ଭାବରେ ସଜାଉଛୁ ତାହା ଦିନେ ଜଳି ପାଉଁଶରେ ପରିଣତ ହେବ। କୋଟିପତି ହୁଅନ୍ତୁ ଅଥବା ସାଧାରଣ ମଣିଷଟିଏ, ସମସ୍ତଙ୍କ କ୍ଷେତ୍ରରେ ଏହା ହିଁ ହେବ। ତା’ ସହିତ ଏ ବିଷୟରେ ମଧ୍ୟ ମୁଁ ସଚେତନ ଯେ ମୋର ବାର୍ଦ୍ଧକ୍ୟଜନିତ କୁରୂପ କାହାରି ମନରେ ଯେପରି ଦୁଃଖ ନ ଦେଉ, କାହାରି ଦୃଷ୍ଟିକଟୁ ନ ହେଉ। ନିଜ ଚେହେରାକୁ ନେଇ କାହାରି ଦୁଃଖର କାରଣ ନହେବାକୁ ମୁଁ ନିଜକୁ କିଛି ପରିମାଣରେ ସଜେଇ ହେଉଛି ଅନ୍ୟର ମନରେ ସୁଖଦେବା ପାଇଁ, ନିଜକୁ ଦେଖେଇ ହେବାପାଇଁ ନୁହେଁ।’ ଗାନ୍ଧିଜୀଙ୍କ ନିକଟରେ ଅନ୍ୟ କିଛି ପଚାରିବା ବା କହିବାର ଅବକାଶ ନଥିଲା।

kalyan agarbati

Comments are closed.