ନୂଆଦିଲ୍ଲୀ: ଭାରତରୁ ୧୩ ହଜାର ୭୦୦ କୋଟି ଠକେଇ କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ଲଣ୍ଡନ କୋର୍ଟରେ ହୋଇଥିଲା। ତେବେ ଶୁଣାଣି ବେଳେ ଏକ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ବିଚାରପତି ପ୍ରଶ୍ନ କରିଥିଲେ ନୀରବ ମୋଦୀ ଭାରତ ଯିବା ପରେ ମାଲ୍ୟାଙ୍କ ସହ ଗୋଟିଏ ସେଲରେ ରହିବେ କି?
ସୂଚନା ମୁତାବକ, ଶୁକ୍ରବାର ୟୁକେ କୋର୍ଟରେ ନୀରବ ମୋଦୀଙ୍କ ୨ୟ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ସ କୋର୍ଟର ମୁଖ୍ୟ ମାଜିଷ୍ଟ୍ରେଟ ଅର୍ବଥନଟ କହିଲେ ଯେ, ଗତବର୍ଷ ଡିସେମ୍ବରରେ ଅନ୍ୟତମ ଠକେଇ ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ସେ ନିର୍ଦେଶ ଦେଇଥିଲେ। ଏବେ ଯଦି ନୀରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ସେ କେଉଁଠି ରହିବେ। ଏହାର ଉତ୍ତରରେ ଭାରତ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା କ୍ରାଉନ ପ୍ରୋସିକ୍ୟୁସନ ସର୍ଭିସ ଓକିଲ କହିଥିଲେ ଯେ, ନୀରବ ମୋଦୀଙ୍କୁ ମୁମ୍ବଇକୁ ପ୍ରତ୍ୟର୍ପଣ କରାଯାଇପାରେ। ସେଠାରେ ସେ ମଧ୍ୟ ଆର୍ଥର ରୋଡ୍ ଜେଲରେ ରହିବେ, ଯେଉଁଠି ମାଲ୍ୟା ରହିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପରେ ବିଚାରପତି ପ୍ରଶ୍ନ କରିଥିଲେ ଯେ, ନୀରବ ମୋଦୀ ଏବଂ ମାଲ୍ୟା ଏକାଠି ଗୋଟିଏ ସେଲ୍ରେ ରହିବେ କି? ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ବିଚାର ବେଳେ ଭାରତ ପକ୍ଷରୁ ଆର୍ଥର ରୋଡ୍ ଜେଲରେ ମାଲ୍ୟାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସେଲ୍ର ଯେଉଁ ଭିଡିଓ ଦାଖଲ କରାଯାଇଥିଲା ସେଠାରେ ନୀରବ ମୋଦୀ ରହିବା ପାଇଁ ଜାଗା ଅଛି କି? ବିଚାରପତିଙ୍କ ଏଭଳି ପ୍ରଶ୍ନକୁ ନେଇ କିଛି ସମୟ ପାଇଁ କୋର୍ଟରେ ଏକ ହାଲ୍କା ମୁହୂର୍ତ୍ତ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, ୯ ହଜାର କୋଟି ଟଙ୍କାର ଋଣ ଠକେଇ କରି ମଦ ବ୍ୟବସାୟୀ ବିଜୟ ମାଲ୍ୟା ମଧ୍ୟ ଲଣ୍ଡନରେ ରହିଛନ୍ତି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ମାମଲା ବିଚାରାଧୀନ ରହିଛି। ସେ ଭାରତ ଆସିଲେ ତାଙ୍କୁ ଆର୍ଥରରୋଡ ଜେଲରେ ରଖିବା ନେଇ ବ୍ୟବସ୍ଥା ହୋଇଛି।



