www.samajalive.in
Tuesday, December 9, 2025
17.1 C
Bhubaneswar

ସଫଳ ‘ମିଶନ ଶକ୍ତି’

‘ମିଶନ ଶକ୍ତି’ର ସଫଳତା ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ)ର ଇତିହାସରେ ଏକ ନୂଆ ଫର୍ଦ ଯୋଡ଼ିଛି। ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ର ନିର୍ମାଣ ଓ ଏହାର ସଫଳ ପ୍ରୟୋଗ କରି ଡିଆରଡିଓ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଯଥାର୍ଥରେ ଏକ ଗୌରବମୟ ସିଦ୍ଧି ହାସଲ କରିଛି। ପୃଥିବୀର ନିମ୍ନ କକ୍ଷପଥରେ ଘୂରିବୁଲୁଥିବା ଉପଗ୍ରହକୁ ଧ୍ବଂସ କରିବାପାଇଁ କ୍ଷେପଣାସ୍ତ୍ର ନିର୍ମାଣ କାମଟିର ଗୁପ୍ତ ନାମଥିଲା ‘ମିଶନ ଶକ୍ତି’। ଭାରତ ଏହି ପରୀକ୍ଷାରେ ସଫଳହେବା ସହ ଆମେରିକା, ରୁଷିଆ ଓ ଚୀନ ପରେ ବିଶ୍ବର ଚତୁର୍ଥ ରାଷ୍ଟ୍ରର ମାନ୍ୟତା ପାଇଛି। ଆଉ ଏକ କଥା ହେଲା ଚୀନ ଏହି ପରୀକ୍ଷା କରିବାର ୧୨ ବର୍ଷପରେ ଭାରତକୁ ଏହି ସଫଳତା ମିଳିଛି।
ପ୍ରଶ୍ନଉଠୁଛି ଯେ ଏଭଳି କ୍ଷେପଣାସ୍ତ୍ର ନିର୍ମାଣ ଓ ତାହାର ପରୀକ୍ଷାର ଯଥାର୍ଥତା ଓ ବିଶେଷତ୍ବ କ’ଣ? ଏହା ଦେଶର ସୁରକ୍ଷା ଓ ପ୍ରତିରକ୍ଷା ବ୍ୟବସ୍ଥା ସହ ଜଡ଼ିତ। ଭବିଷ୍ୟତର ଯୁଦ୍ଧ ବିଗ୍ରହ ମହାକାଶରେ ଲଢ଼ାଯିବ ଏବଂ ଲଢ଼େଇ ବନ୍ଧୁକ ଓ ତୋପ କମାଣରେ ନ’ହୋଇ ଟେକ୍‌ନୋଲୋଜି ମାଧ୍ୟମରେ ହେବ। ଏଥିରେ ଗଣବିଧ୍ବଂସୀ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର, ଲଢ଼ୁଆ ବିମାନ ଓ ଯୁଦ୍ଧ ଜାହାଜ ସବୁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିଦ୍ବାରା ପରିଚାଳିତ ହେବେ। ଭବିଷ୍ୟତର ଲଢ଼େଇରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନିଶାଣ କରିବାପାଇଁ ଉପଗ୍ରହ (ସାଟେଲାଇଟ)ର ଭୂମିକା ସବୁଠୁ ଅଧିକ ରହିବ। ତେଣୁ ଶତ୍ରୁର ଉପଗ୍ରହ, ବିଶେଷକରି ଗୁଇନ୍ଦା ଉପଗ୍ରହକୁ ନଷ୍ଟ କରିବା ପାଇଁ ଏକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଗୁରୁତ୍ବ ଅଧିକ, ଯାହା ‘ଏ-ସାଟ୍‌’ (ଆଣ୍ଟି ସାଟେଲାଇଟ) ବ୍ୟବସ୍ଥା ନାମରେ ପରିଚିତ।
ଏହା ଡିଆରଡିଓର ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଏକ ପରିବର୍ଦ୍ଧିତ କାର୍ଯ୍ୟକ୍ରମ ହୋଇଥିଲେ ହେଁ ଏହାର ବିଶେଷତ୍ବ ହେଲା ଅତିରିକ୍ତ ବାୟୁମଣ୍ଡଳୀୟ ଅବରୋଧ ବ୍ୟବସ୍ଥା। ଏହି କାମଟି ସହଜ ନୁହେଁ; କାରଣ ଖୁବ୍‌ କମ୍‌ ସମୟ (କେଇମିନିଟ୍‌)ରେ ଏକ କାର୍ଯ୍ୟକ୍ଷମ ଭ୍ରମଣଶୀଳ ଉପଗ୍ରହକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ସାହାଯ୍ୟରେ ତାହାକୁ ନଷ୍ଟ କରିିବା ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଥିଲେ ହେଁ ଦୀର୍ଘଦିନର ପରୀକ୍ଷାନିରୀକ୍ଷା ଏବଂ ଟେକ୍‌ନୋଲୋଜି ପ୍ରସ୍ତୁୁତ କରି ଭାରତ ଏଥିରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ଯେଉଁ ତିନିଟି ଦେଶ ‘ଏ-ସାଟ୍‌’ କ୍ଷମତାର ଅଧିକାରୀ ସେମାନେ କେବେ ଅନ୍ୟଦେଶର ଉପଗ୍ରହ ନଷ୍ଟ କରିବାକୁ ଏହାକୁ ବ୍ୟବହାର କରିନାହାନ୍ତି। ଭାରତୀୟ ମହାକାଶ ଗବେଷଣା କାର୍ଯ୍ୟକ୍ରମ ଶାନ୍ତି ପାଇଁ ଉଦ୍ଦିଷ୍ଟ ଥିବାରୁ ଏହା ଏହି ବ୍ୟବସ୍ଥାର ଦୁରୁପଯୋଗ କରିବାର ଅବକାଶ ନାହିଁ; ତଥାପି ଭବିଷ୍ୟତର ଆବଶ୍ୟକତା ପାଇଁ ଏହା ଉଦ୍ଦିଷ୍ଟ। ସମ୍ଭାବ୍ୟ ମହାକାଶ ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁୁତ ରଖିବାର ଏହା ଏକ ପ୍ରୟାସ।
ଆଶାକରିବା ଡିଆରଡିଓ ଆମ ଦେଶର ଭବିଷ୍ୟତର ପ୍ରତିରକ୍ଷା ପ୍ରସ୍ତୁତି ଓ ଆବଶ୍ୟକ ଲଢ଼େଇ ସାମଗ୍ରୀ ତିଆରିରେ ଏମିତି ଆଗେଇ ଚାଲିବ। ବିପୁଳ ସୈନ୍ୟ ସାମନ୍ତ ଓ ପୁରୁଣାକାଳିଆ ବ୍ୟୟବହୁଳ ଅସ୍ତ୍ରଶସ୍ତ୍ର ଭବିଷ୍ୟତ ଲଢ଼େଇ ପାଇଁ ଅନାବଶ୍ୟକ ହେଲାଣି। ତା’ବଦଳରେ ଏକ ସୁଦକ୍ଷ, ସ୍ବଳ୍ପ ଲୋକଶକ୍ତି ବିଶିଷ୍ଟ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବାହିନୀ ଭବିଷ୍ୟତର ଆବଶ୍ୟକତା। ଭାରତ ସେ ଦିଗରେ ଯେଉଁ ଯାତ୍ରା ଆରମ୍ଭ କରିଛି ସେଥିପାଇଁ ‘ଏ-ସାଟ’ ଭଳି ଉପଲବ୍ଧି ଅବଶ୍ୟ ଜରୁରୀ। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଭୂମିକା ଅପରିହାର୍ଯ୍ୟ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories