Patra electronics

ଡାଟାର ସୁରକ୍ଷା ପାଇଁ ଫ୍ରାନ୍ସ ବନେଇବ ହ୍ୱାଟ୍ସଏପ୍‌ ପରି ଏକ ନୂଆଏପ୍‌

0

ନୂଆଦିଲ୍ଲୀ: କେମ୍ବ୍ରିଜ ଏନାଲିଟିକାର ଡାଟା ଲିକ ଘଟଣା ପରେ ସମଗ୍ର ବିଶ୍ୱରେ ଡାଟା ସୁରକ୍ଷାକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ଏହା ମଧ୍ୟରେ ଫ୍ରାନ୍ସ ସରକାରଙ୍କ ଡିଜିଟାଲ ମନ୍ତ୍ରଣାଳୟ ଦ୍ୱାରା ଏକ ମେସେଜିଂ ଏପ୍‌ ପ୍ରସ୍ତୁତ କରାଯାଇ ଥିବା ସୂଚନା ମିଳିଛି। ଏହି ଏପ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ହେବା ସହ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପକୁ ଗୋପନ ରଖିବାରେ ସଫଳ ହେବ। ଏନକ୍ରିପ୍ସ ପ୍ରକ୍ରିୟା ଦ୍ୱାରା ପରିଚାଳିତ ଏହି ମେସେଜିଂ ଆପ ଆଗାମୀ ଦିନରେ ଫ୍ରାନ୍ସର ତଥ୍ୟ ଗୋପନୀୟତାକୁ ସୁଦୃଢ କରିବ ବୋଲି ଡିଜିଟାଲ ମନ୍ତ୍ରଣାଳୟ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ନିଜେ ହ୍ୱାଟ୍ସଏପ ଓ ଟେଲିଗ୍ରାମ ପରି ମେସେଜିଂ ଏପର ଦୀର୍ଘ ଦିନ ଧରି ବ୍ୟବହାର କରୁଛନ୍ତି। କିନ୍ତୁ ଏହି ଏପ ଫ୍ରାନ୍ସର ହୋଇ ନଥିବାରୁ ଆଗାମୀ ଦିନରେ ଡାଟା ଲିକ୍‌ ହେବାର ସମ୍ଭାବନା ରହିଛି। ଏଭଳି କ୍ଷେତ୍ରରେ ନିଜସ୍ୱ ଏପ ଆଗାମୀ ଦିନରେ ଫ୍ରାନ୍ସ ତଥ୍ୟାବଳୀକୁ ସୁରକ୍ଷିତ କରିବ ବୋଲି ଡିଜିଟାଲ ମନ୍ତ୍ରଣାଳୟ ଆଶାପ୍ରକାଶ କରିଛି। ବର୍ତ୍ତମାନ ଏହି ଏପକୁ ଫ୍ରାନ୍ସର ୨୦ଜଣ ବରିଷ୍ଠ ଅଧିକାରୀଙ୍କୁ ପ୍ରଦାନ କରାଯାଇ ଏହାର ସୁରକ୍ଷା ବ୍ୟବସ୍ଥା ଓ ଏହାର ଦୋଷତୃଟିକୁ ଅନୁଧ୍ୟାନ କରାଯାଉଛି। ଆଉ ମାତ୍ର କିଛି ମାସ ମଧ୍ୟରେ ଉକ୍ତ ଏପକୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅନିବାର୍ଯ୍ୟ କରି ଦିଆଯିବ। ମୁଖ୍ୟତଃ ଆମେରିକା ଓ ରୁଷ ପରି ଦେଶର ସୁରକ୍ଷା ବ୍ୟବସ୍ଥାରୁ ଅଧିକ କଡ଼ାକଡ଼ି ଏନକ୍ରିପ୍ସ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି ଫ୍ରାନ୍ସ। ସମଗ୍ର ବିଶ୍ୱରେ ବହୁଳ ପ୍ରଚଳିତ ହ୍ୱାଟ୍ସଏପର ମାଲିକାନା ୨୦୧୪ରେ ଫେସବୁକ୍‌ କିଣି ନେଇଛି। କେମ୍ବ୍ରିଜ ଏନାଲିଟିକା ସହ ଫେସବୁକର ବୁଝାମଣା ଏବେ ସମଗ୍ର ବିଶ୍ୱବାସୀଙ୍କୁ ନିଜ ସୁରକ୍ଷାକୁ ନେଇ ଆଶଙ୍କା ମଧ୍ୟକୁ ନେଇ ଆସିଛି। ଯେତେବେଳେ ଫେସବୁକର ତଥ୍ୟ ଅନ୍ୟ ହାତକୁ ଯାଉଛି ସେତେବେଳେ ହ୍ୱାଟ୍ସଏପର ତଥ୍ୟ ସୁରକ୍ଷିତ ରହିବ ଏଭଳି ଆଶା କରୁ ନାହିଁ ଫ୍ରାନ୍ସ। ତେଣୁ ନିଜ ଏପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାଉଛି ଫ୍ରାନ୍ସ।

Leave A Reply