କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏହା ମଧ୍ୟରେ ପୁଣି ଗଣମାଧ୍ୟମରେ ଶ୍ରୀ ମୋକିମ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସରେ ଅନେକ ଅକୁହା କଥା ରହିଛି। କିଏ ଭୟରେ ତ ଆଉ କିଏ ପଦ ଚାଲିଯିବ ବୋଲି ସାହସ କରି କହିପାରୁନାହାନ୍ତି। ପ୍ରଦେଶ କଂଗ୍ରେସ ଯେଉଁ ଭଳି ଢଙ୍ଗରେ ଚାଲିଛି କେବେ ଆଗକୁ ବଢ଼ିପାରିବ ନାହିଁ। ଢାଞ୍ଚାରେ ପରିବର୍ତ୍ତନ ହେବା ଆବଶ୍ୟକ। ତେଣୁ କୌଣସି ଅସନ୍ତୋଷ ନୁହେଁ; ବରଂ ଦଳକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ସେଥିପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ସିଡବ୍ଲ୍ୟୁସି ସଦସ୍ୟଙ୍କୁ ଆବେଗଭରା ଚିଠି ଲେଖିଛି। ଭାବୁଛି, ଏହି ବାର୍ତ୍ତା ନିଶ୍ଚିତ ତାଙ୍କ ନିକଟରେ ପହଞ୍ଚିବ ଏବଂ ସେ ଏହାକୁ ଗୁରୁତ୍ବର ସହ ନେବେ ବୋଲି ମୋକିମ୍ କହିଛନ୍ତି। ଏଥିସହ ଦଳୀୟ ନେତୃତ୍ବକୁ ପୁଣି ସେ ଆହ୍ବାନ ଦେଇଛନ୍ତି। ସେ ଗଣମାଧ୍ୟମରେ କହିଛନ୍ତି ଯେ, ଯିଏ ସଭାପତି ହେବ ସେ ସମସ୍ତଙ୍କୁ ନେଇ ଚାଲିବ। କଂଗ୍ରେସ ଜଣକୁ ନେଇ ନୁହେଁ;ବରଂ ଏକ ଟିମ୍ ଭାବେ କାର୍ଯ୍ୟ କଲେ ଆଗକୁ ବଢ଼ିବ। କେବଳ ରାଜ୍ୟ ନୁହେଁ କେନ୍ଦ୍ରୀୟସ୍ତରରେ ବି ଏକ ସୁଦୃଢ ଟିମ୍ ଗଠନ କରିବାକୁ ହେବ। କାର୍ଯ୍ୟଶୈଳୀ ପ୍ରସ୍ତୁତ କରିବା ସହ ଜିତିବା ପାଇଁ ଅଙ୍କ କଷିବାକୁ ହେବ। ରାଜ୍ୟରେ ନୂଆପଡ଼ାରେ ପୂର୍ବରୁ ସାଧାରଣ ନିର୍ବାଚନରେ ଯେଉଁ ବ୍ୟକ୍ତି ମାତ୍ର ୧୧ ହଜାର ଭୋଟରେ ହାରିଥିଲେ ଉପ ନିର୍ବାଚନରେ ୮୩ ହଜାର ଭୋଟରେ ହାରିଲେ। ପୂର୍ବରୁ ମଧ୍ୟ ୬ଟି ନିର୍ବାଚନରେ ଦଳ ପରାଜୟ ଦେଖିଲାଣି। ତେଣୁ ବିଫଳତାକୁ ଆମେ ଗ୍ରହଣ କରିବା ସହ ଆଲୋଚନା କରିବା ଦରକାର। ନଚେତ୍ ସପ୍ତମ ଥର ପୁଣି ପରାଜୟ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Popular Categories



