www.samajalive.in
Saturday, December 13, 2025
17.1 C
Bhubaneswar

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ

ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି, ଯାହା ପ୍ରତ୍ୟେକ କର୍ମଜୀବୀଙ୍କ ଜୀବନ ସହ ଜଡିତ। ଏହା ହେଉଛି ‘ରାଇଟ୍ ଟୁ ଡିସକନେକ୍ଟ’ ବା ‘ଅଫିସ ସମୟ ପରେ ସମ୍ପର୍କ ବିଚ୍ଛିନ୍ନ କରିବାର ଅଧିକାର’। ଶୁଣିବାକୁ ଏହା ସାଧାରଣ ମନେହେଲେ ମଧ୍ୟ ବର୍ତ୍ତମାନର ‘ସବୁବେଳେ ଅନ୍‌ଲାଇନ’ ରହୁଥିବା ଦୁନିଆରେ ଏହା ଏକ ବୈପ୍ଳବିକ ପଦକ୍ଷେପ। ଏହି ପ୍ରସ୍ତାବିତ ବିଲ୍‌ର ମୂଳ ଉଦ୍ଦେଶ୍ୟ ହେଲା- ଅଫିସ ସମୟ ସରିବା ପରେ କୌଣସି କର୍ମଚାରୀଙ୍କୁ ମାଲିକ ବା ବସ୍ ଫୋନ୍ କିମ୍ବା ମେସେଜ୍ କରି କାମ ପାଇଁ ବାଧ୍ୟ କରିପାରିବେ ନାହିଁ। ଯଦି କେହି ଛୁଟି ସମୟରେ ଫୋନ୍ ନ ଉଠାନ୍ତି, ତେବେ ସେଥିପାଇଁ ତାଙ୍କୁ ଦଣ୍ଡିତ କରାଯାଇ ପାରିବ ନାହିଁ।
ଗତ କିଛି ବର୍ଷ ଭିତରେ, ବିଶେଷକରି ସ୍ମାର୍ଟଫୋନ୍ ଓ ଶସ୍ତା ଇଣ୍ଟରନେଟ୍ ଆସିବା ପରେ ଅଫିସ ଓ ଘର ଭିତରେ ଥିବା ସୀମାରେଖା ଉଭେଇ ଯାଇଛି। ଆଇଟି, ବ୍ୟାଙ୍କିଙ୍ଗ, ଗଣମାଧ୍ୟମ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଅବସ୍ଥା ଏମିତି ହୋଇଛି ଯେ, ସେମାନେ ଶରୀରରେ ଘରେ ଥିଲେ ମଧ୍ୟ ମନରେ ଅଫିସରେ ଥାଆନ୍ତି। ରାତି ଅଧରେ ହ୍ୱାଟ୍ସଆପରେ ବସ୍‌ଙ୍କ ନି‌େ‌ର୍ଦଶ ଆସୁଛି ଏବଂ ଶନିବାର-ରବିବାର ତଥା ଛୁଟି ଦିନରେ ମଧ୍ୟ କାମ କରିବାକୁ ପଡୁଛି। କର୍ପୋରେଟ୍ ଜଗତର ଏହି ନୂଆ ସଂସ୍କୃତି ଯୋଗୁଁଁ କର୍ମଚାରୀଙ୍କ ମଧ୍ୟରେ ମାନସିକ ଚାପ, ଅନିଦ୍ରା ଓ ପରିବାରଠାରୁ ଦୂରେଇ ଯିବାର ଭାବନା ବଢୁଛି। କେବଳ ବଡ଼ ଅଫିସର ନୁହନ୍ତି, ଡେଲିଭରୀ ବୟ ଭଳି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ଆପ୍ ମାଧ୍ୟମରେ ପ୍ରତି ମୁହୂର୍ତ୍ତରେ ନଜରବନ୍ଦୀ କରି ରଖାଯାଉଛି। ଟିକିଏ ବିଶ୍ରାମ ନେଲେ ଏହାକୁ ଅବଜ୍ଞା ବୋଲି ଧରାଯାଉଛି। ଏହି ବିଲ୍‌କୁ ସମର୍ଥନ କରୁଥିବା ଲୋକଙ୍କର ଯୁକ୍ତି ହେଲା, ଫ୍ରାନ୍ସ ଓ ସ୍ପେନ୍ ଭଳି ୟୁରୋପୀୟ ଦେଶଗୁଡ଼ିକରେ କର୍ମଚାରୀଙ୍କ ବ୍ୟକ୍ତିଗତ ସମୟକୁ ସମ୍ମାନ ଦେବା ପାଇଁ ଆଇନ ରହିଛି। ଭାରତ ଯେତେବେଳେ ବିଶ୍ୱଗୁରୁ ହେବାକୁ ସ୍ୱପ୍ନ ଦେଖୁଛି, ସେତେବେଳେ ଆମ ଦେଶର କର୍ମଚାରୀମାନଙ୍କୁ କେବଳ ଉତ୍ପାଦନ ବଢାଉଥିବା ଯନ୍ତ୍ର ଭାବିବା ଅନୁଚିତ। ଅଫିସ ସମୟ ପରେ ବିନା ପାରିଶ୍ରମିକରେ ଡିଜିଟାଲ୍ ମାଧ୍ୟମରେ ଖଟାଇବା ଏକ ପ୍ରକାର ଶୋଷଣ। ତେଣୁ କର୍ମଚାରୀଙ୍କ ମାନସିକ ଶାନ୍ତି ପାଇଁ ଏକ ଆଇନଗତ ସୁରକ୍ଷା କବଚ ରହିବା ନିହାତି ଜରୁରୀ।
ଅନ୍ୟପକ୍ଷରେ, ଶିଳ୍ପପତି ଓ କମ୍ପାନୀ ମାଲିକମାନଙ୍କର କହିବା କଥା ହେଲା, ଭାରତ ଭଳି ବିକାଶଶୀଳ ଦେଶରେ ଏଭଳି କଡ଼ା ଆଇନ ବ୍ୟବସାୟ ପାଇଁ ବାଧକ ସାଜିପାରେ। ଷ୍ଟାର୍ଟଅପ୍ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ପାଇଁ ସମୟର କୌଣସି ନିର୍ଦ୍ଦିଷ୍ଟ ସୀମା ରହିବା କଷ୍ଟକର। ଏହି ସମସ୍ୟାର ସମାଧାନ ପାଇଁ ଏକ ମଧ୍ୟମ ପନ୍ଥା ଆପଣାଇବାକୁ ପଡ଼ିବ। ଆଇନରେ ଏକ ସ୍ପଷ୍ଟ ବାର୍ତ୍ତା ରହିବା ଉଚିତ ଯେ ପ୍ରତ୍ୟେକ ମଣିଷର ବିଶ୍ରାମ ନେବାର ମୌଳିକ ଅଧିକାର ଅଛି। ନିର୍ଦ୍ଦିଷ୍ଟ ସମୟ ପରେ ଫୋନ୍ ନ ଉଠାଇଲେ କର୍ମଚାରୀଙ୍କୁ ହଇରାଣ କରାଯାଇପାରିବ ନାହିଁ; କିନ୍ତୁ ବିଭିନ୍ନ କ୍ଷେତ୍ରର କାମର ପ୍ରକୃତିକୁ ଦେଖି କିଛିଟା କୋହଳ ମନୋଭାବ ମଧ୍ୟ ରହିବା ଦରକାର। ଶେଷରେ, ଏହି ବିଲ୍ ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଟେକ୍ନୋଲୋଜି ଆମ ହାତମୁଠାକୁ ଆସିଛି ସତ; କିନ୍ତୁ ଏହା ଯେପରି ଆମର ନିଦ୍ରା ଓ ଶାନ୍ତି ଛଡ଼ାଇ ନ ନିଏ, ସେଥିପାଇଁ ଆଇନଗତ ଲକ୍ଷ୍ମଣରେଖା ଟାଣିବାର ସମୟ ଆସିଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories