www.samajalive.in
Friday, December 5, 2025
23.1 C
Bhubaneswar

ଆଚରଣ, ଉଚ୍ଚାରଣରେ ସଂଯମତା ରହୁ- ମହାମହିମଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ‘ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କଲେ ଜଳ ବୃଷ୍ଟି। ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ’। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରଚିତ ଏହି ମହନୀୟ ପଂଙ୍‌କ୍ତି ଆଜି ବି ମହତ୍ତ୍ବ ବହନ କରୁଛି। ଆପଣମାନେ ଜନତାଙ୍କ ନେତୃତ୍ବ ନେଉଛନ୍ତି। ଆପଣମାନେ ଯାହା କରିବେ ଲୋକେ ତାକୁ ଅନୁକରଣ କରିବେ। ଗୃହରେ ଏବଂ ଗୃହ ବାହାରେ ଆପଣମାନଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମତା ରହିବା ଉଚିତ। ଏହାକୁ ପାଥେୟ କରି ଆପଣଙ୍କ ପ୍ରଶଂସକ ଏବଂ ଅନୁଗାମୀ ଦେଶ ତଥା ରାଜ୍ୟ ଗଠନରେ ବ୍ରତୀ ହେବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଗୁରୁବାର ସପ୍ତଦଶ ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଓଡ଼ିଶା ବିଧାନସଭାରେ ଐତିହାସିକ ଅଭିଭାଷଣ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଦସ୍ୟଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ, ଭାରତରେ ଜନମତକୁ ଯଥେଷ୍ଟ ସମ୍ମାନ ଦିଆଯାଇଛି। ଜନତାଙ୍କ ହାତରେ ପ୍ରକୃତ କ୍ଷମତା ରହିଥାଏ। ଆପଣମାନେ ଜନଗଣଙ୍କ ପ୍ରତିନିଧି। ସେମାନଙ୍କର ସେବକ। ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ସମୟ। ଆପଣମାନେ ଗୃହ ଭିତରେ ଓ ବାହାରେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ତାହା ସମସ୍ତେ ଦେଖୁଛନ୍ତି। ଏହାକୁ ନେଇ ଆପଣଙ୍କ ପ୍ରଶଂସକ, ଅନୁଗାମୀଙ୍କ ମଧ୍ୟରେ ଉତ୍ସୁକତା ରହିଥାଏ। ଆପଣଙ୍କ ଉଚ୍ଚାରଣ ଓ ଆଚରଣ, ଉଭୟ ମୂଲ୍ୟବାନ। କେତେ ଆଶା, ଭରସା, ବିଶ୍ବାସ ନେଇ ସେମାନେ ଆପଣଙ୍କ ହାତରେ କ୍ଷମତା ଅର୍ପଣ କରିଛନ୍ତି। ସେମାନଙ୍କ ଆଶା ପୂରଣ କରିବା, ସେମାନଙ୍କ ସ୍ବପ୍ନକୁ ସାକାର କରିବା, ସର୍ବୋପରି ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣମାନଙ୍କ ପରମ କର୍ତ୍ତବ୍ୟ। ଦେଶର ଦରିଦ୍ରତମ ଲୋକ ପାଇଁ କାମ କରିବା ହିଁ ଅନ୍ତ୍ୟୋଦୟର ବାର୍ତ୍ତା।

- Advertisement -

ଅତୀତର ସ୍ମୃତି ରୋମନ୍ଥନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ, ଦେଶର ଏକାଧିକ ବିଧାନସଭା, ଅନେକ ଦେଶର ନ୍ୟାସନାଲ ଆସେମ୍ବ୍ଲି, ସଂସଦକୁ ସମ୍ବୋଧିତ କରିଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ବିଶେଷ ଖୁସିର ବିଷୟ। ମୋ ଘରକୁ ଫେରିବା ଭଳି ଲାଗୁଛି। ମୁଁ ଗାଁରୁ ସାଧାରଣ ଝିଅ ଭାବେ ଆସିଥିଲି। ଏହି ପବିତ୍ର ଗୃହ ମୋତେ ସବୁ କିଛି ଶିଖାଇଛି। ଆଜି ମୁଁ ଯେଉଁଠି ଅଛି ତା’ର ସମସ୍ତ ଶ୍ରେୟ ଏହି ଗୃହର। ଓଡ଼ିଶାବାସୀଙ୍କ, ଆପଣମାନଙ୍କ, ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ମୁଁ ଯେଉଁଠି ଅଛି ସେଠି ପହଞ୍ଚିପାରି ନଥାନ୍ତି। ଅନେକ ବର୍ଷ ପରେ ଏହି ପବିତ୍ର ଗୃହରେ ଉପସ୍ଥିତ ହେବା ପରେ ଅତୀତର ସ୍ମୃତି ସବୁ ତାଜା ହୋଇଉଠିଛି। ମୋର ଅନେକ ବନ୍ଧୁ ଏହି ଗୃହରେ ଉପସ୍ଥିତ ଅଛନ୍ତି। ଏଠାକାର ଆତ୍ମୀୟ ପରିବେଶରେ ମଁୁ ଭାବପ୍ରବଣ ହୋଇଯାଇଛି। ଏହି ଗୃହରେ ମୁଁ ଅନେକ ପ୍ରଶ୍ନ ପଚାରିଛି, ମନ୍ତ୍ରୀ ଭାବେ ଉତ୍ତର ବି ଦେଇଛି।

ରାଷ୍ଟ୍ରପତି ଆହୁରି କହିଲେ, ଓଡ଼ିଶା କେବଳ ଏକ ପ୍ରାଚୀନ ଭୂଖଣ୍ଡ କିମ୍ବା ଆଧୁନିକ ପ୍ରଦେଶ ନୁହେଁ, ଏହା ଏକ ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ପ୍ରବାହ। ଓଡ଼ିଶାର ନୌବାଣିଜ୍ୟର ସାକ୍ଷୀ ଆମ ମହୋଦଧି। ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଣ୍ୟ ମାଟି। ପ୍ରକୃତି ସବୁ ପ୍ରକାର ପ୍ରାଚୁର୍ଯ୍ୟ ଅଜାଡ଼ି ଦେଇଛି ଓଡ଼ିଶାରେ। ସବୁ ପ୍ରକାର ମାନବ ସମ୍ବଳରେ ଓଡ଼ିଶା ସମୃଦ୍ଧ। କୃଷି, ଶିଳ୍ପ, ବାଣିଜ୍ୟ ଆଦିର ବିକାଶ ପାଇଁ ଓଡ଼ିଶାର ପରିବେଶ ଖୁବ୍ ଅନୁକୂଳ। ଏସବୁ ସମ୍ପଦର ସଦୁପଯୋଗ କରାଯାଇ ଓଡ଼ିଶାକୁ ଦେଶର ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ। ୨୦୪୭ରେ ସ୍ବାଧୀନତାର ଶତାବ୍ଦୀ ସମାରୋହ ପାଳିତ ହେବା ବେଳକୁ ଭାରତ ବିକଶିତ ଦେଶରେ ପରିଣତ ହୋଇସାରିଥିବ। ୨୦୩୬ରେ ଓଡ଼ିଶା ଗଠନର ଶତବାର୍ଷିକ ପୂରଣ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିପାରିଲେ ତାହା ବିକଶିତ ଭାରତ ଗଠନ ପାଇଁ ଓଡ଼ିଶାର ଶ୍ରେଷ୍ଠ ଅବଦାନ ହେବ। ଓଡ଼ିଶାର ନେତୃବୃନ୍ଦ, କୃଷକ, ଶ୍ରମିକ, ମହିଳା, ପ୍ରଶାସକ, ବୁଦ୍ଧିଜୀବୀ ଏବଂ ଯୁବକ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିହେବ। ଭାରତ ବର୍ତ୍ତମାନ ପୃଥିବୀର ଏକ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି ଏବଂ ଆଗାମୀ ଦିନରେ ଏହା ଆହୁରି ଶକ୍ତିଶାଳୀ ହେବ। ମହାକାଶ ବିଜ୍ଞାନ, ଆଇଟି, ଏଆଇ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ବିଶ୍ବ ବେଶ୍ ପ୍ରଶଂସା କରୁଛି। ଏକ ବିକଶିତ ଭାରତର ଏହା ଏକ ପ୍ରାକ୍ ସୂଚନା।

ଶ୍ରୀମତୀ ମୁର୍ମୁ କହିଲେ, ଓଡ଼ିଶା ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଳ୍ପ ଦିନର କାର୍ଯ୍ୟକାଳ ମଧ୍ୟରେ ଅନେକ ନୂଆ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ମହିଳାମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ସ୍ବାବଲମ୍ବୀ ହେଉଛନ୍ତି। ଧାନ କିଣା ଉପରେ ରାଜ୍ୟ ସରକାର ରିଆତି ଦେବା ଏକ ଉତ୍ତମ ପଦକ୍ଷେପ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ଶିଳ୍ପାୟନ ନୂଆ ରୂପ ନେଉଛି। ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories