ବଡୋଦରା: ଗୁଜରାଟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର)ରେ ସାମିଲ ଥିବା ଆଉ ଜଣେ ବୁଥ ଲେବୁଲ ଅଫିସର (ବିଏଲ୍ଓ)ଙ୍କର ଶନିବାର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗୁଜରାଟରେ ୪ଦିନରେ ୪ଜଣ ବିଏଲଓଙ୍କର ମୃତ୍ୟୁ ହେଲାଣି। ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ କାମ ଚାପ ଜନିତ ଆତ୍ମହତ୍ୟା କରିଛନ୍ତି। ଆଉ ଜଣଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏହା ସହିତ ଆଉ ଜଣେ ଦୃଦ୍ଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଉ ଜଣେ ସୋସିଆଲ ମିଡିଆ ମାଧ୍ୟମରେ ଆତ୍ମହତ୍ୟାର ଧମକ ଦେଇଛନ୍ତି।
ଶନିବାର ପ୍ରାଣ ହରାଇଥିବା ବିଏଲଓ ହେଲେ ଉଷା ସୋଲାଙ୍କି। ସେ ଗୋରୱା ମହିଳା ଆଇଆଇଟିରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ବଡଦୋରା କଡକ ବଜାରର ବିଏଲଓ ସହାୟକ ଭାବେ ନିଯୁକ୍ତି ଦିଆଯାଇଛି। ଶନିବାର ସେ ତାଙ୍କ ସୁପରଭାଇଜରଙ୍କୁ ଅପେକ୍ଷା କରିଥିବାବେଳେ ଟଳି ପଡିଥିଲେ। ତାଙ୍କୁ ଏସଏସଜି ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଅଧିକାରୀଙ୍କ କହିବା ଅନୁଯାୟୀ ଉଷା ତିନି ଦିନ ହେଲା ଏସ୍ଆଇଆର କାମରେ ନିୟୋଜିତ ଥିଲେ। ସ୍ବାମୀ କହିଛନ୍ତି ଯେ ଉଷା ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ଏହି କାର୍ଯ୍ୟରୁ ତାଙ୍କୁ ଅନ୍ତର କରିବା ଲାଗି ନିବେଦନ କରିଥିଲେ। ବଡଦୋରା ଜିଲାପାଳ ଅନିଲ ଧାମେଲିଆ କାମ ଚାପ ଯୋଗୁଁ ବିଏଲଓଙ୍କ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଉଷା କୌଣସି ପ୍ରକାର ଛୁଟି ଆବେଦନ କରି ନଥିଲେ। ତେବେ ବିଏଲଓମାନଙ୍କ ଉଦ୍ବେଗ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି। କାମ ଚାପ କମ୍ କରିବା ଲାଗି ଅଧିକ କର୍ମଚାରୀ ନିୟୋଜିତ କରିବାକୁ ଚେଷ୍ଟା କରାଯାଉଛି। ଏହା ସହିତ ରାତିରେ ଏସ୍ଆଇଆର୍ କାମ ନ କରିବାକୁ କୁହାଯାଇଛି। ଗୋଧ୍ରା ବିଏଲଓ ବିନୁ ବାମନିଆ ସୋସିଆଲ ମିଡିଆରେ ଏସ୍ଆଇଆର କାମ ବର୍ଜନ କରିବାକୁ ନିଜ ସାଥୀମାନଙ୍କୁ ନିବେଦନ କରିଛନ୍ତି। ଶନିବାର ସୁଦ୍ଧା ୨୦୦ ପୂରଣ ହୋଇଥିବା ଫର୍ମ ନ ଫେରାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି।
ପଞ୍ଚମାଲ ଜିଲାପାଳ ଅଜୟ ଡାହିୟା କହିଛନ୍ତି ଯେ ବିଏଲଓମାନେ ନିଜ ସୁବିଧା ମୁତାବକ କାମ କରିବେ। ସେମାନଙ୍କ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯିବ ନାହିଁ। ଏହା ସହିତ ପ୍ରତି ବିଏଲଓଙ୍କୁ ସହାୟତା କରିବା ଲାଗି ଦୁଇ ଜଣ ଲେଖାଏଁ ସହାୟକ ଦିଆଯିବ। ପଶ୍ଚିମବଙ୍ଗରେ ମଧ୍ୟ ଏସ୍ଆଇଆର କାମ ଚାପ ଯୋଗୁଁ ଦୁଇ ଜଣ ବିଏଲଓ ଆତ୍ମହତ୍ୟା କଲେଣି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖି ଏସଆରଆଇ ପ୍ରକ୍ରିୟା ବନ୍ଦ କରିବାକୁ କହିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ଗଣମାଧ୍ୟମ ରିପୋର୍ଟ ଆଧାରରେ କହିଛନ୍ତି ଯେ ୬ଟି ରାଜ୍ୟରେ ୧୬ଜଣ ବିଏଲଓ ପ୍ରାଣ ହରାଇଲେଣି। ଏଥିରୁ ଗୁଜରାଟ ଓ ମଧ୍ୟପ୍ରଦେଶରେ ୪ଜଣ ଲେଖାଏଁ। ପଶ୍ଚିମବଙ୍ଗରେ ୩, ରାଜସ୍ଥାନରେ ୨, ତାମିଲନାଡୁ ଓ କେରଳରେ ଜଣେ ଲେଖାଏଁ। ଦେଶର ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ଏସ୍ଆଇଆର୍ ଚାଲିଛି।



