ଭୁବନେଶ୍ବର: ନିଶା କବଳରେ ଓଡ଼ିଶା। ନିଶା କାରବାର କମିବା ବଦଳରେ ବଢ଼ି ଚାଲୁଛି। ଗତବର୍ଷ ଅପେକ୍ଷା ଏବର୍ଷ ନିଶା କାରବାର ଜନିତ ମାମଲା ଓ ଜବତ ନିଶାଦ୍ରବ୍ୟ ପରିମାଣ ବୃଦ୍ଧି ଘଟିଛି। ସଡ଼କ, ରେଳ ଓ ଜଳପଥରେ କଡ଼ାକଡ଼ି ଯାଞ୍ଚ ସତ୍ତ୍ବେ ବି ନିଶା କାରବାର ଥମୁନି। ଓଡ଼ିଶାରେ ନିଶା କାରବାର ବୃଦ୍ଧି ଘଟାଇ ଅଶାନ୍ତ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି କିଛି ଦେଶବିରୋଧୀ ତତ୍ତ୍ବ। ନିଶାମୁକ୍ତ ଓଡ଼ିଶା ଲାଗି କସରତ ଆରମ୍ଭ ହୋଇଛି। ରାଜ୍ୟରେ ବଢ଼ୁଥିବା ନିଶା କାରବାରରେ ଅଙ୍କୁଶ ଲଗାଇବାକୁ ଧରପଗଡ଼ ଚଳାଇଛି ଓଡ଼ିଶା ପୁଲିସ। ପ୍ରହାର ଓ ବଜ୍ର ଭଳି ସ୍ବତନ୍ତ୍ର ଧରପଗଡ଼ ଅଭିଯାନ କରି ନିଶା ମାଫିଆଙ୍କୁ ସାବାଡ଼ କରାଯାଉଛି। ବ୍ରାଉନସୁଗର ବେପାରୀଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାମିନ ମିଳୁନି। ତଥାପି ନିଶା କାରବାର କମିବା ବଦଳରେ ବଢ଼ି ଚାଲିଛି। ଗତବର୍ଷ ତୁଳନାରେ ନିଶା କାରବାର ବଢ଼ୁଥିବାରୁ ପୁଲିସର ଚିନ୍ତା ବଢ଼ିଛି। ତଥାପି ବିଭିନ୍ନ ଜିଲା ପୁଲିସ ସହ ସମନ୍ବୟ ରକ୍ଷା କରି କ୍ରାଇମ୍ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ(ଏସ୍ଟିଏଫ୍) ଚଢ଼ଉକୁ ଜୋରଦାର କରିଛି। ଗତ ୧୦ମାସରେ ୨୩୪୬ ନିଶା ମାଫିଆଙ୍କୁ ଗିରଫ ସହ ୫୦ କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି।
ତଥ୍ୟ ଅନୁଯାୟୀ, ଚଳିତବର୍ଷ ରାଜ୍ୟରୁ ୧୪ କିଲୋ ବ୍ରାଉନସୁଗର ଜବତ କରାଯିବା ସହ ୫୨୪ଜଣଙ୍କୁ ଗିରଫ କରାଯାଇଛି। ୧୮୭୭ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୧୬୪୧ଜଣ ଓ ୭୩ହଜାର ୧୮୧ ବୋତଲ କଫ୍ ସିରପ ଜବତ ସହ ୧୮୧ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବ୍ରାଉନସୁଗର କାରବାର ସାରା ରାଜ୍ୟରେ ମାଡ଼ିଗଲାଣି। ବ୍ରାଉନସୁଗର ଜବତରେ ବାଲେଶ୍ବର, ଭୁବନେଶ୍ବର, ଖୋର୍ଦ୍ଧା, କଟକ, ଭଦ୍ରକ ଆଦି ଜିଲା ଆଗରେ ରହିଛି। ଅନୁରୂପ ଭାବେ କନ୍ଧମାଳ, ମାଲକାନଗିରି, କୋରାପୁଟ, ବୌଦ୍ଧ ଓ ଗଜପତି ଜିଲାରେ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସେଠାରୁ ରାଜ୍ୟର ବିଭିନ୍ନ ଜିଲା ଓ ରାଜ୍ୟ ବାହାରକୁ ଲମ୍ବିଛି ଗଞ୍ଜେଇ କାରବାର ଚେର। ପଶ୍ଚିମ ଓଡ଼ିଶାରେ ଏହି କଫ୍ସିରପ ବ୍ୟବହାର ଅଧିକ ହେଉଥିବା ଜଣାପଡ଼ିଛି। ଔଷଧ ଭାବେ ବ୍ୟବହାର ନକରି ତାହାକୁ ନିଶା ଭାବେ ବ୍ୟବହାର କରାଯାଉଛି। କଲେଜ ପଢ଼ୁଆଙ୍କୁ ଟାର୍ଗେଟ କରି ଏହି କଫ୍ସିରପ କାରବାର ଚାଲୁଛି। ସମ୍ବଲପୁର, ବଲାଙ୍ଗିର, ସୋନପୁର, ବରଗଡ଼, ପୁରୀ ଓ ଦ୍ବୈତନଗରୀରେ କଫ୍ସିରପ ଚାହିଦା ବଢ଼ୁଛି। ଆଗକୁ ନୂଆବର୍ଷ ଥିବାରୁ ବ୍ରାଉନସୁଗର, ଗଞ୍ଜେଇ, କଫ୍ସିରପ. ମାରିଜୁଆନା, ସିନ୍ଥେଟିକ୍ ଡ୍ରଗ୍ସ (ଏଲ୍ଏସ୍ଡ଼ି) ଆଦି ନିଶା କାରବାର ବୃଦ୍ଧି ହେବା ଆଶଙ୍କା ରହିଛି।
ଏହି ସଂକ୍ରାନ୍ତରେ ଏସ୍ଟିଏଫ୍ର ଅତିରିକ୍ତ ଏସ୍ପି ସଞ୍ଜୀବ ଶତପଥୀ କହିଛନ୍ତି, ବିଭିନ୍ନ ଜିଲା ପୁଲିସ ସହାୟତାରେ ଚଢ଼ଉ ଜାରି ରହିଛି। ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଆନ୍ତଃରାଜ୍ୟ ଲିଙ୍କ୍ ଖୋଜାଯାଉଛି। ଶିକ୍ଷାନୁଷ୍ଠାନକୁ ନିଶାମୁକ୍ତ ଲାଗି ପ୍ରାଧାନ୍ୟ ଦିଆଯାଉଛି। ନିଶା ବେପାର, ସେବନ ଓ ପ୍ରୋତ୍ସାହନ ଯୋଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।



