ସୃଷ୍ଟି ରଚନା ପ୍ରକ୍ରିୟାରେ ମାର୍ଗଶିରକୁ ବର୍ଷର ପ୍ରଥମ ମାସ ବୋଲି ଅଭିହିତ କରାଯାଏ। ଏହି ମାସ ହେଉଛି ମା’ ଲକ୍ଷ୍ମୀଙ୍କ ମାସ। ଶ୍ରୀମଦ୍ଭଗବଦ ଗୀତା ଦଶମ ଅଧ୍ୟାୟ ‘ବିଭୂତିଯୋଗ’ରେ ଭଗବାନ ବିଷ୍ଣୁ କହିଛନ୍ତି “ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର।” ଏହା ସୂଚାଏ, ମାର୍ଗଶିର ମାସ ବିଷ୍ଣୁଙ୍କ ସ୍ୱରୂପ। ତେଣୁ ଉଭୟ ଲକ୍ଷ୍ମୀ ଓ ନାରାୟଣ ଏହି ମାସର ଉପାସ୍ୟ ଅଟନ୍ତି। ଆଧ୍ୟାତ୍ମିକତା ଆମ ଜୀବନର ମୂଳଭିତ୍ତି। ଆର୍ଯ୍ୟ ନାରୀମାନେ ଭୋଗରେ ନୁହେଁ, ତ୍ୟାଗରେ ହିଁ ଜୀବନ ବିତାଇଥା’ନ୍ତି। ନାରୀ ହେଉଛି ପାରିବାରିକ ଜୀବନର ମେରୁଦଣ୍ଡ। ତା’ର ପ୍ରତ୍ୟେକଟି ସତ୍ତା ପରିବାରବର୍ଗଙ୍କର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ତେଣୁ ଯେଉଁଠି ନାରୀ ଅଳସୁଆ, ସେଠି ପରିବାର ଅଳସୁଆ ହୋଇଯାଏ। ମାର୍ଗଶିରରେ ମା’ ଲକ୍ଷ୍ମୀ ନାରୀମାନଙ୍କ ମଧ୍ୟରେ ଜଗତରୁ ଆଳସ୍ୟ ପରିହାର ବାର୍ତ୍ତା ବାଣ୍ଟିବା ସହିତ କର୍ତ୍ତବ୍ୟ ପାଳନରେ ସଚେତନ ହେବାର ଶିକ୍ଷା ଦେଇଛନ୍ତି। କୃଷିଭିତ୍ତିକ ପର୍ବ ମାଣବସାର ଝୋଟିଚିତା ଗୃହିଣୀମାନଙ୍କର କଳାର ପରିଚୟ ଦେବା ସହିତ ପରିବେଶର ଶୁଦ୍ଧତା ବିଶ୍ୱ ପାଇଁ ପର୍ଯ୍ୟାବରଣ ସୁରକ୍ଷାର ବାର୍ତ୍ତା ଦେଇଥାଏ।
କ୍ଷୀରାବ୍ଧିତନୟା ମା’ ଲକ୍ଷ୍ମୀ ହେଉଛନ୍ତି ଅନ୍ନଦାତ୍ରୀ। ତାଙ୍କ ବିନା ସୃଷ୍ଟିର ସ୍ଥିତି ବ୍ୟାପ୍ତି ଅକଳ୍ପନୀୟ। ଶାନ୍ତି, ସିଦ୍ଧି, ବୁଦ୍ଧି, ସୌଭାଗ୍ୟ ଓ ଆନନ୍ଦର ଦେବୀ ମା’ ମହାଲକ୍ଷ୍ମୀ। ମଦ୍ୟ, ମାଂସ ଓ ଆମିଷରେ ଯେଉଁ ସ୍ଥାନ ପ୍ରଦୂଷିତ, ଯେଉଁଠାରେ ପରନିନ୍ଦା ଓ ପରଚର୍ଚ୍ଚା, ବାଦ, ଛିଦ୍ର, ଈର୍ଷା, ହିଂସା, କଳହ ଆଦିରେ ଯେଉଁ ସ୍ଥାନ ଦୁର୍ଗନ୍ଧଯୁକ୍ତ, ସେହି ସ୍ଥାନ ଲକ୍ଷ୍ମୀ ସର୍ବଦା ବର୍ଜନ କରନ୍ତି। ଯେଉଁଠାରେ ଶୁଦ୍ଧତା ନାହିଁ, ସେଠାରେ ସିଦ୍ଧିଲାଭ କରାଯାଇପାରେ ନାହିଁ ବୋଲି ମା’ ପ୍ରମାଣିତ କରିଛନ୍ତି। ମାର୍ଗଶିରର ଜାଡ଼କୁ ଖାତିର ନକରି ମା’ଙ୍କ ଆଗମନ ପାଇଁ ପ୍ରତିଟି ଓଡ଼ିଆଣୀର ପ୍ରାଣ ଚଳଚଞ୍ଚଳ ହୋଇପଡ଼େ। ଗୋତନ୍ତ୍ରରେ ବର୍ଣ୍ଣନା ଅଛି ଯେ, ଗୋମାତାର ଶ୍ରେଷ୍ଠ ଅଂଶ ଗୋବର। ଗୋବରରେ ମହାଲକ୍ଷ୍ମୀଙ୍କର ନିବାସସ୍ଥଳୀ ଅଟେ। ତେଣୁ ଝୋଟିଚିତାରେ ଗୋବର ଥୋଇ ଗେଣ୍ଡୁଫୁଲ ସଜାଇ ଧୂପଦୀପରେ ବନ୍ଦାପନା କରାଯାଏ। ଯେତେବେଳେ ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଆ ଜାତି ଭୂଲୁଣ୍ଠିତ ହୋଇଥିଲା, ସବୁ ଧାନ ତା’ର ନଷ୍ଟ ହୋଇଗଲା। ସେ ମାର୍ଗଶିରର ମାଣକ ଧାନକୁ ଭୋକରେ ଆଉଟୁପାଉଟୁ ହୋଇ ସୁଦ୍ଧା ଚାଉଳ ରୂପେ ନଖାଇ ମା’ଙ୍କ ସ୍ୱରୂପରେ ଈଶାଣ କୋଣରେ ସୁରକ୍ଷିତ କରି ରଖିଥିଲା। ଜନ୍ମିତ ଜାତି ଅନୁଯାୟୀ ମନୁଷ୍ୟର ସାମାଜିକ ପଦମର୍ଯ୍ୟାଦା ନିରୂପିତ ହୋଇଥାଏ। କିନ୍ତୁ ମାର୍ଗଶିର ମାସରେ ଓଡ଼ିଶାର ଏକ ବିପରୀତ ସାମାଜିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥାଏ ଏବଂ ଲକ୍ଷ୍ମୀପୁରାଣ ଅନୁଯାୟୀ ମା’ ଲକ୍ଷ୍ମୀ ଶ୍ରୀୟା ଚାଣ୍ଡାଳୁଣୀର ଘରକୁ ଯାଇଥିବା ହେତୁ ସ୍ୱାମୀ ଜଗନ୍ନାଥଙ୍କ ଦ୍ୱାରା ନିନ୍ଦିତ ହୋଇଥିଲେ କିନ୍ତୁ ଶେଷରେ ସ୍ୱାମୀ ଓ ଦେଢ଼ଶୁର ନିଜନିଜର ଭୁଲ ବୁଝିପାରିଥିଲେ।
ଓଡ଼ିଶା ଭଳି ଏକ ପିତୃକୈନ୍ଦ୍ରିକ ସମାଜରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅସ୍ପୃଶ୍ୟତା ବିରୋଧରେ ତୀବ୍ର ସ୍ୱର ଉତ୍ତୋଳନ କରିବାରେ ସଫଳ ହୋଇପାରିଛି। ତତ୍ ସହିତ ସ୍ତ୍ରୀ ଜାତିର ଶକ୍ତି ଓ ସାମର୍ଥ୍ୟ ବିଷୟରେ ‘ଲକ୍ଷ୍ମୀପୁରାଣ’ ଆମର ଦୃଷ୍ଟି ଆକର୍ଷଣ କରେ। ପାରମ୍ପରିକ ରକ୍ଷଣଶୀଳ ସମାଜ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଥିବା ଜଗନ୍ନାଥ ମନ୍ଦିର ଏବଂ ସେଥିରେ ଉପାସ୍ୟ ଜଗନ୍ନାଥ/ବଳଦେବଙ୍କୁ କବି ସାଧାରଣ ଚରିତ୍ର ଭୂମିକାରେ ଓହ୍ଲାଇ ଆଣି ଶେଷରେ ତାଙ୍କରି ମୁଖରେ ଯେଉଁ ପାରିବାରିକ ଜୀବନର ମୌଳିକ ବାର୍ତ୍ତା ପ୍ରେରଣ କରିଛନ୍ତି ତାହା ସାମ୍ପ୍ରତିକ ସମାଜ ପାଇଁ ଶିକ୍ଷଣୀୟ ଅଟେ। ମା’ ଲକ୍ଷ୍ମୀ ଭାରତୀୟ ଅବଳାଙ୍କ ପରି ପତିର ସମସ୍ତ ଦୋଷକୁ ନୀରବରେ ସହିଯାଇ ନାହାନ୍ତି ଅବା ରାମାୟଣର ସୀତାଙ୍କ ପରି ନିେର୍ଦାଷରେ ପତିଙ୍କ ନିର୍ବାସନର ଦଣ୍ଡ ଭୋଗ କରିନାହାନ୍ତି। ସ୍ୱାମୀଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଶ୍ରଦ୍ଧା ଓ ଭକ୍ତି ଥିଲେ ବି ସ୍ତ୍ରୀର ଅଧିକାର ବିଷୟରେ ସଚେତନ କରାଇବା ଲାଗି ପତିର ଆର୍ଥନୀତିକ କ୍ଷମତାକୁ ସଙ୍କୁଚିତ କରିଛନ୍ତି। ବୋଧହୁଏ ସେଇକାଳରୁ ଜଗନ୍ନାଥଙ୍କ ସକଳ ସମ୍ପତ୍ତିର ଅଧିକାରିଣୀ ମା’ ଲକ୍ଷ୍ମୀ। ତାଙ୍କ ଭଣ୍ଡାରର ନାମ ଶ୍ରୀକୋଠ ଭଣ୍ଡାର। ଲକ୍ଷ୍ମୀ ଜଗନ୍ନାଥଙ୍କ ଉପରେ କ୍ରୋଧିତ ହୋଇ ତାଙ୍କ ଆର୍ଥନୀତିକ କ୍ଷମତା ଅପହରଣ କଲାବେଳେ ଛୋଟ ମୁଦି, ଶୋଇଥିବା ଖଟ ମଧ୍ୟ ନେବାକୁ ଭୁଲିନାହାନ୍ତି। ପାଞ୍ଚଶହ ବର୍ଷ ପୂବରୁ ବଳରାମ ଦାସ ‘ଲକ୍ଷ୍ମୀପୁରାଣ’ ମାଧ୍ୟମରେ ଶ୍ରୀୟା ଚାଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶକ୍ତୀକରଣର କଥା କହିଥିଲେ। ସାମାଜିକ ସରସତା, ଛୁଆଁ ଅଛୁଆଁ ଭେଦଭାବ, ମହିଳା ଅଧିକାର, ନାରୀ ସଶକ୍ତୀକରଣ, ଅଧିକାରବାଦ ଓ ସ୍ୱଚ୍ଛଭାରତ ଲକ୍ଷ୍ମୀପୁରାଣର ସାମାଜିକ ତତ୍ତ୍ୱ।
ମହାତ୍ମା ଗାନ୍ଧୀ ପୁରୀ ଆସି ଦଳିତମାନଙ୍କ ମନ୍ଦିର ପ୍ରବେଶ ଅଧିକାର ନଥିବାରୁ ଏହାକୁ ବିରୋଧ କରିଥିଲେ ମାତ୍ର ଗାନ୍ଧିଜୀଙ୍କ ଓଡ଼ିଶା ଆସିବାର ଅନେକ ବର୍ଷ ପୂର୍ବରୁ ବଳରାମ ଦାସ ଜାତିପ୍ରଥା ବିରୋଧରେ ଶାଣିତ ସ୍ୱର ଉତ୍ତୋଳନ କରିଥିଲେ। ଏହାଛଡ଼ା ସାମାଜିକ ନ୍ୟାୟ ଗରିବ କଲ୍ୟାଣକାରୀ ଓ ନାରୀ ସଶକ୍ତୀକରଣ ଯୋଜନା ମଧ୍ୟ ପ୍ରତିଫଳିତ ହୋଇଛି। ଏବେ ସରକାର ସ୍ୱଚ୍ଛ ଭାରତ କଥା କହୁଥିବା ବେଳେ ଶହଶହ ବର୍ଷ ପୂର୍ବରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଜାତି ସ୍ୱଚ୍ଛତାରେ ଦୁଇପାଦ ଆଗରେ ରହିଆସିଛି।
ବଳରାମ ଦାସ ପୁରୀ ନିକଟବର୍ତ୍ତୀ ସମଗରା ଠାରେ ପଞ୍ଚଦଶ ଶତାବ୍ଦୀର ଶେଷ ଦଶକରେ ଜନ୍ମଗ୍ରହଣ କରିଥିଲେ। ସେ ଗୃହସ୍ଥ ନଥିଲେ। ମାତ୍ର ପୁରୀ ପାଖାପାଖି ଅଞ୍ଚଳରେ ଉଚ୍ଚ ସାମନ୍ତ ବ୍ରାହ୍ମଣମାନଙ୍କ ପରିବାରରେ ନାରୀର ଯନ୍ତ୍ରଣାକୁ ସେ ସ୍ପଷ୍ଟ ଉପଲବ୍ଧି କରିଥିଲେ। ନାରୀ ସେତେବେଳେ ଏକ ପଣ୍ୟଦ୍ରବ୍ୟ ଥିଲା। ସନ୍ଥ ସଂସ୍କାରକ ବଳରାମ ବିଶେଷ କରି ଚାହୁଁଥିଲେ ନାରୀ ନିଜର ଶକ୍ତି ସମ୍ପର୍କରେ ସଚେତନ ହେଉ। ନାରୀ ପୁରୁଷର ଅହଂକାରର ଶିକାର ନହେଉ। ତେଣୁ ନାରୀ ନିର୍ଯ୍ୟାତନା ଓ ଜାତିପ୍ରଥା ବିରୁଦ୍ଧରେ କବି ଦୃପ୍ତ ପଦକ୍ଷେପ ନେଇଛନ୍ତି। ତେବେ ଆସନ୍ତୁ ହିଂସାଠୁ ଦୂରେଇ ହୃଦୟରେ ସକରାତ୍ମକ ଭାବନାର ସ୍ୱଚ୍ଛ ସଲିଳ ସ୍ରୋତରେ ସିକ୍ତ କରିବା, ତେବେ ସିନା ମା’ଙ୍କ ଅଜସ୍ର ଆଶୀର୍ବାଦ ଝରିପଡ଼ିବ ଆମ ଉପରେ। ଏ ଭୂମି ସ୍ୱର୍ଗର ଅମରାବତୀର ଭ୍ରମ ସୃଷ୍ଟି କରିବ।
ସ୍ମୃତିରେଖା ମହାକୁଡ଼, ବାସୁଦେବପୁର, ଭଦ୍ରକ



