ମହର୍ଷି ଅଙ୍ଗିରାଙ୍କ ଶିଷ୍ୟ ଗୋପମାଳ ଗୁରୁଙ୍କ ନିର୍ଦେଶ ମୁତାବକ ଗୃହସ୍ଥଧର୍ମ ପାଳନ ଭିତରେ ଘୋର ଅଭାବ ଅନଟନରେ ପଡ଼ି ଏକ ଗୁରୁତର ଭୁଲ କରିଥିଲେ। ପାଳିତ ଗାଈକୁ ଅଭାବ ମେଣ୍ଟନ ନିମିତ୍ତ ବିକ୍ରି କରିବାକୁ ହୋଇଥିଲା। ପରେ ସେ ଜାଣିବାକୁ ପାଇଥିଲେ ଯେ ଗାଈର କ୍ରେତା ଏକ କଂସେଇ ଓ ଗାଈଟି କିଛିମାସ ହେବ ଫଳ ଯାଇଥିଲା। ଅଜାଣତରେ ଏଭଳି ମହାପାପ କରିଥିବାରୁ ଗୋପମାଳ ମାନସିକ ଭାରସାମ୍ୟ ହରାଇଥିଲେ। ସ୍ଥିର କଲେ ଗୃହସ୍ଥ ଧର୍ମ ତ୍ୟାଗ କରିବେ। ବ୍ୟବହାରରେ ଆକସ୍ମିକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ ପତ୍ନୀ ମାଳିନୀ।
ଅନୁମାନ କରିନେଲେ ପତ୍ନୀ ଗୃହତ୍ୟାଗ କରିବାକୁ ଯାଉଛନ୍ତି। ନିଶ୍ଚୟ କଲେ ସ୍ବାମୀ ଗୃହତ୍ୟାଗ କଲେ ସେ ମଧ୍ୟ ତାଙ୍କ ସହ ଗୃହତ୍ୟାଗ କରିବେ। ଅମାବାସ୍ୟାର ଅନ୍ଧକାର ରାତି। ଖୁବ୍ ସନ୍ତର୍ପଣରେ ଗୋପମାଳ ଗୃହତ୍ୟାଗ ଉଦ୍ଦେଶ୍ୟରେ ଦ୍ବାର ନିକଟରେ ଉପସ୍ଥିତ ହୁଅନ୍ତେ ଚମକି ପଡ଼ିଥିଲେ ପତ୍ନୀ ମାଳିନୀଙ୍କୁ ଦେଖି। ତାଙ୍କସହ ଗୃହତ୍ୟାଗ କରିବାକୁ ଜିଦ୍ କରିଥିଲେ ମାଳିନୀ। ଗୃହତ୍ୟାଗ ପରେ ବାହାରର ଜୀବନ ଅତି କଷ୍ଟପ୍ରଦ, ଏହା ତୁମ ପାଇଁ ଅସହନୀୟ ହେବ ବୋଲି ଚେତାଇ ଦେଇଥିଲେ ଗୋପମାଳ। ପତ୍ନୀ କିନ୍ତୁ ଦୃଢ଼ତାର ସହ କହିଥିଲେ ଯଦି ତୁମେ ଏହାକୁ (କଠିନ ପରିସ୍ଥିତି) ସହି ପାରିବ, ମୁଁ କାହିଁକି ସହି ପାରିବିନି? ଏହିଭଳି କଥୋପକଥନ ସମୟରେ ସେମାନଙ୍କ ସମ୍ମୁଖରେ ଏକ ଆକୃତି ପ୍ରକଟ ହୋଇଥିଲେ। ଗୋପମାଳ ତାଙ୍କୁ ଚିହ୍ନି ପାରିଥିଲେ ଅନ୍ଧାରରେ। ଇଏ ତ ମୋର ଗୁରୁଦେବ ଋଷି ଅଙ୍ଗିରା। ପ୍ରଣାମ ସମୟରେ ଆଶୀର୍ବାଦ ପ୍ରଦାନ କରି ଗୁୁରୁ କହିଥିଲେ ବତ୍ସ! ତୁମେ ଦୁହେଁ ଆତ୍ମକଲ୍ୟାଣ ପାଇଁ ଇଚ୍ଛୁକ। ତିତିକ୍ଷା ସହ୍ୟ ପାଇଁ ପ୍ରସ୍ତୁତ। ହେଲେ ଯିଏ ପାରିବାରିକ ଓ ସାମାଜିକ ଜୀବନର କଠିନ ପରିସ୍ଥିତି ବିରୋଧରେ ଲଢ଼େଇ କରିବାକୁ ଅକ୍ଷମ ସିଏ ଭଲା ଏକାନ୍ତ ଜୀବନ, ସାଧନାତ୍ମକ ଜୀବନ, ଆଧ୍ୟାତ୍ମିକ ଜୀବନ ସହ ସଂଘର୍ଷର କିପରି ମୁକାବିଲା କରିପାରିବ? ଯେଉଁ ପ୍ରତିକୂଳ ପରିସ୍ଥିତିରେ ଘାବରେଇ ଯାଇ ତୁମେ ଗୃହସ୍ଥ ଧର୍ମ ତ୍ୟାଗ କରି ପଳାୟନ କରିବାକୁ ଚାହୁଁଛ। ଯଦି ଗୃହସ୍ଥାଶ୍ରମଠାରୁ ଅଧିକ କଠିନ ପରିସ୍ଥିତିକୁ ଏକାନ୍ତ ଜୀବନରେ ତୁମକୁ ସାମନା କରିବାକୁ ପଡ଼େ ତୁମେ ଏହାର ସମ୍ମୁଖୀନ ହୋଇପାରିବ ତ? ହଁ, ମୁଁ ମାନୁଛି ଭୁଲବଶତଃ ତୁମେ ୨/୩ ମାସ ଗର୍ଭ ଥିବା ଗାଈକୁ କଂସେଇକୁ ବିକ୍ରି କରିଦେଇଛ।
ତୁମେ ଗୃହତ୍ୟାଗ କରି ପଳାୟନ କଲେ ସମାଜରୁ କ’ଣ ଏ ଧରଣର ପାପ କାର୍ଯ୍ୟ ବନ୍ଦ ହୋଇଯିବ? ତେବେ ସଂସାରରେ ରହି ଲୋକମାନଙ୍କୁ ପାପ ପଥରୁ ନିବୃତ୍ତ କରାଇବା କାହିଁକି ଉଚିତ ହେବନାହିଁ? ତୁମେ ପଳାୟନ ନୁହଁ- ପୁରୁଷାର୍ଥର ପରିପ୍ରକାଶ କର। ଗୃହସ୍ଥ ଜୀବନର ଦାୟିତ୍ବ ନିର୍ବାହ କରି ଗୃହୀ ଭାବରେ ଯଦି ତପ, ସାଧନା, ଧ୍ୟାନ ଜାରି ରଖିପାର ତେବେ ମୋକ୍ଷ, ମୁକ୍ତି, ଭଗବତ୍ପ୍ରାପ୍ତି ଭଳି ପରମ ଲକ୍ଷ୍ୟ ଉପଲବ୍ଧ ହେବ ନିଶ୍ଚୟ। ଏଥିରେ ସଂଶୟ ନାହିଁ। ନିଷ୍କାମ କର୍ମ (ଫଳାସକ୍ତି ତ୍ୟାଗ) ମାଧ୍ୟମରେ ଗୃହସ୍ଥ ତପୋବନ ହୋଇପାରିବ ଯାହା ତୁମକୁ ଭଗବତ୍ପ୍ରାପ୍ତି ଦିଗରେ ସହାୟକ ହେବ। ଏହାହିଁ ତ କର୍ମଯୋଗ। ଗୁରୁଦେବଙ୍କଠାରୁ ଏହା ଶୁଣିଲାପରେ ଗୋପମାଳଙ୍କୁ ମନେ ହେଲା ସିଦ୍ଧିରୂପକ ଦୁର୍ଲଭ ବସ୍ତୁ ତାଙ୍କୁ ମିଳିଗଲା ଗୁରୁଦେବଙ୍କ ଦ୍ବାରା।



