www.samajalive.in
Friday, December 5, 2025
27.1 C
Bhubaneswar

ଚିନ୍ତାକଳ୍ପ: ମହାଦାନ

ମହର୍ଷି ଦଧୀଚି ଅଥର୍ବ ମୁନିଙ୍କ ଔରସରୁ ଓ କର୍ଦ୍ଦମ ପ୍ରଜାପତିଙ୍କ କନ୍ୟା ଶାନ୍ତିଙ୍କ ଗର୍ଭରୁ ଜନ୍ମ ନେଇଥିଲେ। ବାଲ୍ୟକାଳରୁ ଦଧୀଚି ଥିଲେ ଶାନ୍ତ, ପରୋପକାରୀ, ଦୟାଳୁ ଓ ଈଶ୍ବରଭକ୍ତ। ଦିନ-ରାତି ଭଗବାନ ଶଙ୍କରଙ୍କ ନାମ ଜପରେ କଟାଉଥିଲେ। ବୟଃପ୍ରାପ୍ତ ହେବା ପରେ ଜଙ୍ଗଲକୁ ଯାଇ ତପସ୍ୟା କରିବା ନିମନ୍ତେ ପିତା ଅଥର୍ବ ମୁନିଙ୍କ ସମ୍ମତି ପ୍ରାର୍ଥନା କରିଥିଲେ। ପ୍ରଥମେ ପିତା ପରାଙ୍‌ମୁଖ ଥିଲେ, ହେଲେ ବାଳକ ଦଧୀଚିଙ୍କଠାରେ ତପସ୍ୟା ନିମିତ୍ତ ଥିବା ସଂକଳ୍ପଭାବ ଲକ୍ଷ୍ୟ କରି ଅନୁମତି ଦେଇଥିଲେ। ହିମାଳୟର ଏକ ଶିଖରରେ ଦୀର୍ଘକାଳ ବ୍ୟାପୀ ଘୋର ତପସ୍ୟା ମଗ୍ନ ହେଲେ। ବୃତ୍ରାସୁର ନାମକ ଏକ ଅସୁର ଦେବତାମାନଙ୍କୁ ଯୁଦ୍ଧରେ ହରାଇ ସ୍ବର୍ଗପୁରର ରାଜା ଭାବରେ ରହିଲା। ପ୍ରାଣାନ୍ତକ ଚେଷ୍ଟାକରି ମଧ୍ୟ ବଳଶାଳୀ ଅସୁରକୁ ଦେବତାମାନେ ପରାସ୍ତ କରି ନ ପାରି ଅତି ହୀନ, ଦୟନୀୟ ଭାବରେ ରହିଥାନ୍ତି। ଶେଷରେ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହୋଇଥିଲେ। ବିଷ୍ଣୁ ଦେବତାମାନଙ୍କୁ କହିଥିଲେ- ‘ବୃତ୍ରାସୁର ସାମାନ୍ୟ ହତିଆରରେ ମରିବ ନାହଁି। ପୂର୍ବଜନ୍ମରେ ସେ ଭଗବାନ ଶେଷ ନାରାୟଣଙ୍କ ପରମଭକ୍ତ ଥିଲା। ମହର୍ଷି ଦଧୀଚିଙ୍କ ଅସ୍ଥିରେ ନିର୍ମିତ ବଜ୍ରରେ ହିଁ ସେ ମରିବ। ମହର୍ଷି ଦଧୀଚି ଦୀର୍ଘକାଳ ବ୍ୟାପୀ ଅତି କଠୋର ତପ ଆଚରଣ କରିଛନ୍ତି। ଏହି କାରଣରୁ ତାଙ୍କର ଅସ୍ଥି ଅତି ଶକ୍ତିଶାଳୀ। ମୋର ପୂରା ବିଶ୍ବାସ ଏହା ମାଗିଲେ ସେ ପ୍ରସନ୍ନ ଚିତ୍ତରେ ଦାନ କରିବେ। ତୁମେମାନେ ତାଙ୍କର ଶରଣ ନିଅ।’

ଦେବତାମାନେ ଦଧୀଚିଙ୍କ ନିକଟକୁ ଯାଇ ବୃତ୍ରାସୁରର ନିର୍ଯାତନା ବିଷୟରେ କହିଥିଲେ। ସବୁ ଶୁଣିବା ପରେ ଦଧୀଚି କ୍ଷୋଭର ସହ କହିଥିଲେ, ମୁଁ ବ୍ରାହ୍ମଣ, କ୍ଷତ୍ରିୟ ନୁହେଁ। ଯୁଦ୍ଧ କରିବା ମୋର ଧର୍ମ ବିରୋଧୀ, ସତ୍ୟ ଏହା ଯେ ବୃତ୍ରାସୁର ମୋର କିଛି ବି କ୍ଷତି କରିନି। ଏଭଳି ସ୍ଥିତିରେ ନା ମୁଁ ତାକୁ ଶାପ ଦେଇପାରିବି ନା ତାକୁ ମାରିପାରିବି? ଇନ୍ଦ୍ର ଅସଲ କଥା ପ୍ରକାଶ କରି କହିଥିଲେ- ‘ଆମେମାନେ ଆପଣଙ୍କ ଅସ୍ଥି ଚାହୁଁଛୁ। ସେଥିରେ ନିର୍ମିତ ବଜ୍ରରେ ବୃତ୍ରାସୁର ଅବଶ୍ୟ ମରିବ।’ ଏହା ଶୁଣି ମହର୍ଷି କିଛି ବି ପ୍ରତିକ୍ରିୟା ପ୍ରକାଶ ନକରି କହିଥିଲେ- ‘ଯଦି ମୋର ଜୀବନର ଏଭଳି ଏକ ସୁଦୁପଯୋଗ ହୁଏ ତେବେ କ୍ଷତି କ’ଣ? ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ- ଏହା ଅବିସମ୍ବାଦିତ ସତ୍ୟ। ନଶ୍ବର ଜୀବନ ଯଦି କାହାରି ଉପକାରରେ, ବିଶେଷକରି ଦେବଗଣଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଉପଯୋଗ ହୋଇପାରିଲା ତାହା ତ ମୋର ପରମ ସୌଭାଗ୍ୟ। ଆପଣମାନେ ଆଶ୍ବସ୍ତ ହୁଅନ୍ତୁ। ମୁଁ ସ୍ବେଚ୍ଛାରେ ଶରୀର ତ୍ୟାଗ କରୁଛି।’ ଏହା କହି ଯୋଗକ୍ରିୟା ବଳରେ ସ୍ବେଚ୍ଛାରେ ଶରୀର ତ୍ୟାଗ କରିଥିଲେ। ଦେବଶିଳ୍ପୀ ବିଶ୍ବକର୍ମା ଦଧୀଚିଙ୍କ ଅସ୍ଥିରେ ବଜ୍ର ନିର୍ମାଣ କରିଥିଲେ। ବୃତ୍ରାସୁରଙ୍କୁ ଇନ୍ଦ୍ର ସେହି ଅସ୍ଥିରେ ନିର୍ମିତ ବଜ୍ରରେ ମାରିଥିଲେ। ମହର୍ଷି ଦଧୀଚି ଦେବତାମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଜୀବନଦାନ ଭଳି ମହାଦାନ ଦେଇ ଯୁଗଯୁଗକୁ ଅମର ହୋଇ ରହିଯାଇଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories