ନଗରଶ୍ରେଷ୍ଠୀଙ୍କ କନ୍ୟା ଥିଲେ ସୁପ୍ତବାସା। ସାଧାରଣ ଗର୍ଭଧାରଣ ସମୟଠାରୁ ଢ଼େର ଅଧିକ କାଳ ସନ୍ତାନକୁ ଗର୍ଭରେ ଧାରଣ କରି ଅସହ୍ୟ କଷ୍ଟ ସହିଥିଲେ। ତଥାଗତଙ୍କ ସାନ୍ନିଧ୍ୟ ଲାଭ ପରେ ତାଙ୍କ ଆଶୀର୍ବାଦରୁ ସୁପ୍ତବାସା ସେହି କଷ୍ଟରୁ ମୁକ୍ତିଲାଭ କରିଥିଲେ ଓ ଏକ ସୁନ୍ଦର, ସୁସ୍ଥ ସବଳ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁଟି ଦୀର୍ଘକାଳ ମାତୃଗର୍ଭରେ ରହି ଭୂମିଷ୍ଠ ହେଲାପରେ ବେଶ୍ କୌତୁକିଆ ଓ ଆକର୍ଷଣୀୟ ଥିଲା। ନଗରଶ୍ରେଷ୍ଠୀ ସନ୍ତାନର ଜନ୍ମବାର୍ଷିକୀ ସମାରୋହରେ ପାଳନ କରୁଥାନ୍ତି। ଆୟୋଜନ କରିଥିଲେ ଭବ୍ୟ ଭୋଜିର। ସୁପ୍ତବାସା ଓ ତାଙ୍କ ପିତା ତଥାଗତଙ୍କୁ ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ତଥାଗତ ଶିଷ୍ୟ ସଂଗ୍ରାମଙ୍କ ସହ ଧାର୍ଯ୍ୟ ସମୟରେ ଭୋଜିରେ ଉପସ୍ଥିତ ହେଲେ। ଶିଶୁଟିର ଖେଳ କୌତୁକ ମନମୋହନକାରୀ ଥିଲା। ସେ ଏପରି ଚପଳମତି ଥିଲା ଯେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସନ୍ତାନର ଚପଳତାରେ ମା’ ସୁପ୍ତବାସା ନିଜକୁ ଗୌରବାନ୍ବିତ ମନେ କରୁଥିଲେ। ତଥାଗତଙ୍କ ନିକଟରେ ଉପବେଶନ କରିଥିଲେ ସଂଗ୍ରାମ। କୌତୂହଳୀ ଶିଷ୍ୟ ତଥାଗତଙ୍କୁ ନିକଟରେ ପାଇ ପ୍ରଶ୍ନ କରିଥିଲେ- ଭଗବାନ! ସଂସାରରେ ମଣିଷ ଯେ ପ୍ରମାଦଯୁକ୍ତ ହୋଇପଡ଼ୁଛି ତା’ର ମୁଖ୍ୟ କାରଣ କ’ଣ ହୋଇପାରେ?
ତଥାଗତ ପ୍ରଶ୍ନର ଉତ୍ତର ନ ଦେଇ ଅନ୍ୟ ଆଲୋଚନା କରିଥଲେ। ଶିଷ୍ୟ ଭାବିନେଲେ ବୋଧହୁଏ ତଥାଗତ ପ୍ରଶ୍ନକୁ ଗୁରୁତ୍ବ ଦେଲେ ନାହିଁ। କିଛି କ୍ଷଣ ପରେ ସନ୍ତାନକୁ ଧରି ସୁପ୍ତବାସା ତଥାଗତଙ୍କୁ ପ୍ରଣାମ କରିବାକୁ ଆସିଲେ। ତଥାଗତ ସିଧାସଳଖ ପ୍ରଶ୍ନ କରିଥିଲେ- ‘ମା ! ଯଦି ତୁମକୁ ଏଭଳି ପୁତ୍ର ସନ୍ତାନ ମିଳେ ତେବେ ତୁମେ କେତୋଟି ପୁତ୍ର ସନ୍ତାନ କାମନା କରିବ?’ ‘ଭଗବାନ! ଏଭଳି ପୁତ୍ର ମିଳିଲେ ମୁଁ ଅନ୍ତତଃ ସାତଟି ସନ୍ତାନର ମା’ ହେବାକୁ କାମନା କରିବି।’ ଗୋଟିଏ ମାତ୍ର ପୁଅକୁ ଗର୍ଭରେ ଧାରଣା ଜନିତ ପୀଡ଼ା ଯାହାଙ୍କ ପାଇଁ ଅସହନୀୟ ଥିଲା, ଦୀର୍ଘ ମାସ ସନ୍ତାନକୁ ଗର୍ଭରେ ଧାରଣଜନିତ କଷ୍ଟ କାରଣରୁ ଯିଏ ସନ୍ତାନ ଜନ୍ମ ପାଇଁ ବ୍ୟାକୁଳ ଥିଲେ; କିନ୍ତୁ ତାହା ସମ୍ଭବ ହୋଇ ପାରୁନଥିଲା ଏବଂ ତଥାଗତଙ୍କ ଆଶିଷ ବଳରେ ଯେଉଁ ସନ୍ତାନ ଭୂମିଷ୍ଠ ହୋଇଥିଲା, ସିଏ ଏଭଳି ସାତପୁତ୍ରର ଜନନୀ ହେବାକୁ କାମନା କରିବା ତଥାଗତଙ୍କୁ ଅତ୍ୟାଶ୍ଚର୍ଯ୍ୟବୋଧ ହୋଇଥିଲା। ପାଖରେ ଥିବା ସଂଗ୍ରାମ ମଧ୍ୟ ଚକିତ ହୋଇଯାଇଥିଲେ ଏହି ଉତ୍ତର ଶୁଣି। ସୁପ୍ତବାସା ଚାଲିଯିବାପରେ ଶିଷ୍ୟଙ୍କୁ ତଥାଗତ ହସିହସି କହିଥିଲେ- ‘ତୁମ ପ୍ରଶ୍ନର ଏହା ହିଁ ସଠିକ ଉତ୍ତର। ଏହି କାରଣରୁ ହିଁ ମଣିଷ ବାରମ୍ବାର ପ୍ରମାଦରେ ପଡ଼ିଥାଏ। ନା େସ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛି ନା ମୁକ୍ତିର ପଥ ଖୋଜୁଛି। ଏଭଳି ଅବାଞ୍ଛିତ ଅଭୀପ୍ସା ପୋଷଣ କରୁଥିବା ବ୍ୟକ୍ତିକୁ ପ୍ରମାଦୀ ନର ହିଁ କୁହାଯିବ, ଆଉ କିଛି ବି ନୁହେଁ। ଏବେ ତୁମ ପ୍ରଶ୍ନର ସମାଧାନ ହୋଇଗଲା ତ?’



