ଭାରତର ଶିକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ ୨୦୨୬-୨୭ ଶିକ୍ଷାବର୍ଷରୁ ତୃତୀୟ ଶ୍ରେଣୀରୁ ହିଁ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିଷୟରେ ଶିକ୍ଷା ଦିଆଯିବ, ଯାହାକି ଏକ ଦୂରଦର୍ଶୀ ପଦକ୍ଷେପ। ସାରା ବିଶ୍ୱରେ ମାତ୍ର ଏଗାରଟି ଦେଶ ଏହି ଦିଗରେ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ପ୍ରସ୍ତୁତ କରିସାରିଥିବାବେଳେ ଭାରତର ଏହି ନିଷ୍ପତ୍ତି ନିଶ୍ଚିତ ପ୍ରଶଂସନୀୟ। ଛୋଟ ବୟସରୁ ଏଆଇ ଶିଖିବା ଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ମୋବାଇଲ୍ କିମ୍ବା କମ୍ପ୍ୟୁଟର ଚଳାଇବା ନୁହେଁ, ବରଂ ଏହା କିପରି କାମ କରେ, କମ୍ପ୍ୟୁଟର କିପରି ନିଷ୍ପତ୍ତି ନିଏ, ତାହା ମଧ୍ୟ ବୁଝିପାରିବେ। ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଏଆଇର ବ୍ୟବହାର ଶିକ୍ଷକମାନଙ୍କୁ ସହାୟତା ଦେବ। ଶିକ୍ଷକମାନେ ପିଲାଙ୍କ ନୋଟ୍ କପି ଯାଞ୍ଚ କରିବା ଭଳି କାମରୁ ମୁକ୍ତ ହୋଇ ଛାତ୍ରମାନଙ୍କୁ ଅଧିକ ସମୟ ଦେଇପାରିବେ, ଯାହା ଶିକ୍ଷାର ମାନ ବୃଦ୍ଧି କରିବ। ଗ୍ରାମାଞ୍ଚଳ ଏବଂ ଗରିବ ଅଞ୍ଚଳରେ ଯେଉଁଠି ଭଲ ଶିକ୍ଷକ କିମ୍ବା ଆଧୁନିକ ସୁବିଧା ନାହିଁ, ସେଠି ଏଆଇ ନିଶ୍ଚିତ ବରଦାନ ସାବ୍ୟସ୍ତ ହୋଇପାରେ। ବିଭିନ୍ନ ଭାଷାରେ ପାଠ ପଢ଼ାଇବା ଏବଂ ବିଶେଷ ଆବଶ୍ୟକତା ଥିବା ଛାତ୍ରଙ୍କୁ ସହାୟତା କରିବା ମଧ୍ୟ ଏହା ଦ୍ୱାରା ସମ୍ଭବ ହେବ।
ତେବେ ଏଆଇ ଶିକ୍ଷାର ଅନେକ ଲାଭ ଥିଲେ ମଧ୍ୟ ବହୁତ ଅସୁବିଧା ବି ରହିଛି ଯାହାକୁ ଉପେକ୍ଷା କରିହେବ ନାହିଁ। ପ୍ରଥମ ସମସ୍ୟା ହେଉଛି ଅସମାନତା। ସହରର ବଡ଼ ସ୍କୁଲଗୁଡ଼ିକରେ ସମସ୍ତ ସୁବିଧା ଉପଲବ୍ଧ କମ୍ପ୍ୟୁଟର, ଇଣ୍ଟରନେଟ୍, ତାଲିମପ୍ରାପ୍ତ ଶିକ୍ଷକ; କିନ୍ତୁ ଗାଁର ଅନେକ ସରକାରୀ ସ୍କୁଲରେ ବିଜୁଳି ବି ନାହିଁ। ସେହିପରି, ଯନ୍ତ୍ର ଉପରେ ଅତ୍ୟଧିକ ନିର୍ଭରଶୀଳତା ଆଉ ଏକ ସମସ୍ୟା। ଯଦି ପ୍ରତ୍ୟେକ କାମ ପାଇଁ ପିଲାମାନେ ଏଆଇର ସାହାଯ୍ୟ ନେବା ଆରମ୍ଭ କରିବେ, ସେମାନଙ୍କର ନିଜସ୍ୱ ଚିନ୍ତାଶକ୍ତି, ସୃଜନଶୀଳତା ଏବଂ ସମସ୍ୟା ସମାଧାନ କ୍ଷମତା କମିଯିବାର ଆଶଙ୍କା ରହିଛି। ମଣିଷଙ୍କ ସାଙ୍ଗରେ କଥାବାର୍ତ୍ତା, ଶିକ୍ଷକଙ୍କ ସହ ଆଲୋଚନା ଏବଂ ମିଳିମିଶି କାମ କରିବା ଏସବୁ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ, ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ।
ସବୁଠାରୁ ବଡ଼ କଥା ହେଲା ତଥ୍ୟ ସୁରକ୍ଷା। ଏଆଇ ସିଷ୍ଟମ ଛାତ୍ରମାନଙ୍କ ବିଷୟରେ ବହୁତ ତଥ୍ୟ ସଂଗ୍ରହ କରେ। ଏହି ତଥ୍ୟ କିଏ ବ୍ୟବହାର କରୁଛି, କେଉଁଠି ଯାଉଛି, କୌଣସି ଅନ୍ୟାୟ ଉପାୟରେ ବିନିଯୋଗ ହେଉନାହିଁ ତ – ଏଥିପାଇଁ ଠିକ୍ ନିୟମକାନୁନ ଏବଂ କଡ଼ା ପଦକ୍ଷେପ ଦରକାର। ଏହା ବାଦ୍ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ଶିକ୍ଷକମାନେ ଏଥିପାଇଁ କେତେ ପ୍ରସ୍ତୁତ। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ଶିକ୍ଷକ ମାନନ୍ତି ଯେ ଏଆଇ ପାଠପଢାରେ ସାହାଯ୍ୟ କରିବ; କିନ୍ତୁ ୭୦% ଶିକ୍ଷକ ଚିନ୍ତିତ ଯେ ଛାତ୍ରମାନେ ଏଥିରୁ ନକଲ କରିବେ କିମ୍ବା ଅପବ୍ୟବହାର କରିବେ। ନିଜେ ପରିଶ୍ରମ କରିବାକୁ ଇଚ୍ଛା କରିବେ ନାହିଁ। ଆହୁରି ମଧ୍ୟ ବିନା ତାଲିମରେ ଏଆଇ ଶିକ୍ଷା ପ୍ରଦାନ କଲେ ସମସ୍ୟା ଆହୁରି ବଢ଼ିବ। ସ୍କୁଲରେ ଏଆଇ ଶିକ୍ଷା ଆଣିବା ମାନେ କେବଳ ଆଧୁନିକ ହେବା ନୁହେଁ। ଏହାର ଅର୍ଥ ହେଉଛି ଆମ ପିଲାମାନଙ୍କୁ ବଦଳୁଥିବା ଦୁନିଆ ସହ ସାମିଲ ହୋଇ ଆଗକୁ ଯିବା ଲାଗି ସୁଯୋଗ ଦେବା। ଯଦି ଠିକ୍ ଭାବରେ ଏବଂ ସୁସଙ୍ଗତ ଭାବରେ କରାଯାଏ, ତେବେ ଏଆଇ ଶିକ୍ଷା ଆମ ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ; କିନ୍ତୁ ଯଦି ଅଦୂରଦର୍ଶୀ ଭାବେ, ନୈତିକତା ବିନା କରାଯାଏ, ତେବେ ଏହା ଆମର ଶିକ୍ଷା ପଦ୍ଧତିକୁ ଧ୍ବଂସ କରିବା ବି ଅସମ୍ଭବ ନୁହେଁ।



